ପ୍ରଧାନମନ୍ତ୍ରୀଙ୍କ ଭାଷଣର ଗୋଟିଏ ଶବ୍ଦରେ ବି ମିଥ୍ୟା ନାହିଁ ଏବଂ ସବୁ ସତ୍ୟ ଓ ତଥ୍ୟ ଉପରେ ଆଧାରିତ : ବିଜେପି

– ମହାନଦୀର ୫୦ ଭାଗରୁ ଅଧିକ ପାଣି ସମୁଦ୍ରକୁ ଚାଲି ଯାଉଛି ଏହା ମିଥ୍ୟା ନ ସତ୍ୟ ?
– ଦୀର୍ଘ ଦିନ ଶାସନ କ୍ଷମତାରେ ରହିଥିବା ବିଜେଡି ସରକାର ମହାନଦୀରୁ ଜଳ ସୁପ୍ରବନ୍ଧନ କରିବାରେ ବିଫଳ ହୋଇଛି ଏହା ମିଥ୍ୟା ନା ସତ୍ୟ ?
– ରାଜ୍ୟ ସରକାରଙ୍କର ଅପାରଗତା କାରଣରୁ ରାଜ୍ୟର ଗରୀବ ଓ ଚାଷୀଙ୍କ କାମରେ ମହାନଦୀର ପାଣି ଆସୁ ନାହିଁ
– ଦୀର୍ଘ ଦିନ ଧରି ଲୋଅର ଇନ୍ଦ୍ର ସମେତ ଅନେକ ଜଳ ସେଚନ ପ୍ରକଳ୍ପ ସମ୍ପୂର୍ଣ ହେବା ବଦଳରେ ପଡି ରହିଛି ଏହା ସତ୍ୟ ନା ମିଥ୍ୟା ?
– କେନ୍ଦ୍ର ସରକାରଙ୍କ ଦ୍ୱାରା ନିଶ୍ଚିତ ସମୟସୀମା ମଧ୍ୟରେ ରାୟ ପ୍ରକାଶ ପାଇଁ ପ୍ରସ୍ତାବିତ ଏକକ ଟ୍ରିବ୍ୟୁନାଲକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରି ନ ଥିଲେ ନା ନାହିଁ ି?
– ଦେଶର ୯୯ଟି ଜଳସେଚନ ପ୍ରକଳ୍ପ ମଧ୍ୟରୁ ଓଡିଶାରେ ଥିବା ୮ଟି ପ୍ରକଳ୍ପର କାମକୁ କେନ୍ଦ୍ର ସରକାର ନିଜ ମୁଣ୍ଡକୁ ଆର୍ଥିକ ଦାୟିତ୍ୱ ନେଇ ପୂରଣ କରିବାକୁ ଚାହୁଁଛି
– ୧୧୭ ବିଧାୟକ ଓ ୨୯ ସାଂସଦ ପ୍ରଧାନମନ୍ତ୍ରୀଙ୍କ ପାଖକୁ ମହାନଦୀ ସମସ୍ୟା ନେଇ ଯିବାକୁ କାହିଁକି ଉଚିତ ମନେ କରି ନାହାନ୍ତି ?
– ମୁଖ୍ୟମନ୍ତ୍ରୀ ଟଲ ମ୍ୟାନ ପୁସ୍ତକକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଳାପ ଆଲୋଚନା କରି ଥିଲେ ମଧ୍ୟ ସେତେବେଳେ ମହାନଦୀ ପ୍ରସଙ୍ଗ କାହିଁକି ଉଠାଇ ନ ଥିଲେ ?
– ବିଜେଡିର ଅର୍ଜୁନ ସେଠୀ ଜଳ ସମ୍ପଦ ମନ୍ତ୍ରୀ ଥିବା ବେଳେ ଓଡିଶାର ନଦୀ ଜଳ ସମସ୍ୟା ଓ ଓଡିଶାକୁ ନୂଆ ଜଳ ସେଚନ ପ୍ରକଳ୍ପ ପାଇଁ କିଛି ଉଦ୍ୟମ କାହିଁକି କରି ନ ଥିଲେ ?
– ବିଜେଡି ଜନ ଆନ୍ଦୋଳନ ବେଳେ ଲୋକ ମାନଙ୍କୁ ପିଇବା ପାଣି ମିଳିବ ନାହିଁ ଓ ଓଡିଶା ଅଧା ମରୁଭୂମି ହୋଇ ଯିବ ବୋଲି ଭୟ ଓ ଆତଙ୍କ ସୃଷ୍ଟି କରୁଥିବା ବେଳେ ୨୦୧୭ ପରେ ସରକାର ଅଧିକ ଶିଳ୍ପ ସଂସ୍ଥାକୁ ମହାନଦୀ ପାଣି କାହିଁକି ଦେଉଛନ୍ତି ?

ଭୁବନେଶ୍ୱର, ତା.୩୦/୦୫(ଓଡ଼ିଆ ପୁଅ): ବିଜେଡି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲି ଯାତ୍ରା ପଡିଆ ଭାଷଣକୁ ମିଥ୍ୟା ତଥ୍ୟା ଉପରେ ଆଧାରିତ ବୋଲି ଅଭିଯୋଗ କରା ଯାଉଛି ଓ ପ୍ରଧାନମନ୍ତ୍ରୀଙ୍କ ଭାଷଣର ଗୋଟିଏ ଶବ୍ଦରେ ବି ମିଥ୍ୟା ନାହିଁ ଏବଂ ସବୁ ସତ୍ୟ ଓ ତଥ୍ୟ ଉପରେ ଆଧାରିତ ବୋଲି ବିଜେପି ପକ୍ଷରୁ ପ୍ରକାଶ କରାଯାଇଛି।

ବିଜେପି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ଯେ, ମହାନଦୀର ୫୦ ଭାଗରୁ ଅଧିକ ପାଣି ସମୁଦ୍ରକୁ ଚାଲି ଯାଉଛି, ଏହା ମିଥ୍ୟା କି ସତ୍ୟ? ସେ କହିଛନ୍ତି ଯେ ଦୀର୍ଘ ଦିନ ଶାସନ କ୍ଷମତାରେ ରହିଥିବା ବିଜେଡି ସରକାର ମହାନଦୀରୁ ଜଳ ସୁପ୍ରବନ୍ଧନ କରିବାରେ ବିଫଳ ହୋଇଛି ଏହା ମିଥ୍ୟା କି ସତ୍ୟ ଏହାର ଜବାବ ବିଜେଡି ଦେବା ଆବଶ୍ୟକ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ଅପାରଗତା କାରଣରୁ ରାଜ୍ୟର ଗରୀବ ଓ ଚାଷୀଙ୍କ କାମରେ ମହାନଦୀର ପାଣି ଆସୁ ନାହିଁ ଏହା ମିଥ୍ୟା କି ସତ୍ୟ, ତାର ଜବାବ ବିଜେଡି ଦେଉ। ଦୀର୍ଘ ଦିନ ଧରି ଲୋଅର ଇନ୍ଦ୍ର ସମେତ ଅନେକ ଜଳ ସେଚନ ପ୍ରକଳ୍ପ ସମ୍ପୂର୍ଣ ହେବା ବଦଳରେ ପଡି ରହିଛି ଏହା ସତ୍ୟ ନା ମିଥ୍ୟା ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ନିଶ୍ଚିତ ସମୟସୀମା ମଧ୍ୟରେ ରାୟ ପ୍ରକାଶ ପାଇଁ ପ୍ରସ୍ତାବିତ ଏକକ ଟ୍ରିବ୍ୟୁନାଲକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରି ନ ଥିଲେ କି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

ଦେଶର ୯୯ଟି ଜଳସେଚନ ପ୍ରକଳ୍ପ ମଧ୍ୟରୁ ଓଡିଶାରେ ଥିବା ୮ଟି ପ୍ରକଳ୍ପର କାମକୁ କେନ୍ଦ୍ର ସରକାର ନିଜ ମୁଣ୍ଡକୁ ଆର୍ଥିକ ଦାୟିତ୍ୱ ନେଇ ପୂରଣ କରିବାକୁ ଚାହୁଁଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ମହାନଦୀ ବିବାଦ ଆରମ୍ଭ ହେବା ୨୦୧୬ ପର୍ଯ୍ୟନ୍ତ ବିଧାନସଭା ଭିତରେ ଓ ବାହାରେ ସରକାରଙ୍କ ତରଫରୁ ଯାହା ବକ୍ତବ୍ୟ ରଖା ଯାଇଥିଲା ଖୋଦ ମୁଖ୍ୟମନ୍ତ୍ରୀ ଏହି ବକ୍ତବ୍ୟ ଗୁଡିକ ସତ୍ୟ ନା ମିଥ୍ୟା ତାହା ସ୍ପଷ୍ଟ କରିବେ କି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

୧୧୭ ବିଧାୟକ ଓ ୨୯ ସାଂସଦ ପ୍ରଧାନମନ୍ତ୍ରୀଙ୍କ ପାଖକୁ ମହାନଦୀ ସମସ୍ୟା ନେଇ ଯିବାକୁ କାହିଁକି ଉଚିତ ମନେ କରି ନାହାନ୍ତି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଟଲ ମ୍ୟାନ ପୁସ୍ତକକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଳାପ ଆଲୋଚନା କରି ଥିଲେ ମଧ୍ୟ ସେତେବେଳେ ମହାନଦୀ ପ୍ରସଙ୍ଗ କାହିଁକି ଉଠାଇ ନ ଥିଲେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

କେନ୍ଦ୍ରରେ ବିଜେଡିର ଅର୍ଜୁନ ସେଠୀ ଜଳ ସମ୍ପଦ ମନ୍ତ୍ରୀ ଥିବା ବେଳେ ଓଡିଶାର ନଦୀ ଜଳ ସମସ୍ୟା ଓ ଓଡିଶାକୁ ନୂଆ ଜଳ ସେଚନ ପ୍ରକଳ୍ପ ପାଇଁ କିଛି ଉଦ୍ୟମ କରି ନ ଥିଲେ କାହିଁକି ଏହାର ଉତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ସେ କହିଛନ୍ତି।

ଛତିଶଗଡ ଶିଳ୍ପକୁ ପାଣି ଦେଉଛି ବୋଲି ଅଭିଯୋଗ କରୁଥିବା ବିଜେଡି ସରକାର ୨୦୧୬ ମସିହାରେ ୩୭୬ ଶିଳ୍ପ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନକୁ ନଦୀରୁ ପାଣି ଯୋଗାଉଥିଲେ।

ବିଜେଡି ଜନ ଆନ୍ଦୋଳନ ବେଳେ ଲୋକ ମାନଙ୍କୁ ପିଇବା ପାଣି ମିଳିବ ନାହିଁ ଓ ଓଡିଶା ଅଧା ମରୁଭୂମି ହୋଇ ଯିବ ବୋଲି ଭୟ ଓ ଆତଙ୍କ ସୃଷ୍ଟି କରୁଛି। ତେବେ ମହାନଦୀ ବିବାଦ ସାମନାକୁ ଆସିବା ପରେ ରାଜ୍ୟ ସରକାର ଆହୁରି ଅଧିକ ଶିଳ୍ପ ସଂସ୍ଥା ମାନଙ୍କୁ ପାଣି ଦେବା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

୨୦୧୭ ନଭେମ୍ବର ସୁଦ୍ଧା ଏହା ବଢି ୫୦୬ ଏହି ପରି ସଂସ୍ଥାକୁ ପାଣି ଯୋଗାଇଥିବା ବିଧାୟକ ରବି ନାୟକଙ୍କ ପ୍ରଶ୍ନର ଉତରରେ ଖୋଦ ମୁଖ୍ୟମନ୍ତ୍ରୀ ଲିଖିତ ଭାବେ ଜଣାଇଛନ୍ତି। ଏହା ସତ୍ୟ ଏବଂ ତଥ୍ୟ ଉପରେ ଆଧାରିତ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *