ପ୍ରତି ପଞ୍ଚାୟତରେ ଅତିକମ୍ରେ ଗୋଟିଏ ଖେଳପଡିଆ କରିବାକୁ ନିଦେ୍ର୍ଦଶ ଭଦ୍ରକ ଜିଲାରେ ଲକ୍ଷ୍ୟ ୨୧୮ରୁ ଶେଷ ହୋଇଛି ମାତ୍ର ୪

ଭଦ୍ରକ, ୧୪ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ରୋଜଗାର ଯୋଜନା ଅଧୀନରେ ପ୍ରତି ପଞ୍ଚାୟତରେ ଅତିକମ୍ରେ ଗୋଟିଏ କ୍ରୀଡାଙ୍ଗନ ନିର୍ମାଣ କରିବାକୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଦେଓରଞ୍ଜନ ସିଂ ଜିଲାପାଳ ଓ ପିଡିଙ୍କୁ ଚିଠି ଲେଖିଛନ୍ତି । ଏମପି ଲ୍ୟାଡ୍, ଏମଏଲଏ ଲ୍ୟାଡ୍, ଏସଏଫସି ଓ ସିଏଫସି ସହ ମନରେଗା ଯୋଜନା ମିଳିତ କରି ଏହି ଖେଳପଡିଆ ନିର୍ମାଣ କରିବାକୁ କୁହାଯାଇଛି । ଭଦ୍ରକ ଜିଲାରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ କରି ଅତିକମ୍ରେ ୨୧୮ଟି ଖେଳ ପଡିଆ ନିର୍ମାଣ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅଦ୍ୟାବଧି ମାତ୍ର ୨୪ଟି ଖେଳପଡିଆ ନିର୍ମାଣ ପାଇଁ ହାତକୁ ନିଆଯାଇଥିବା ବେଳେ ୪ଟି ନିର୍ମାଣ ଶେଷ ହୋଇଛି । ସମଗ୍ର ରାଜ୍ୟରେ ୬୮୦୧ ଖେଳ ପଡିଆ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଚଳିତ ବର୍ଷ ଫେବୃଆରୀ ସୁଦ୍ଧା ମାତ୍ର ୧୦୦୧ ଗୋଟି ନିର୍ମାଣ ଶେଷ ହୋଇଛି । ସୂଚନାଯୋଗ୍ୟ; ସରକାରୀ ବିଦ୍ୟାଳୟ ବା ପଞ୍ଚାୟତ ହେଡ୍କ୍ୱାର୍ଟରରେ ଏହି ଖେଳ ପଡିଆ ନିର୍ମାଣ କରାଯାଇପାରିବ । ସେହିରି କୌଣସି ସ୍ଥାନରେ ଖେଳପଡିଆ ଥିଲେ ତାହାର ଉନ୍ନୟନ କରାଯିବ ବା ନୂଆ ଖେଳପଡିଆ ମଧ୍ୟ ନିର୍ମାଣ କରାଯାଇପାରିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ବିଶେଷକରି ଫୁଟବଲ, ଭଲିବଲ, ବେଡ୍ମିଣ୍ଟନ, କବାଡି ଆଦି କ୍ରୀଡା ଏହି ଖେଳପଡିଆରେ ଅନୁଷ୍ଠିତ ହେବ । ଗ୍ରାମସଭା ଓ ପଞ୍ଚାୟତ ଦ୍ୱାରା ଏହି କାର୍ଯ୍ୟ ସ୍ୱୀକୃତି ପାଇବାର ଆବଶ୍ୟକତା ରହିଛି । ପଞ୍ଚାୟତଗୁଡିକ ଏହି କାର୍ଯ୍ୟର ଇମ୍ପ୍ଲିମେଣ୍ଟିଂ  ଏଜେନ୍ସି ବୋଲି ଚିଠିରେ କୁହାଯାଇଛି । ଏହି ଖେଳ ପଡିଆରେ ଏକ ନଳକୂ ଖନନ କରାଯିବ ଓ ଏକ ସିମେଣ୍ଟ କୁଣ୍ଡ ରହିବ । ଏହି କୁଣ୍ଡରେ ସ୍ଥାନୀୟ ଜନସାଧାରଣ ପାଣି ଭରିବେ ଓ ଗୋରୁଗାଇ ଏବଂ ଚଢେଇ ଆଦି ପଶୁକ୍ଷୀ ଏହି କୁଣ୍ଡ ପାଣିିଇ ତୃଷା ମେଣ୍ଟାଇବା ପରି ଏକ ସଚେତନା କାର୍ଯ୍ୟକୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ସ୍ୱଚ୍ଛ ଭାରତ ଯୋଜନାରେ ମହିଳାଙ୍କ ପାଇଁ ୨ଟି ଓ ପୁରୁଷଙ୍କ ପାଇଁ ୨ଟି ପାଇଖାନା ନିର୍ମାଣ କରାଯିବ । ଖେଳ ପଡିଆରେ ପକ୍କାଗୃହ, ଗ୍ୟାଲେରୀ ଆଦି ସାଂସଦ/ବିଧାୟକଙ୍କ ପାଣ୍ଠି ବା ସିଏଫସ/ଏସଫସି ଅର୍ଥରୁ ନିର୍ମାଣ କରାଯିବ । ତେବେ ଚଳିତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଲକ୍ଷ୍ୟ ହାସଲ କରିବା ପାଇଁ ଯେଉଁ ପରାମର୍ଶ ଦିଆଯାଇଛି ତାହା କେତେଦୂର ସମ୍ଭବ ହେବ ତାହାହିଁ ମୁଖ୍ୟ ବିଷୟ ।

Leave a Reply

Your email address will not be published. Required fields are marked *