ଜିଲ୍ଲା ପରିକ୍ରମା

ପ୍ରଶାସନର ବିଚିତ୍ର ହେଲମେଟ ନିୟମ ; ରାସ୍ତାରେ ଧର, ଟାଙ୍କିରେ ଛାଡ

ଯାଜପୁର- ୧୧/୮(ଓଡିଆ ପୁଅ/ଏ.ରାଉତ) ଜିଲା ପ୍ରଶାସନ କିଛି ମାସ ପୁର୍ବରୁ ଜିଲାରେ ଗାଡି ଚଳାଉଥିବା ଗାଡି ଚାଳକ ମାନଙ୍କ ହେଲମେଟ ବ୍ୟବହାରକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଥିଲା । ପୁଲିସ ପ୍ରଶାସନ ସହିତ ଜିଲା ପ୍ରଶାସନ ମିଳିତ ହୋଇ ବିନା ହେଲମେଟରେ ଗାଡି ଚଳାଉଥିବା ଚାଳକମାନଙ୍କ ଉପରେ ନଜର ଦେବା ଆରମ୍ଭ କରିଥିଲା । ରାସ୍ତାରେ ପୁଲିସ ବିଭିନ୍ନ ସ୍ଥାନରେ ଜଗିବା ସହିତ ବିନା ହେଲମେଟରେ ଗାଡି ଚାଳନା କରୁଥିବା ଚାଳକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଗାଡି ଚାଳକ ମାନଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ସେମାନଙ୍କ ଠାରୁ ଜରିମାନା ଆଦାୟ କରିଥିଲା । ଏହି କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରିବାକୁ ଜିଲାପାଳ ରଞ୍ଜନ କୁମାର ଦାସ ଅଧିକ ତତ୍ପରତା ପ୍ରକାଶ କରିବା ସହିତ ନିଜ ସହକର୍ମୀ ମାନଙ୍କୁ ଧରି ଜିଲାର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଚଢାଉ କରିବା ଆରମ୍ଭ କରିଥିଲେ । ଏହି ଚଢାଉ ସମୟରେ ଖୋଦ ଜିଲାପାଳ ବିନା ହେଲମେଟରେ ତେଲ ପକାଇବାକୁ ଆସୁଥିବା ଗାଡି ଚାଳକଙ୍କୁ ଧରି ସେମାନଙ୍କ ଠାରୁ ଜରିମାନା ଆଦାୟ କରିବା ସହିତ ହେଲମେଟ ପିନ୍ଧିବାକୁ ତାଗିଦ କରିଥିଲେ । ଜିଲାପାଳଙ୍କୁ ଛାଡି ଅତିରିକ୍ତ ଜିଲାପାଳ, ଉପଜିଲାପାଳଙ୍କ ସହିତ ଅନ୍ୟ ଅଧିକାରୀମାନେ ମଧ୍ୟ ବିଭିନ୍ନ ସମୟରେ ପେଟ୍ରୋଲ ଟାଙ୍କି ଓ ଛକ ବଜାରରେ ଚଢାଉ କରିବା ଦେଖିବାକୁ ମିଳିଥିଲା । ଦିନ ରାତି ବିଭିନ୍ନ ସମୟରେ ଏହି ଚଢାଉ ହେବା ଦ୍ୱାରା ଜନସାଧାରଣ ବେଶ ସଚେତନ ହୋଇଥିଲେ । ପୁଲିସ ପକ୍ଷରୁ ମଧ୍ୟ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ପୁଲିସ ଜନସାଧାରଣଙ୍କୁ ଧରି ଗାଡି ଚାଳକ ମାନଙ୍କୁ ହେଲମେଟ ପିନ୍ଧିବାକୁ ସଚେତନ କରିବା ସମୟରେ ସେମାନଙ୍କୁ ଚକୋଲେଟ ଓ ଗୋଲାପ ଫୁଲ ମଧ୍ୟ ଦେଇଥିଲା । ଫଳରେ ହେଲମେଟ ବ୍ୟବହାରରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳିଥିଲା । ଏହାକୁ ନେଇ ବିଭିନ୍ନ ଛକ ସ୍ଥାନ ଓ ରାସ୍ତାରେ ମଧ୍ୟ ହେଲମେଟ ବିକ୍ରି ଆରମ୍ଭ ହୋଇଥିଲା । ଅପରପକ୍ଷେ ଜିଲାପାଳ ବିନା ହେଲମେଟରେ ପେଟ୍ରୋଲ ଦେବାକୁ ଟାଙ୍କି ଗୁଡିକୁ ତାଗିଦା କରିବା ସହିତ ଟାଙ୍କି ମାଲିକମାନଙ୍କ ବୈଠକ କରି ବିନା ହେଲମେଟରେ ପେଟ୍ରୋଲ ନଦେବାକୁ କଡା ନିର୍ଦେଶ ଦେଇଥିଲେ । ସେ ସମୟରେ ବହୁ ଟାଙ୍କି ମାଲିକ ଓ କର୍ମଚାରୀ ବିନା ହେଲମେଟରେ ପେଟ୍ରୋଲ ଦେବା ବନ୍ଦ ମଧ୍ୟ କରିଥିଲେ । ଏହାକୁ ନେଇ ଜିଲାର ବୁଦ୍ଧିଜୀବି ମାନେ ଖୁସି ବ୍ୟକ୍ତ କରିଥିଲାବେଳେ ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଏଭଳି କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଥିଲେ । ସବୁ ଠିକ ଚାଲିଥିଲାବେଳେ ମାତ୍ର କିଛି ମାସ ଅନ୍ତରରେ ଏହି ନିୟମ ସଂପୂର୍ଣ୍ଣ ବାଟବଣା ହୋଇ ଯାଇଛି । ଆଉ ତେଲ ପକାଇବାକୁ ପେଟ୍ରୋଲ ଟାଙ୍କିରେ ହେଲମେଟର ଆବଶ୍ୟକତା ପଡୁନଥିଲାବେଳେ ରାସ୍ତାରେ ମଧ୍ୟ ଗାଡି ଚାଳକ ବିନା ହେଲମେଟରେ ଗାଡି ଚଳାଉଥିବା ଦେଖିବାକୁ ମିଳିଛି । କିଛିଦିନ ହେଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ହେଲମେଟ ଯାଞ୍ଚ କରାଯାଉଥିଲାବେଳେ ପ୍ରଶାସନର ଏହା ରାସ୍ତାରେ ଧର ଓ ଟାଙ୍କିରେ ଛାଡିବାର ବିଚିତ୍ର ନିୟମ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top