ପ୍ରଦେଶ କଂଗ୍ରେସ କମିଟି ଆସନ୍ତା ୮ ତାରିଖରେ କଳାଦିବସ ପାଳନ କରିବ

ଭୁବନେଶ୍ୱର ତା. ୬.୧୧(ଓଡ଼ିଆ ପୁଅ) – କେନ୍ଦ୍ରରେ ଏନ୍.ଡି.ଏ. ସରକାରର ନେତୃତ୍ୱ ନେଉଥିବା ନରେନ୍ଦ୍ର ମୋଦି ନିଜର ରାଜନୈତିକ ସ୍ୱାର୍ଥ ସାଧନ ନିମନ୍ତେ ଶିଳ୍ପପତି ଓ ଧନୀକ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତା ୮.୧୧.୨୦୧୬ ରିଖରେ କରିଥିବା ବିମୁଦ୍ରୀକରଣ (ନୋଟ୍ବନ୍ଦୀ)ର ଏକ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି। ଯାହାଦ୍ୱାରା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇ ଏହାର କୁପ୍ରଭାବରେ ସାଧାରଣ ଜନତା ଅତିଷ୍ଠ ହୋଇଛି। ଶିଳ୍ପ କ୍ଷେତ୍ରରେ ଉତ୍ପାଦନ ହ୍ରାସ ପାଇଛି, ନିଯୁକ୍ତି ସଂକୁଚିତ ହୋଇଛି, ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଛି। ଭାରତୀୟ ଜାତୀୟ କଂଗ୍ରେସ ସହିତ ତୃଣମୂଳ କଂଗ୍ରେସ, ସିପିଆଇ, ସିପିଏମ୍, ଫରୱାର୍ଡ ବ୍ଲକ, ବହୁଜନ ସମାଜ ପାର୍ଟି ପ୍ରଭୃତି ୧୮ଟି ରାଜନୈତିକ ଦଳ ଓ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଏହି ନୋଟ୍ ବନ୍ଦୀକୁ ମହାଦୁର୍ନୀତି (Big Scam) ବୋଲି କହିଛନ୍ତି ଏବଂ ଆସନ୍ତା ନଭେମ୍ବର ୮ ତାରିଖ ଦିନକୁ ସମସ୍ତ ବିରୋଧୀ ଦଳ କଳାଦିବସ ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ପ୍ରତିବାଦ, ବିକ୍ଷୋଭ ସମାବେଶ ଦ୍ୱାରା ଏହି “କଳାଦିବସ” (Black Day) ପାଳନ କରିବ। ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆସନ୍ତା ୮ତାରିଖ ଦିବା ୧୦.୩୦ ମି. ସମୟରେ ଏକ ବିଶାଳ ର୍ୟାଲି କଂଗେସ ଭବନରୁ ବାହାରି ରାମମନ୍ଦିର, ହାଉସିଂବୋର୍ଡ ଛକ ଦେଇ ରିଜର୍ଭବ୍ୟାଙ୍କ ଆଗରେ ପହଞ୍ଚିବ। ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ସେହିଦିନ ସଂଧ୍ୟା ଘ. ୫.୩୦ମି. ସମୟରେ ମାଷ୍ଟର କ୍ୟାଣ୍ଟିନ୍ ଛକଠାରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଏକ କ୍ୟାଣ୍ଡେଲ ର୍ୟାଲିର ଆୟୋଜିତ ହେବ ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ସୌଗତ ମହାନ୍ତି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *