ଓଡ଼ିଶା

ପ୍ରଶାସନ ଅପାରଗତା ତୃତୀୟ ଦିନରେ ଜେକେ କାଗଜକଳ ଠପ୍

ରାୟଗଡା ତା-୨୬/୦୮/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲା ପ୍ରଶାସନର ପାରିବା ପଣିଆ ପଦାରେ ପଡି ଗଡି ଚାଲିଚି। ନିକଟ ଅତୀତରେ ସ୍ଥାନୀୟ ଥେରୁବାଲି ସ୍ଥିତ ଇମ୍ଫା କାରଖାନାରେ ସରକାରୀଦଳର ନେତାଙ୍କ ଦ୍ଵାରା ଏବଂ ପ୍ରୋତ୍ସାହନ ମାଧ୍ୟମରେ ବେନିୟମ ଭାବରେ ଆନ୍ଦୋଳନ କରୁଥିବା ବେଳେ ଚୁପଚାପ ବସି ମଜା ନେଉଥିବାରେ ମସଗୁଲ ପ୍ରଶାସନ ଅବଶେଷେ କୋର୍ଟରୁ ଆଦେଶ ଆସନ୍ତେ ତ୍ରିପାକ୍ଷିକ ଆଲୋଚନା କରି ସମାଧାନ କରିବାରେ ତତ୍ପର ହୋଇଥିଲେ। କିନ୍ତୁ ଇମ୍ପାର କାର୍ଯ୍ୟରତ କର୍ମଚାରୀ ଓ ଆଦିବାସୀ ମହାସଂଘର ସହଯୋଗରେ ଜିଲ୍ଲାପାଳ କାର୍ଯ୍ଯାଳୟକୁ ଏକତ୍ରିତ ହୋଇ ଆସିଥିବା କର୍ମଚାରୀଙ୍କୁ ଉପ ଜିଲ୍ଲାପାଳ ପ୍ରବୀର ନାୟକ ଏବଂ ଜିଲ୍ଲା ଅଧିକାରୀ ଦେବାଶିଷ କର ଆଇନର ପାଠ ପଢାଇ “ତୁମ ପାଖରେ ଅନୁମତି ଅଛି କି, ଏକତ୍ରିତ ହୋଇ ଜିଲ୍ଲାପାଳ କାର୍ଯ୍ଯାଳୟ ଆସିବା ପାଇଁ?” ଭଳି ଓଲଟା ପ୍ରଶ୍ନବାଣମାନ ମାରି ଆତଙ୍କିତ କରିବାର ଅପଚେଷ୍ଟା କରିଥିଲେ।

ହେଲେ ଏବେ କିଛି ଦିନ ଧରି ସ୍ଥାନୀୟ ଜେ କେ ପେପର ମିଲରେ ଜୋରଦାର ଚାଲିଥିବା ଶ୍ରମିକ ଆନ୍ଦୋଳନ କ’ଣ ପୂର୍ବୋକ୍ତ ଇମ୍ପା ଶ୍ରମିକ ଆନ୍ଦୋଳନର ଅନୁରୂପ ନୁହେଁ କି ? କାରଣ ଏହି କାଗଜ କାରଖାନାରୁ ଅତ୍ୟନ୍ତ ନ୍ୟୂନ ଦୈନିକ ମାତ୍ର ୨୦୦ଟଙ୍କାରୁ ୩୦୦ ଟଙ୍କା ପାଇ ଗରିବ ଆଦିବାସୀଙ୍କ ସମେତ ସେବାରତ ଶ୍ରମିକ ମାନେ ଆଜୀବନ କାମ କରି ପେଟ ପୋଷିବାକୁ ବାଧ୍ୟ ହେବା ଦ୍ୱାରା ଯେ କେତେ ନିର୍ଯ୍ଯାତିତ ହୋଇଚାଲିଛନ୍ତି, ତାହା ସାମାନ୍ୟତମ ମାନବିକତା ଥିଲେ ସଠିକ ଅନୁଭବ କରି ହେବ।
ଜେକେ କାଗଜକଳ ଶ୍ରମିକଙ୍କର ୧୪ ଦଫା ଦାବିରେ ଚାଲିଥିବା ଆପ ଆଜି ତୃତୀୟ ଦିନରେ ପହଞ୍ଚିଛି। ହେଲେ ଏହାକୁ ନେଇ କୋର୍ଟଙ୍କ ରାୟ ପରେ ଆନ୍ଦୋଳନ ନୂଆ ମୋଡ ନେଇଛି।

କାଗଜକଳ ମୁଖ୍ୟ ନିର୍ବାହୀ ଉପସଭାପତି ପବନ କୁମାର ସୁରି କହିଛନ୍ତି ଯେ, ସିଟୁ ସଂଗଠନ ଦ୍ୱାରା ପରିଚାଳିତ ଠିକା ଶ୍ରମିକ ଓ କର୍ମଚାରୀ ସଂଘ ସହ କଂପାନୀର ସିଧାସଳଖ କୌଣସି ସମ୍ପର୍କ ନାହିଁ। ନିୟମ ଅନୁଯାୟୀ ଜେକେ କାଗଜକଳ କର୍ତ୍ତୃପକ୍ଷ ଅନ୍ୟ ନିର୍ବାଚିତ କର୍ମଚାରୀ ସଂଘ ସହ ଚୁକ୍ତିନାମା କରି ସୁରୁଖୁରୁରେ କାର୍ଯ୍ୟ କରି ଆସୁଛନ୍ତି। ସିଟୁ ସଂଗଠନକୁ ଜେକେ କାଗଜକଳରେ ସ୍ୱୀକୃତି ଦେବାର ଆବଶ୍ୟକତା ନଥିବା ବେଳେ କମ୍ପାନୀ ବିରୋଧରେ ଧାରଣା ଦେବା କୌଣସି ଯଥାର୍ଥତା ନାହିଁ।

ସ୍ଥାନୀୟ ଦୈରାଜଜ୍ କୋର୍ଟରେ ଚାଲିଥିବା ମକଦ୍ଦମାର ରାୟ ପ୍ରକାଶ ପାଇଛି। ରାୟରେ ମାନ୍ୟବର ବିଚାରପତି ସିଆଇଟିୟୁ ଦ୍ୱାରା ପରିଚାଳିତ ଶ୍ରମିକ ସଂଘ କର୍ମକର୍ତ୍ତା ଓ ଶ୍ରମିକ ଜେକେ କାଗଜକଳର କୌଣସି କାର୍ଯ୍ୟରେ ବାଧା ସୃଷ୍ଟି କରି ପାରିବେ ନାହିଁ ବୋଲି କହିଛନ୍ତି। ଏହା ସହ ଫାଟକ ସମ୍ମୁଖରେ ସମବେତ ହୋଇ ଅବରୋଧ ଉପରେ କଟକଣା ମଧ୍ୟ ଜାରି କରିଛନ୍ତି। ତେବେ ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତି ଶୃଙ୍ଖଳାରେ ଧାରଣା ଦେଇ ପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଏହାର ସମାଧାନ ପାଇଁ ଓଡିଶା ଶ୍ରମ କମିଶନଙ୍କ ହସ୍ତକ୍ଷେପ କରିବା ପାଇଁ ଆଦେଶ ଦିଆଯାଇଛି। ଏଣୁ ରାୟଗଡା ସହକାରୀ ଶ୍ରମକମିଶନ ଚିଠି ନଂମ୍ବର ୨୮୮୧(୩) ରାଜ୍ୟ ଶ୍ରମ କମିଶନର ଆସନ୍ତା ୨୭ ତାରିଖରେ ୪ଘଣ୍ଟା ସମୟରେ ଭୁବନେଶ୍ୱର ଶ୍ରମ କମିଶନଙ୍କ ସମ୍ମିଳନୀ କକ୍ଷରେ କାଗଜକଳର ଶ୍ରମିକ ନେତାଙ୍କ ସହ ଆଲୋଚନା ପାଇଁ ସ୍ଥିର କରିବା ସୂଚନା ଶ୍ରମିକ ସଙ୍ଗଠନର ସଭାପତି ହେରେନ୍ଦ୍ରନାଥ ଚନ୍ଦନ କହିଛନ୍ତି।

ଅପରପକ୍ଷରେ ସିଟୁ ଶ୍ରମିକ ସଂଗଠନ ରାଜ୍ୟ ସାଧାରଣ ସଂପାଦକ ବିଷ୍ଣୁ ମହାନ୍ତିଙ୍କୁ କୋର୍ଟଙ୍କ ରାୟ ଉପରେ ପଚାରିବାରୁ ସେ କହିଥିଲେ ଯେ, ଆମେ ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ ଜାରି ରଖିବା ସହ ତୁରନ୍ତ ମୁଖ୍ୟମନ୍ତ୍ରୀ, ଶ୍ରମମନ୍ତ୍ରୀ, ଶ୍ରମ ସଚିବ, ଜିଲ୍ଲାପାଳ ଓ ଏସପି ହସ୍ତକ୍ଷେପ କରି ଶ୍ରମିକଙ୍କ ନ୍ୟାର୍ଯ୍ଯ ଦାବି ପୂରଣ ଦିଗରେ ସହଯୋଗ ପାଇଁ ନିବେଦନ କରିଥିବା ସେ କହିଥିଲେ। ଏଥି ସହ ଦାବି ପୂରଣ ହେବା ପର୍ଯ୍ୟନ୍ତ ଶ୍ରମିକଙ୍କ ଶାନ୍ତିପୂର୍ଣ୍ଣ ଧର୍ମଘଟ ଜାରି ରହିବ ବୋଲି ସ୍ବଷ୍ଟ କରିଥିଲେ।

ବର୍ତ୍ତମାନ ଆନ୍ଦୋଳନ ସ୍ଥଳରେ ରାୟଗଡା ଉପଜିଲ୍ଲାପାଳ ପ୍ରବୀର କୁମାର ନାୟକ, ତହସିଲଦାର ଉମା ଶଙ୍କର ବେହେରା, ବିଡ଼ିଓ ରାଜେନ୍ଦ୍ର ମାଝୀ, କୋଲନରା ଅତିରିକ୍ତ ତହସିଲଦାର ଗୁରୁଚରଣ ମଲ୍ଲ, ଅତିରିକ୍ତ ଏସପି ୱଇ ଜଗନ୍ନାଥ ରାଓ, ଏସଡିପିଓ ରାଜ କିଶୋର ଦାସ ଓ ଆଇଆଇସି ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ତଦାରଖ କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top