ଅନୁଗୋଳ ୭-୯ (ଓଡ଼ିଆ ପୁଅ/ଅଜିତ୍ ବେହେରା) ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ଆସନ୍ତା ସେପ୍ଟେମ୍ବର ୨୨ରେ ମୋଦିଙ୍କ ଓଡିଶା ଗସ୍ତ କାଳରେ ଏହାର ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ଦିନ ୧୧, ୬୦୦ କୋଟି ବ୍ୟୟରେ ତାଳଚେର ସାର କାରଖାନାର ନବୀକରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ତେବେ ମୋଦୀଙ୍କ ଗସ୍ତ ପୂର୍ବରୁ ଆଜି କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେବାକୁ ଥିବା ଶିଳାନ୍ୟାସ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସୂଚନାଯୋଗ୍ୟ, କୋଲ ଗ୍ୟାସିଫିକେସନ୍ ପ୍ରକ୍ରିୟାରେ ନବୀକରଣ ହେଉଥିବା ତାଳଚେର ସାର କାରଖାନାରୁ ବାର୍ଷିକ ୧୨ଲକ୍ଷ ୭୦ହଜାର ଟନ୍ ୟୁରିଆ, ଗ୍ୟାସ, ମିଥାନେଲ ଆଦି ଉତ୍ପାଦନ ହେବ। ପ୍ରଧାନମନ୍ତ୍ରୀ ଏଠାରେ ପ୍ରଥମେ ପ୍ଲାଣ୍ଟର ଶିଳାନ୍ୟାସ କରିବାପରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବାର ଖବର ରହିଥିବାବେଳେ ଆଜି କେନ୍ଦ୍ରମନ୍ତ୍ରୀଙ୍କ ପରିଦର୍ଶନ ବେଳେ ଆଇ.ଜି ଯଶମନ୍ତ ମଠୁଆ, ଡିଆଇଜି ନରସିଂହ ଭୋଳ, ଏସ.ପି ମିତ୍ରଭାନୁ ମହାପାତ୍ର, ଜିଲ୍ଲାପାଳ ଅନୀଲ କୁମାର ସାମଲ, ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ, ଏସଡିପିଓ ହେମନ୍ତ ପଣ୍ଡା, ଏମ ସିଏଲ କର୍ତ୍ତୃପକ୍ଷ, ଗେଲ, ଏଫସିଆଇ କର୍ତ୍ତୃପକ୍ଷ, ବିଜେପି ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏଵଂ ବହୁ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ।
