ପ୍ରଥମ ସତ୍ୟ ସ୍ୱରୂପ ସ୍ମାରକୀ ଟି ଟ୍ୱେଣ୍ଟି କ୍ରିକେଟ ଜେକେ ଅଲ୍ରାଉଣ୍ଡର ଓ ଚରମ୍ପା ଏକାଡେମୀ ବିଜୟୀ

ଭଦ୍ରକ, ୧୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଚରମ୍ପା ରେଲୱେ ଗ୍ରାଉଣ୍ଡରେ ଆଜିଠାରୁ ପ୍ରଥମ ବାର୍ଷିକ ସତ୍ୟ ସ୍ୱରୂପ ସ୍ମାରକୀ ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଉଦ୍ଘାଟନୀ ଦିବସରେ ୨ଟି ମ୍ୟାଚ ଖେଳା ଯାଇଥିଲା। ଗୋଟିଏରେ ବାଲେଶ୍ୱରର ଜେକେ ଅଲ୍ରାଉଣ୍ଡର ଦଳ ବିଜୟୀ ହୋଇଥିବା ବେଳେ ଅନ୍ୟଟିରେ ଚରମ୍ପା ଏକାଡେମୀ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ ପୂର୍ବରୁ ଟାଉନ ଥାନା ଆଇଆଇସି ମନୋଜ ରାଉତ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ କରିଥିଲେ। ଏହି ଅବସରରେ ସତ୍ୟ ସ୍ୱରୂପଙ୍କ ଆତ୍ମାର ସଦ୍ଗତି ପାଇଁ ଅତିଥି, ଖେଳାଳି, ଦର୍ଶକ ସମସ୍ତେ ନୀରବ ପ୍ରାର୍ଥନା କରି ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ। ଭଦ୍ରକ ଟାଉନ ଥାନାର ପୂର୍ବତନ ଆଇଆଇସି ତଥା ବର୍ତ୍ତମାନ କେନ୍ଦୁଝର ହେଡ୍କ୍ୱାଟର ଡିଏସପି ଥିବା ସୁରେଶ ଚନ୍ଦ୍ର ପାତ୍ରଙ୍କ କନିଷ୍ଠ ପୁତ୍ର ସତ୍ୟସୂରୂପ ଭଦ୍ରକ ମାଟି ସହିତ ଓତଃପ୍ରୋତ ଭାବେ ଜଡିତ ହେବା ସହିତ ତାଙ୍କ ସହପାଠୀମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଛାପ ଛାଡିଯାଇଥିବା ଅତିଥି ଶ୍ରୀ ରାଉତ କହିଥିଲେ। ସତ୍ୟ ସ୍ୱରୂପଙ୍କ ବଡଭାଇ ଡାକ୍ତର ଅବିନାଶ ପାତ୍ର ଯୋଗ ଦେଇ ଭଦ୍ରକବାସୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ପରେ ପ୍ରଥମ ମ୍ୟାଚ ବାଲେଶ୍ୱରର ଜେକେ ଅଲ୍ରାଉଣ୍ଡର କ୍ଳବ ଓ ଉଦଳା ୟୁନିକ ଏକାଦଶ ମଧ୍ୟରେ ଖେଳା ଯାଇଥିଲା। ବାଲେଶ୍ୱର ଦଳ ଟସ ଜିତି ନିର୍ଦ୍ଧାରିତ ୧୮ ଓଭରରେ ୭ ଉଇକେଟ ହରାଇ ୧୪୦ ରନ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଜୟ ପ୍ରଧାନ ୧୩ ବଲ୍ରେ ୩୧ ରନ ସଂଗ୍ରହ କରିଥିବା ବେଳେ ରୋନାଲ ଦାସ ୩୦ ଓ ବ୍ରଜ ମୋହନ ରାଉତ ୨୮ରନ ସଂଗ୍ରହ କରିଥିଲେ। ଉଦଳା ପକ୍ଷରୁ ଅନୁପ ପାଲ ୩ଟି ଓ ହୀତାଂଶୁ ଦାସ ୨ଟି ଉଇକେଟ ନେଇଥିଲେ। ଉଦଳା ୧୪୧ରନ ପିଛା କରି ୧୮ ଉଭରରେ ୯ ଉଇକେଟ ହରାଇ ୧୧୪ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଦଳ ୨୬ରନ ପରାଜିତ ହୋଇଥିଲା। ଦଳ ପକ୍ଷରୁ ଏକମାତ୍ର ଖେଳାଳି ସଞ୍ଜୟ ପରିଛା ୩୨ ରନ କରିଥିଲେ। ବାଲେଶ୍ୱର ପକ୍ଷରୁ ବୀରେନ୍ଦ୍ର ସିଂହ ଓ ନିର୍ବିଶଙ୍କର ବାରିକ ୨ଟି ଲେଖାଏ ଉଇକେଟ ନେଇଥିଲେ। ଅଜୟ ପ୍ରଧାନଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ମ୍ୟାଚଟି ଚରମ୍ପା ଏକାଡେମୀ ଓ ପାରାଦୀପ ସ୍ପୋର୍ଟ୍ସ କ୍ଳବ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଚରମ୍ପା ଏକାଡେମୀ ଟସ ଜିତି ପ୍ରଥମେ ବ୍ୟାଟଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୨୫ରନ କରିଥିଲା। ଦଳ ପକ୍ଷରୁ ବ୍ରଜେଶ୍ୱର ପୃଷ୍ଟି ୫୦, ମୃଣ୍ମୟ ତ୍ରିପାଠୀ ୧୮ ଓ ଅଜୟ ରାଉତ ୨୧ ରନ କରିଥିଲେ। ପାରାଦୀପ ପକ୍ଷରୁ ମନୀଷ ସିଂ ୩, ପ୍ରକାଶ ପଣ୍ଡା ଓ ଚିନ୍ମୟ ବିଶ୍ୱା ୨ଟି ଲେଖାଏ ଉଇକେଟ ନେଇଥିଲେ। ପରେ ବ୍ୟାଟିଂ କରି ପାରାଦୀପ ଦଳ ୨୦ ଓଭରରେ ୪ ଉଇକେଟ ହରାଇ ୧୦୪ ରନ କରି ମ୍ୟାଚକୁ ୨୧ରନରେ ହାରିଥିଲେ। ତେବେ ଦଳ ପକ୍ଷରୁ ମନିଷ ସିଂ ଧୈର୍ଯ୍ୟପୂର୍ଣ୍ଣ ୫୪ ରନ କରିଥିବା ବେଳେ ତୁଷାର କୁମାର ସାହୁ ୨୯ ରନ କରିଥିଲେ। ଚରମ୍ପା ପକ୍ଷରୁ ମୃଣ୍ମୟ ତ୍ରିପାଠୀ ୨ଟି ଓ ସଞ୍ଜିତ ଚୌଧୁରୀ ୧ଟି ଉଇକେଟ ନେଇଥିଲେ। ବ୍ରଜେଶ୍ୱର ପୃଷ୍ଟିଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଭୟ ମ୍ୟାଚର ପୁରସ୍କାରକୁ ଡାକ୍ତର ଅବିନାଶ ପାତ୍ର ପ୍ରଦାନ କରିଥିଲେ। ଦୁଇଟି ଯାକ ମ୍ୟାଚକୁ ଲଲାଟ କେଶରୀ ନନ୍ଦ ଓ ରଞ୍ଜନ ମହାନ୍ତି ଅମ୍ପାୟାର ଭାବେ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଅସିତ କୁମାର ଦାସ ଦାୟିତ୍ୱ ନିର୍ବାହ କରିଥିଲେ।

Leave a Reply

Your email address will not be published. Required fields are marked *