ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ନଥିବାରୁ ଫେରୋ ଏଲୟ ଫର୍ଣ୍ଣେସ ସିଲ

ସମ୍ବଲପୁର, ୨୪/୮ (ଓଡ଼ିଆ ପୁଅ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲର ପଣ୍ଡଲୋଇ ଠାରେ ଥିବା ଶ୍ୟାମ ମେଟାଲିକ୍ସ କମ୍ପାନୀର ଫେରୋ ଏଲୟ ଫର୍ଣ୍ଣେସ ପ୍ଲାଣ୍ଟକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ କାର୍ଯ୍ୟକ୍ଷମ ଅନୁମତି ଦେବାକୁ ମନା କରିଦେଇଛି। ଏଠାରେ ସ୍ପଞ୍ଜ ଆଇରନ ଆଧାରିତ ଷ୍ଟିଲପ୍ଲାଣ୍ଟ ରହିଛି। ଏହାର ଉତ୍ପାଦନ ଓ ପରିଚାଳନା ପାଇଁ ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବୋର୍ଡ଼ର ଅନୁମତି ରହିଥିଲା। କିନ୍ତୁ ଏଥିପାଇଁ ବୋର୍ଡ଼ କର୍ତ୍ତୃପକ୍ଷ କେତୋଟି ସର୍ତ୍ତ ଆରୋପ କରିଥିଲେ। ହେଲେ ଏହାର ଏସଏମଏସ୍-୧, ୨, ୩ ଏବଂ ଏଫଏପିକୁ ୨୦୧୮-୧୯ ଅବଧି ପାଇଁ ବୋର୍ଡ଼ କର୍ତ୍ତୃପକ୍ଷ ମନା କରିଦେଇ୍ଥିଲେ। ସର୍ତ୍ତଗୁଡ଼ିକର କାର୍ଯ୍ୟକାରୀ ବାବଦରେ ଗତ ମଇ ୩ ତାରିଖରେ ଏକ ଚିଠି ବୋର୍ଡ଼ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ। ଏହାକୁ ଆଧାର କରି ଗତ ମଇ ୨୪ ତାରିଖରେ ଏବଂ ଜୁନ୍ ୧୬ ତାରିଖରେ ବାୟୁ ପ୍ରଦୂଷଣ ନେଇ ପ୍ଲାଣ୍ଟର ଏସଏମଏସ୍ ଏବଂ ଏଫଏପି ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ହେଲେ ଏଫଏପିରେ ବାୟୁ ପ୍ରଦୂଷଣ ନିୟମ ଏବଂ ନିୟନ୍ତ୍ରଣ ବାବଦରେ ବୁଷ୍ଟର କେନ୍ ଲଗାଯାଇ ନଥିବା ନେଇ ଜଣାପଡ଼ିବାରୁ ବୋର୍ଡ଼ କର୍ତ୍ତୃପକ୍ଷ କାରଖାନାର ଅନୁମତି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଏଥିସହିତ ପ୍ରଦୂଷଣ ନିୟନ୍ତ୍ରଣ ଆଇନର ନିୟମ ଅନୁଯାୟୀ ଫେରୋ ଏଲୟ ଫର୍ଣ୍ଣେସର ୨୍‌୬ ଏମଭିଏ ଏବଂ ଦ୍ୱିତୀୟ ୧୧ ଏମଭିଏକୁ ବନ୍ଦ କରିବା ପାଇଁ ବୋର୍ଡ଼ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୋର୍ଡ଼ର ଅଧିକାରୀମାନେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଜଉ ମୁଦ କରିଛନ୍ତି।

Leave a Reply

Your email address will not be published. Required fields are marked *