ଭୁବନେଶ୍ୱର ୯.୯ (ଓଡ଼ିଆ ପୁଅ) – ଆଜି ଓଡିଶା ପ୍ରଦେଶ କଂଗ୍ରେସ ସେବାଦଳର ରାଜ୍ୟ କର୍ମକର୍ତା ଓ ଜିଲ୍ଲା ମୁଖ୍ୟ ସଂଗଠକ ଓ ସଂଗଠିକାମାନଙ୍କର ଏକ ବୈଠକ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ସେବାଦଳ ମୁଖ୍ୟ ସଂଗଠକ ଶ୍ରୀ ବିରେନ୍ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିଖିଳ ଭାରତ କଂଗ୍ରେସ ସେବାଦଳ ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ଚନ୍ଦ୍ର ପ୍ରକାଶ ବାଜପେୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେବାଦଳ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ। ସେଥିନିମନ୍ତେ ପଂଚାୟତ ସ୍ତରରେ ଥିବା ସେବାଦଳର କର୍ମୀମାନେ ଉତ୍ସର୍ଗୀକୃତ ମନୋଭାବ ରଖି କାର୍ଯ୍ୟ କରିବା ଦରକାର। ସେବାଦଳ ସଂଗଠନ ପ୍ରତି ଦଳୀୟ ନେତୃବୃନ୍ଦଙ୍କ ସହଯୋଗ ରହିବା ଆବଶ୍ୟକ ବୋଲି ଶ୍ରୀ ବାଜପେୟୀ ପ୍ରକାଶ କରିଥିଲେ।
ଏହି ବୈଠକରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ସେବାଦଳ ସଂଗଠନକୁ ମଜବୁତ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ। ଜିଲ୍ଲା ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଯାଇ ପ୍ରତ୍ୟେକ ବୁଥ୍ ପାଇଁ ଦୁଇ ଜଣ ଲେଖାଏଁ ସେବାଦଳ କର୍ମୀଙ୍କୁ ଚୟନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସେବାଦଳ ମୁଖ୍ୟ ସଂଗଠକ ଶ୍ରୀ ବିରେନ୍ ମୋହନ ପଟ୍ଟନାୟକ କହିଲେ ଯେ ସେବାଦଳର କର୍ମୀମାନେ ନିଜ ନିଜ କ୍ଷେତ୍ରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଚଳିତ ବର୍ଷ ନିର୍ବାଚନ ବର୍ଷ ହୋଇଥିବାରୁ କିଛି ବିଧାନସଭା କ୍ଷେତ୍ରରେ ସେବାଦଳର ନେତୃବୃନ୍ଦଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେବାକୁ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ସେ ଅନୁରୋଧ କରିଥିଲେ।
ଏହି ବୈଠକରେ ବହୁ କର୍ମକର୍ତା ଓ ଜିଲ୍ଲା ସଂଗଠକ / ସଂଗଠିକାମାନେ ସେବାଦଳ ସଂଗଠନକୁ ସୁଦୃଢ଼ କରିବାକୁ ଉପାଦେୟ ପରାମର୍ଶମାନ ଦେଇଥିଲେ। ଶ୍ରୀ ରାମପ୍ରସାଦ ଜୟସ୍ୱାଲ ଓ ଶ୍ରୀ ଜ୍ୟୋତିଷ କୁମାର ସାହୁ ସଭା ପରିଚାଳନା କରିଥିଲେ। ମହିଳା ସଂଗଠିକା ଉଷାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
