ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଟକରେ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଦୀର୍ଘ ୩୧ ବର୍ଷ ପରେ କଟକକୁ ଦେଶର ପ୍ରଧାନମନ୍ତ୍ରୀ ଆସିବା ଗର୍ବର ବିଷୟ : ଧର୍ମେନ୍ଦ୍ର ପ୍ରଧାନ

– କଂଗ୍ରେସ ଓଡିଶାରେ କୁମାରସ୍ୱାମୀ ତିଆରି କରିବାକୁ ଚାହୁଁଛି
– ମହାନଦୀ ନେଇ ବିଜେଡିର ମୁହଁ ଦୀର୍ଘ ଦିନ କିଏ ଚୁପ୍ କରିଥିଲା ବୋଲି ପାଲଟା ପ୍ରଶ୍ନ
– ୧୮ ବର୍ଷରେ ବିଜେଡି ସରକାର କାହିଁକି ପଦକ୍ଷେପ ନେଇ ପାରିଲା ନାହିଁ ତାର ଉତର ଦାୟିତ୍ୱ ରାଜ୍ୟ ସରକାରଙ୍କୁ ନେବାକୁ ପଡିବ
– ପ୍ରଧାନମନ୍ତ୍ରୀ କାହାର ଅଭିଯୋଗର ଉତର ଦେବାକୁ ଆସିନାହାନ୍ତି, ଉତରଦାୟିତ୍ୱ ନିର୍ବାହନ କରି ୪ ବର୍ଷ ଶାସନର ହିସାବ ଦେଶବାସୀଙ୍କୁ ଦେବା ପାଇଁ ଆସିଛନ୍ତି
– ମୋଦିଙ୍କ ବିରୁଦ୍ଧରେ ସବୁ ବିରୋଧୀ ଏକାଠି ହେବାର ସଙ୍କେତ କର୍ଣ୍ଣାଟକରୁ ମିଳିବା ପରିପ୍ରେକ୍ଷୀରେ ପରାଜିତ ଓ ହତାଶ୍ ଲୋକମାନେ ଏକାଠି ହୋଇଛନ୍ତି ବୋଲି ମତ ରଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର/କଟକ, ୨୫ ମଇ (ଓଡ଼ିଆ ପୁଅ) – ଦୀର୍ଘ ୩୧ ବର୍ଷ ପରେ କଟକକୁ ଦେଶର ପ୍ରଧାନମନ୍ତ୍ରୀ ଆସିବା ହଜାରେ ବର୍ଷର ସାଂସ୍କୃତିକ ସହର କଟକ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋଦିଙ୍କ ଓଡିଶା ଗସ୍ତର ଗୋଟିଏ ଦିନ ପୂର୍ବରୁ ଦ୍ୱିତୀୟ ଥର ପାଇଁ କଟକ ଯାଇ ଆୟୋଜନର ସମୀକ୍ଷା କରିବା ପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଓଡିଶା ଆଗମନ କଟକ ଓ ଓଡିଶା ପାଇଁ ଅନେକ ଶୁଭ ସମ୍ଭାବନା ଆଣିବ ବୋଲି ସେ କହିଛନ୍ତି।

ମୋଦି ସରକାରଙ୍କ ୪ ବର୍ଷ ପୂର୍ତିରେ କଂଗ୍ରେସ ବିଶ୍ୱାସଘାତ ଦିବସ ପାଳନ କରୁଥିବା ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ କଂଗ୍ରେସ କୁମାରସ୍ୱାମୀ ଖୋଜିବାରେ ବ୍ୟସ୍ତ ଅଛି।

ମହାନଦୀକୁ ନେଇ ବିଜେଡିର ପ୍ରତିବାଦର ଦୃଢ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ରାଜ୍ୟ ସରକାରଙ୍କ ମୁହଁକୁ ସିଡବ୍ଲୁସିରେ କିଏ ବନ୍ଦ କରିଥିଲା ବୋଲି ଶ୍ରୀ ପ୍ରଧାନ ପାଲଟା ପ୍ରଶ୍ନ କରିଛନ୍ତି। ବିଧାନସଭା ଭିତରେ ମହାନଦୀର ଜଳ ପ୍ରବାହରେ ଆଦୌ ସମସ୍ୟା ନଥିବା ଉତର ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ବାହାରିଥିଲା କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ମହାନଦୀକୁ ନେଇ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଥିବା ମୁଖ୍ୟମନ୍ତ୍ରୀଙ୍କ ବୟାନ ସମ୍ବନ୍ଧୀୟ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାନଦୀକୁ ନେଇ କୁମ୍ଭୀର କାନ୍ଦଣା କିଏ କାନ୍ଦୁଛି, ଓଡିଶାର ଲୋକ ଭଲ ଭାବେ ଜାଣିଛନ୍ତି ଓ ସେମାନେ ଏହାର ସଠିକ୍ ଉତର ଦେବେ। ମହାନଦୀ ସମେତ ଓଡିଶାର ନଦୀ ମାନଙ୍କରେ ଜଳ ସଂରକ୍ଷଣ ପାଇଁ ୧୮ ବର୍ଷରେ ବିଜେଡି ସରକାର କାହିଁକି ପଦକ୍ଷେପ ନେଇ ପାରିଲା ନାହିଁ ତାର ଉତର ଦାୟିତ୍ୱ ରାଜ୍ୟ ସରକାରଙ୍କୁ ନେବାକୁ ପଡିବ।

ଶ୍ରୀ ପ୍ରଧାନ କହିଛନ୍ତି ନଦୀ ନେଇ ପ୍ରଧାନମନ୍ତ୍ରୀଙ୍କ ମତ ସ୍ପଷ୍ଟ। ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଜନସଭାରେ ଭାଷଣକୁ ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଛନ୍ତି ଉତର ପ୍ରଦେଶ ପରେ ଓଡିଶା ଜଳସମ୍ପଦରେ ସବୁଠାରୁ ସମୃଦ୍ଧ ରାଜ୍ୟ। ମାତ୍ର ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ମହାନଦୀ ସମେତ ଓଡିଶାର ଅନ୍ୟାନ୍ୟ ନଦୀର ବୁନ୍ଦେ ଜଳକୁ ସଂରକ୍ଷଣ କରିବାରେ ବିଫଳ ୧୮ ବର୍ଷର ନବୀନ ସରକାର ନିଜର ଅପାରଗତା ଲୁଚାଇବା ପାଇଁ ଡ୍ରାମା କରୁଛି।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ କାହାର ଅଭିଯୋଗର ଉତର ଦେବାକୁ ଆସିନାହାନ୍ତି। ସେ ନିଜର ଉତରଦାୟିତ୍ୱ ନିର୍ବାହନ କରି ଓଡିଶାରୁ ତାଙ୍କର ୪ ବର୍ଷ ଶାସନର ହିସାବ ଦେଶବାସୀଙ୍କୁ ଦେବା ପାଇଁ ଆସିଛନ୍ତି।

ଦେଶରେ ମୋଦିଙ୍କ ବିରୁଦ୍ଧରେ ସବୁ ବିରୋଧୀ ଦଳ ଏକାଠି ହେବାର ସଙ୍କେତ କର୍ଣ୍ଣାଟକରୁ ମିଳିବା ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ କହିଛନ୍ତି ପରାଜିତ ଓ ହତାଶ୍ ଲୋକମାନେ ଏକାଠି ହୋଇଛନ୍ତି। ହ୍ୱାଟସ୍ ଆପ୍ ରେ ଏକ ଭିଡିଓ ବୁଲୁଥିବା କଥା ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଛନ୍ତି ପରୀକ୍ଷା ପରେ ୯୯ ନମ୍ବର ରଖିଥିବା ଛାତ୍ର ଠାରୁ ୩୦/୪୦ ନମ୍ବର ରଖିଥିବା କିଛି ଛାତ୍ର ନମ୍ବର ମିଶାଇ ସେମାନଙ୍କ ନମ୍ବର ଅଧିକ ବୋଲି ଦାବି କରିବା ପରି ବିରୋଧୀ ମେଂଟ ନିଜର ଶକ୍ତିକୁ ବଡ କହୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଲୋକସଭାରୁ ଲଢିବା ନେଇ ଜାତୀୟ ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ଖବର ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ କେଉଁଠାରୁ ନିର୍ବାଚନ ଲଢିବେ ତାର ନିର୍ଣ୍ଣୟ ପାର୍ଲାମେଂଟାରୀ ବୋର୍ଡ ନେବ। ମାତ୍ର ମୋଦି ମହାପ୍ରଭୂ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ଓ ପୁରୀ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *