ପ୍ରଧାନମନ୍ତ୍ରୀ ସଡକ ଯୋଜନା ବାଟବଣା । ଧାର୍ଯ୍ୟ ସମୟରେ ସରିନି ପରିଆ ଗାଁ ରାସ୍ତା କାମ ।

କଳାହାଣ୍ଡି – (ଓଡିଆପୁଅ)୦୫/୦୮/୨୦୧୮ କଳାହାଣ୍ଡି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଏକ ପ୍ରକାର ଠିକାଦାର ପୋଷଣ ଯୋଜନାରେ ପରିଣତ ହୋଇଯାଇଥିବା ସମଗ୍ର ଜିଲ୍ଲାରେ ଚର୍ଚ୍ଚା ହେଉଛି । ଏହି ଯୋଜନାରେ ଏଜେନ୍ସି ମାନଙ୍କ ଚୟନ ପ୍ରକ୍ରୀୟା ସ୍ୱତନ୍ତ୍ର ଥିବା ବେଳେ ସେସବୁ କେବଳ ନାମକୁ ମାତ୍ର ହୋଇପଡିଥିବା ଜଣାପଡୁଛି । ପ୍ରୟ ପ୍ରତ୍ୟେକ ରାସ୍ତାରେ ପାଂଚ ବର୍ଷ ପାଇଁ ରକ୍ଷଣା ବେକ୍ଷଣ କରାଯିବାର ବ୍ୟବସ୍ଥା ଥିବା ବେଳେ ତାହାର ସୁଯୋଗ ନେଇ ଠିକାଦାର-ଯନ୍ତ୍ରୀ ମାନଙ୍କ ମଧୂଚନ୍ଦ୍ରିକା ଯୋଗୁଁ ରାସ୍ତା କାମ ଶେଷ ନହେଉଣୁ ରାସ୍ତାର ରକ୍ଷଣା ବେକ୍ଷଣ କାମ ଆରମ୍ଭ ହେଉଥିବା ଦେଖାଯାଇଥାଏ । ଅନ୍ୟ ପକ୍ଷରେ ଅତୀତରେ ଏହି ଭବାନୀପାଟଣା ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ଜନୈକ ଠିକାଦାର ଟିଡିଆରରେ ଚଂଚକତା କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଜିଲ୍ଲାର ଅପହଂଚ ଇଲାକା ଏବଂ ପାହାଡିଆ ଜଙ୍ଗଳ ମଧ୍ୟରେ ହେଉଥିବା ପ୍ରଧାନମନ୍ତ୍ରୀ ସଡକ ଗୁଡିକ ତଦାରଖ ଅଭାବରୁ ନିମ୍ନ ମାନର କାର୍ଯର୍ କରାଯାଉଥିବା ଅଭିଯୋଗ ହୋଇଆସୁଥିଲେହେଁ ସେସବୁ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଗତ କିଛି ଦିନ ତଳେ ଲାଞ୍ଜିଗଡ ଅଂଚଳରେ ଜନୈକ ଠିକାଦାର ଅଜଣା ଲୋକଙ୍କ ଚକ୍ଷୁଶୂଳ ହୋଇ ଆତତାୟୀ ଗୁଳିର ଶୀକାର ହୋଇଥିବା ଭଲି ଘଟଣାମାନ ମଧ୍ୟ କଳାହାଣ୍ଡିରେ ଘଟିସାରିଛି । ଅନ୍ୟ ପକ୍ଷରେ ଏହି ବିଭାଗର ଯନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ସଡକ ଭଲି ଗୁରୁତ୍ୱ ପୂର୍ଣ୍ଣ ରାସ୍ତା କାର୍ଯ୍ୟର ତଦାରଖ ଠିକ ଭାବେ କରୁନଥିବା ଅଭିଯୋଗ ହେଉଛି ।
ଏହି ଡିଭିଜନ ଅଧିନସ୍ଥ ଜୁନାଗଡ ସବଡିଭିଜନ ଅଧିନରେ ଜୁନାଗଡ ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ପରିଆ ଗାଁ ପର୍ଯ୍ୟନ୍ତକୁ ୨.୩ କି.ମି. ରାସ୍ତାକୁ ୧ କୋଟି ୫୩.୫୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ଚାଲୁ ରହିଛି । କାମ ପାଇଥିବା ସ୍ୱତନ୍ତ୍ର ଶ୍ରେଣୀର ଠିକାଦାର ଜଣକ ଦାୟୀତ୍ୱ ନେବା ଠାରୁ ଅତ୍ୟନ୍ତ ମନ୍ଥର ଗତିରେ କାମ କରୁଥିବା ହେତୁ ଏବଂ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଅଣଦେଖା ହେତୁ ଅତ୍ୟନ୍ତ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଛି । ଗତ ୧୯.୧୧.୨୦୧୭ ରେ ଏହି ରାସ୍ତା କାମ ଆରମ୍ଭ ହୋଇ ଗତ ୧୮.୦୭.୨୦୧୮ ରେ ଶେଷ ହେବା କଥା । ହେଲେ ଅଦ୍ୟାବଧି ଉକ୍ତ କାର୍ଯ୍ୟର ଅଧାଅଧି କାର୍ଯ୍ୟ ଶେଷ ହୋଇପାରିନାହିଁ । ପରିଆ ଗାଁ ଭିତରେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ସେସବୁ କଂକ୍ରିଟ ଫାଟି ଗଲାଣି । ଗାଁ ନିକଟରେ ଥିବା ପୋଳ ପାଖରେ ନିର୍ମାଣ ହୋଇଥିବା ଗାର୍ଡୱାଳରେ ମଧ୍ୟ ଫାଟ ସୃଷ୍ଟି ହୋଇଥିବାରୁ ଏହାର ସ୍ଥାୟୀତ୍ୱ ପ୍ରତି ସନେ୍ଦହ ପ୍ରକାଶ ପାଇବାରେ ଲାଗିଛି । କଂକ୍ରିଟ କାର୍ଯ୍ୟରେ ବାଲି,ସିମେଂଟ,ଗେଟି ଇତ୍ୟାଦିର ଅନୁପାତ ଠିକ ଭାବେ ଦିଆଯାଇନଥିବାରୁ ଅତ୍ୟନ୍ତ ନିମ୍ନ ମାନର କଂକ୍ରିଟ କାର୍ଯ୍ୟ ହୋଇଥିଭା ଅଭିଯୋଗ ହେଉଛି । ବିଭାଗୀୟ ଯନ୍ତ୍ରୀଙ୍କ ତଦାରଖରେ ଅଭାବ ଏବଂ ଠିକାଦାରଙ୍କ ଲାଭଖୋର ମନୋଭାବ ହେତୁ ଏଭଲି ଭାବେ ନିମ୍ନ ମାନର ରାସ୍ତା କାମ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ଯେଉ ଉଦେ୍ଦଶ୍ୟ ନେଇ ସରକାର ପ୍ରଧାନମନ୍ତ୍ରୀ ସଡକ ଯୋଜନା ପ୍ରଣୟନ କରିଛନ୍ତି ସେହି ଯୋଜନା ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ-ଠିକାଦାରଙ୍କ ଏଭଲି ମଧୁଚନ୍ଦ୍ରିକା ଯୋଗୁଁ ତାହାର ସଫଳ ରୂପାୟନ ହୋଇପାରୁନଥିବା ଅଭିଯୋଗ ହେଉଛି । ଜୁନାଗଡ ପରିଆ ଗ୍ରାମର ପ୍ରଧାନମନ୍ତ୍ରୀ ସଡକ ଯୋଜନା ଏକ ଉଦାହରଣ ହୋଇଥିବା ବେଳେ ଏଭଲି ପ୍ରାୟ ସବୁଯାକ ପ୍ରଧାନମନ୍ତ୍ରୀ ସଡକ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି । କଳାହାଣ୍ଡିର ପ୍ରଧାନମନ୍ତ୍ରୀ ସଡକ ଗୁଡିକ ସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ସବୁ ପଦାକୁ ଆସିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇବାରେ ଲାଗିଛି ।

Leave a Reply

Your email address will not be published. Required fields are marked *