ପ୍ରଶାସନର ହସ୍ତକ୍ଷେପ ପରେ ମୁକୁଳିଲେ ଦାଦନ

କୋରାପୁଟ;ତା୨୫-୧୨-୧୭(ଓଡିଆ ପୁଅ/ରଂଜନ କୁମାର ଦାସ) ଜିଲା ପ୍ରଶାସନର ଉଦ୍ୟମରେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଚନ୍ଦକା ପଂଚାୟତର ୧୦ଜଣ ଦାଦନ ଶ୍ରମିକ ମାଲିକ କବଳରୁ ମୁକୁଳିବାରେ ସମର୍ଥ ହୋଇଛନ୍ତି। ଜିଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶରେ ଶ୍ରମ ବିଭାଗର ଏକ ଟିମ ବେଙ୍ଗୁଲୁରୁ ଯାଇ ସମସ୍ତଙ୍କୁ ଉଦ୍ଧାର କରିଥିବାବେଳେ ରବିବାର ରାତିରେ ସମସ୍ତେ ଗାଁରେ ପହଂଚିଥିବା ଜଣା ପଡିଛି। ଶନିବାର ବିଳମ୍ବିତ ରାତିରେ ସମସ୍ତ ଦାଦନ କରମଣ୍ଡଳ ଏକ୍ସପ୍ରେସ ଟ୍ରେନରେ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇବା ପରେ ବାଲୁଗାଁ ଯାଇଥିଲେ। ଶ୍ରମ ବିଭାଗ ଅଧିକାରୀ ଓ ଉଦ୍ଧାର ସମସ୍ତ ଶ୍ରମିକ ସେମାନଙ୍କୁ ବେଙ୍ଗୁଲୁରୁ ପଠାଇଥିବା ବାଲୁଗାଁର ମୁଖ୍ୟ ଦଲାଲ ନିକଟକୁ ଯାଇ ସେମାନେ କାମ କରିଥିବା ପାରିଶ୍ରମିକ ଦାବି କରିଥିଲେ। ହିସାବ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ୧୮ ହଜାର ଟଙ୍କା ପାଇବାର ଥିଲେ ମଧ୍ୟ ଦଲାଲ ଜଣକ ପ୍ରତ୍ୟେକଙ୍କୁ ମାତ୍ର ୭ହଜାର ଲେଖାଏଁ ଦେଇଥିବା ଜଣା ପଡିଛି। ତେବେ କୌଣସି ପ୍ରକାରେ ସମସ୍ତ ଦାଦନ ଗାଁରେ ପହଂଚି ଥିବାରୁ ପରିବାର ଲୋକ ଆଶ୍ୱସ୍ତ ହୋଇଥିବାବେଳେ ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ମୁକୁଳାଇ ଥିବାରୁ ଜିଲା ପ୍ରଶାସନ, ପୋଲିସ ଓ ଶ୍ରମ ବିଭାଗକୁ କୃତଜ୍ଞତା ଜଣାଇଛନ୍ତି। ୨୦୧୭ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଚନ୍ଦକା ପଂଚାୟତ ଚିନ୍ତାଲଗୁଡା ଗ୍ରାମର ଅମ୍ରୀ ଖରା ଓ ପଟ୍ଟାଙ୍ଗିର ମନୋଜ ପଡାସେଠି ନାମକ ଦୁଇ ଦଲାଲ ୧୦ଜଣ ଶ୍ରମିକଙ୍କୁ ଅଧିକ ଉପାର୍ଜନର ଲୋଭ ଦେଖାଇ ରାୟଗଡାରେ କାମ କରିବ କହି ଡାକି ନେଇଥିଲେ। ଦଲାଲ ମାନଙ୍କ ପ୍ରରୋଚନାରେ ଚିନ୍ତାଲଗୁଡାର ରାମ ପୁଲୋ, ଜାନି ପତି ନାଲାକଣ୍ଡା ଗ୍ରାମର ତିଲସୁ ଖରା, ବାଙ୍ଗରୁ ପାଙ୍ଗି, ଲିମେ ପାଙ୍ଗି, କ୍ରୀଷ୍ଣା ଗୁଣ୍ଠା, ଅଜୟ ଖରା, ମାଙ୍ଗୁଡୁ ଖରା, ପୁରୁଟି ଖରା, କାତ ଖରା ରାୟଗଡାରେ କାମ କରି ଅଧିକ ରୋଜଗାର କରିବାକୁ ବାହାରିଥିଲେ। କିନ୍ତୁ ଦଲାଲମାନେ ପ୍ରଥମେ ଉକ୍ତ ୧୦ ଜଣ ଶ୍ରମିକଙ୍କୁ ରାୟଗଡା ନେଇ ସେଠାରୁ ବାଲୁଗାଁ ଓ ପରେ ବେଙ୍ଗୁଲୁରୁ ପଠାଇ ଦିଆ ଯାଇଥିଲା। ବେଙ୍ଗାଲୁର ନିକଟସ୍ଥ ବେଲାରୋ ନାମକ ଅଂଚଳରେ ଜଣେ ସ୍ଥାନୀୟ ଠିକାଦାର ସେମାନଙ୍କୁ ସିମେଂଟ କଂକ୍ରୀଟ କାର୍ଯ୍ୟରେ ନିୟୋଜିତ କରିଥିଲା। ତେବେ ଠିକାଦାର ଜଣକ ସେମାନଙ୍କୁ ଦୈନିକ ୧୮-୨୦ ଘଂଟା କାମ କରାଇବା ସତ୍ୱେ ପାରିଶ୍ରମିକ ଠିକ ଭାବେ ନଦେବାରୁ ସେମାନେ କାମ ଛାଡି ଗାଁକୁ ଫେରି ଯିବେ ବୋଲି ଠିକାଦାରକୁ କହିଥିଲେ। ହେଲେ ଆଉ ତିନିମାସ କାମ କର, ନଚେତ ପଇସା ମିଳିବ ନାହିଁ ବୋଲି ଠିକାଦାର ଧମକ ଦେଇ ଜୋର ଜବରଦସ୍ତ କାମ କରାଉଥିଲା। କୌଣସି ପ୍ରକାରେ ପରିବାର ଲୋକଙ୍କୁ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଜଣାଇବା ପରେ ପରିବାର ଲୋକ ଜିଲା ଶ୍ରମ ବିଭାଗ ଓ ଏସପିଙ୍କୁ ଜଣାଇବା ସହ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡିଥିଲେ। ଶ୍ରମିକମାନେ ପଟ୍ଟାଙ୍ଗି ପହଂଚିବା ପରେ ସମସ୍ତେ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ସାକ୍ଷାତ କରି ଘଟଣାର ମୂଳରୁ ପହଂଚିବା ଯାଏ ବର୍ଣନା କରିଛନ୍ତି। ପଟ୍ଟାଙ୍ଗି ପୋଲିସ ଦଲାଲ ଅମ୍ରୀ ଖରା ଓ ମନୋଜ ପଡାସେଠୀ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *