ad
ଓଡ଼ିଶା

ପ୍ରଶାସନିକ ଅଦଳବଦଳ ପଛରେ ଦଳୀୟ ପାଣ୍ଠି ସଂଗ୍ରହ ପାଇଁ ଷଡଯନ୍ତ୍ର – ଧର୍ମେନ୍ଦ୍ର ପ୍ରଧାନ

ପ୍ରଶାସନିକ ଅଦଳବଦଳ ନେଇ ସାମାଜିକ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ
– ପ୍ରଶାସନିକ ଅଦଳବଦଳ ରାଜ୍ୟ ସରକାରଙ୍କର ମନ୍ଦ ଉଦ୍ଦେଶ୍ୟକୁ ନେଇ ସନ୍ଦେହ ତିଆରି କରୁଛି
-କମର୍ସିଆଲ୍ ଟାକ୍ସ କମିଶନର ଓ ପୂର୍ତ୍ତ ସଚିବ ପରି ପଦବୀରେ ନିଜ ପସନ୍ଦର ଅଫିସର ନିଯୁକ୍ତି କରି ଆର୍ଥିକ ବର୍ଷର ଶେଷ ମାସରେ ରାଜ୍ୟ ତହବିଲର ସାର୍ଥ ପଛେ ବୁଲିକୁ ଯାଉ ମାତ୍ର ଦଳୀୟ ପାଣ୍ଠି ମଜବୁତ ହେଉ ଏହା ସରକାରଙ୍କର ଅସଲ ଉଦ୍ଦେଶ୍ୟ
– ମୁଖ୍ୟମନ୍ତ୍ରୀଙ୍କ ପିସି ମଷ୍ଟ ଷ୍ଟପ୍ ସ୍ଲୋଗାନର ଆଢୁଆଳରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଢାଇ କରି ମୋଟା ଅଙ୍କରେ ନିର୍ବାଚନୀ ଚାନ୍ଦା ଆଦାୟ କରିବାର ଷଡଯନ୍ତ୍ରର ଲୋକମାନେ ଉଚିତ ଜବାବ ଦେବେ

ଭୁବନେଶ୍ବର, ମାର୍ଚ୍ଚ ୦୬ (ଓଡ଼ିଆ ପୁଅ) – ଚଳିତ ଆର୍ଥିକ ବର୍ଷର ଶେଷ ମାସରେ କେତୋଟି ପ୍ରଶାସନିକ ଅଦଳବଦଳ ରାଜ୍ୟ ସରକାରଙ୍କର ମନ୍ଦ ଉଦ୍ଦେଶ୍ୟକୁ ନେଇ ସନ୍ଦେହ ତିଆରି କରୁଛି। ପ୍ରଶାସନରେ ଅଦଳବଦଳ କରିବା ରାଜ୍ୟ ସରକାରଙ୍କର ଅକାରର କ୍ଷେତ୍ର, ଏଥିରେ ଦ୍ବିମତ ନାହିଁ। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ଏପରି ଅଦଳବଦଳ ରାଜ୍ୟର ଆର୍ଥିକ ସ୍ୱାର୍ଥର ସୁରକ୍ଷା ନୁହେଁ ବରଂ ସରକାରୀ କଳକୁ ବ୍ୟବହାର କରି ସରକାରୀ ଦଳ ପାଇଁ ଚାନ୍ଦା ଚିଠା ଯୋଗାଡ ପାଇଁ ସୁଚିନ୍ତିତ ପଦକ୍ଷେପ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି ବୋଲି ସାମାଜିକ ଗଣମାଧ୍ୟମରେ ରାଜ୍ୟରେ ପ୍ରଶାସନିକ ଅଦଳବଦଳ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଅଳ୍ପ କିଛିଦିନ ତଳେ ରାଜ୍ୟ ସରକାର ଶାସ୍ବତ ମିଶ୍ରଙ୍କ ବଦଳରେ ବିଷ୍ଣୁପଦ ସେଠୀଙ୍କୁ ବାଣିଜ୍ୟ କର କମିଶନର ଭାବେ ଅତିରିକ୍ତ ଦାୟିତ୍ବ ଦେଲେ। ବିଷ୍ଣୁପଦ ସେଠୀଙ୍କ ହାତରେ ପୂର୍ବରୁ ଏସିଆରସି ଓ ଓଏସଡିଏମଏ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ରହିଛି। ଶାସ୍ବତ ମିଶ୍ର ରାଜ୍ୟରେ ଜିଏସଟିକୁ ସଫଳତାର ସହିତ ଲାଗୁ କରିବା ଓ କମସିଆଲ୍ ଟାକ୍ସକୁ ସୁସଙ୍ଗଠିତ କରିବାରେ ଅଭିଜ୍ଞତା ସମ୍ପନ୍ନ ଅଫିସର।

ଏବେ ଆର୍ଥିକ ବର୍ଷର ଶେଷ ମାସରେ ତାଙ୍କୁ ଏହି ବିଭାଗ ଛାଡି ଉଚ୍ଚଶିକ୍ଷା ବିଭାଗର ଦାୟିତ୍ବ ଦିଆଯାଇଛି। ରାଜ୍ୟ ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଇ ରାଜ୍ୟ ପୂର୍ତ୍ତ ବିଭାଗର ସଚିବ ଭାବେ କିଷନ କୁମାରଙ୍କୁ ଦାୟିତ୍ବ ଦେଇଛନ୍ତି। ପୂର୍ବରୁ ହକି ବିଶ୍ୱକପ ଖେଳରେ ବିଭିନ୍ନ ଅନିୟମିତତା ଅଭିଯୋଗ ଥିବା ସହ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସୂଚନା ଅଧିକାର ଆଇନ ଓ ବିଧାନସଭାରେ ଏହି ଖେଳର ଖର୍ଚ୍ଚ ବାବଦରେ ହିସାବ ଦେବାକୁ ପଛାଉଛନ୍ତି।

କିଷନ କୁମାର କାଳିଆ ଯୋଜନାର କ୍ରିୟାନ୍ବୟନର ଦାୟିତ୍ବରେ ଅଛନ୍ତି। ଏହାପରେ ବି ତାଙ୍କ ଉପରେ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ବ ନ୍ୟସ୍ତ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ପୂର୍ବରୁ ରାଜ୍ୟ ସରକାରଙ୍କର ଏକ୍ସଟେନସନ୍ ପାଇ ନଳିନୀ ପ୍ରଧାନ ପୂର୍ତ୍ତ ବିଭାଗର ସଚିବ ଥିଲେ। ଏହି ବିଭାଗର ସଚିବ ଭାବେ ଶ୍ରୀ ପ୍ରଧାନ ଶାସକ ଦଳର ଚାନ୍ଦା ଏକାଠିରେ ପ୍ରମୁଖ ଭୂମିକା ନେଉଥିବା ଅଭିଯୋଗ ହେଇ ଆସୁଥିଲା। ରାଜ୍ୟରେ ରାସ୍ତା, ବ୍ରିଜ ତଥା ଓଭର ବ୍ରିଜ ଆଦି କାମରେ ପଣ୍ଡା ଇନଫ୍ରା ପରି ଅସାଧୁ ଠିକାଦାରମାନଙ୍କୁ ପୂର୍ତ୍ତ ବିଭାଗ ତରଫରୁ ଅଯାଚିତ ଅନୁକମ୍ପା ଦେଖାଇ ପାଣ୍ଠି ଯୋଗାଡରେ ଗଣମାଧ୍ୟମରେ ବାରମ୍ବାର ବିତର୍କ ହୋଇଛି। ଏକ୍ସଟେନସନ୍ ଶେଷ ହେବାର କିଛିଦିନ ପୂର୍ବରୁ ଶ୍ରୀଯୁକ୍ତ ପ୍ରଧାନ ଇସ୍ତଫା ଦେଇ ବିଜୁ ଜନତା ଦଳରୁ ନିର୍ବାଚନ ଲଢିବା ପାଇଁ ପ୍ରଚାର କାମରେ ଜୋରଦାର ଲାଗି ସାରିଲେଣି ବୋଲି ଗଣମାଧ୍ୟମ କହୁଛି ବୋଲି ସେ କହିଛନ୍ତି। କିଷନ କୁମାରଙ୍କୁ ପୂର୍ତ୍ତ ସଚିବ ଭାବରେ ନିଯୁକ୍ତି ଦେଇ ଏହି ପଦବୀ ଇଞ୍ଜିନିୟରିଂ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେବାର ପରମ୍ପରାକୁ ସରକାର ଭଙ୍ଗ କଲେ। ନଳିନୀ ପ୍ରଧାନଙ୍କ ଇସ୍ତଫା ପରେ ଇଞ୍ଜିନିୟରିଂ ବିଭାଗର ରସାନନ୍ଦ ସାହୁଙ୍କୁ ପ୍ରଥମେ ପୂର୍ତ୍ତ ସଚିବ ଭାବରେ ନିଯୁକ୍ତି ଦିଆଯାଇଥିଲା। ନିଯୁକ୍ତିର ଦୁଇଦିନ ପରେ ତାଙ୍କର ଇସ୍ତଫା ନିଆଯାଇ ଅନ୍ୟତ୍ର ଥଇଥାନ କରାଗଲା। ଏହି ତରବରିଆ ପଦକ୍ଷେପ ପଛରେ ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କମର୍ସିଆଲ୍ ଟାକ୍ସ କମିଶନର ଓ ପୂର୍ତ୍ତ ସଚିବ ପରି ପଦବୀରେ ନିଜ ପସନ୍ଦର ଅଫିସର ନିଯୁକ୍ତି କରି ଆର୍ଥିକ ବର୍ଷର ଶେଷ ମାସରେ ରାଜ୍ୟ ତହବିଲର ସାର୍ଥ ପଛେ ବୁଲିକୁ ଯାଉ ମାତ୍ର ଦଳୀୟ ପାଣ୍ଠି ମଜବୁତ ହେଉ ଏହା ସରକାରଙ୍କର ଅସଲ ଉଦ୍ଦେଶ୍ୟ ବୋଲି ବୁଝାପଡ଼ୁଛି। ଓଡିଶାର ଜନସାଧାରଣ ବୋକା ନୁହଁନ୍ତି। ମୁଖ୍ୟମନ୍ତ୍ରୀଙ୍କ ପିସି ମଷ୍ଟ ଷ୍ଟପ୍ ସ୍ଲୋଗାନର ଆଢୁଆଳରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଢାଲ କରି ମୋଟା ଅଙ୍କରେ ନିର୍ବାଚନୀ ଚାନ୍ଦା ଆଦାୟ କରିବାର ଷଡ଼ଯନ୍ତ୍ରର ଲୋକମାନେ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top