ସ୍ୱାଧିନତା ଦିବସ ବିଶେଷ

ପ୍ରତିଭାବାନ୍ ମହାପୁରୁଷ ପ୍ରାଣନାଥ ପଟ୍ଟନାୟକ

– ଶ୍ରୀନିବାସ ଆଚାର୍ଯ୍ୟ

ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଓଡ଼ିଶା ମାଟିରେ ଯେଉଁ କେତେଜଣ ମହାପୁରୁଷ ସେମାନଙ୍କର ଭୋଗ ବିଳାସ, ସୁଖସ୍ୱାଚ୍ଛନ୍ଦ୍ୟ, ଆନନ୍ଦ-ଉଲ୍ଲାସ ତଥା ଆଡ଼ମ୍ବରପୂର୍ଣ୍ଣ ଚାକଚକ୍ୟକୁ ପଛରେ ପକାଇ ସ୍ୱଦେଶ ଓ ଜାତିର ପ୍ରେମରେ ଉଦ୍ବୁଦ୍ଧ ହୋଇ ଦଳିତ, ପତିତ, ଅବହେଳିତ, ନିଷ୍ପେସିତ ଓ ନିରୀହ ଲକ୍ଷ ଲକ୍ଷ ଜନତାଙ୍କ ସେବାରେ ବହୁମୂଲ୍ୟ ସମୟ, ଶକ୍ତି ଓ ସାମର୍ଥ୍ୟ ସେ୍ୱଚ୍ଛାକୃତ ଭାବେ ଉତ୍ସର୍ଗ କରିଥିଲେ, ସେମାନଙ୍କ ମଧ୍ୟରେ ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକ ଥିଲେ ଅନ୍ୟତମ। ସେ ଥିଲେ ଅଶେଷ ପ୍ରତିଭାର ଅଧିକାରୀ। ଏକାଧାରରେ ସେ ଥିଲେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବୀର ସଂଗ୍ରାମୀ, ଜାତୀୟ କଂଗ୍ରେସ ଦଳର ତୁଙ୍ଗ ସଦସ୍ୟ, ଓଡ଼ିଶା କଂଗ୍ରେସ ସୋସାଲିଷ୍ଟ ଦଳର ଆଗଧାଡ଼ିର ସଂଗଠକ, କମ୍ୟୁନିଷ୍ଟ ଦଳର ସେନାପତି, କୃଷକ ଆନ୍ଦୋଳନର ପ୍ରତିଷ୍ଠାତା, ପ୍ରଜା ଆନ୍ଦୋଳନର ପୁରୋଧା, ନିସ୍ୱାର୍ଥପର ସମାଜ ସେବକ, ଦକ୍ଷ ପ୍ରଶାସକ, ନିଷ୍ଠାପର ସଂସ୍କାରକ, ଖୋର୍ଦ୍ଧା କଲେଜର ପ୍ରାଣକର୍ତ୍ତା, ଶିକ୍ଷା ଜଗତର ବିଶାରଦ, ଖ୍ୟାତନାମା ଲେଖକ, ନିରପେକ୍ଷ ସାମ୍ବାଦିକ, ପାଇକ ଦଳର ମଉଡ଼ମଣି ଓ ବାସ୍ତବବାଦୀ ମହାପୁରୁଷ। ତାଙ୍କ ପରି ଜଣେ ପ୍ରତିଭାଧାରୀ ମହାପୁରୁଷ ଓଡ଼ିଶା ମାଟିରେ ଜନ୍ମ ହେବା ବିରଳ ମାତ୍ର। ଓଡ଼ିଶା କାହିଁକି ସମଗ୍ର ଭାରତବର୍ଷର ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ମାନଦଣ୍ଡକୁ ବୈପ୍ଳବିକ ପରିବର୍ତ୍ତନ କରି ଏକ ନୂତନ ଯୁଗ ସୃଷ୍ଟି କରିବାରେ ତାଙ୍କ ଅବଦାନର ପଟାନ୍ତର ନାହିଁ।

ଏହା ସତ୍ୟ ଯେ, ଜଣେ ଶିଶୁର ଭବିଷ୍ୟତ ଜୀବନ ଗଠନର ଚାବିକାଠି ହେଉଛି ତା’ର ପିତାମାତା ଓ ପାରିବାରିକ ପରିବେଶ। ପିତାମାତାଙ୍କ ବ୍ୟକ୍ତିତ୍ୱ, ପ୍ରେରଣା, ଅନୁଶାସନ ଓ ଦିଗ୍ଦର୍ଶନ ହିଁ ସେହି ଶିଶୁଟିକୁ ତା’ର ଜୀବନର ସକଳ କ୍ଷେତ୍ରରେ ଉତ୍ଥାନ ପତନର ବନ୍ଧୁର ପଥକୁ ଅତିକ୍ରମ କରି ଜଣେ ମହାପୁରୁଷର ଗୌରବ ଅର୍ଜନ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ, ଯାହାକି ଏହା ସମ୍ପୂର୍ଣ୍ଣ ରୂପେ ପ୍ରାଣନାଥ ବାବୁଙ୍କ ଜୀବନରେ ପ୍ରତିଫଳିତ ହୋଇଅଛି। ସେ ୧୯୦୫ ମସିହା ନଭେମ୍ବର ମାସ ୧୬ ତାରିଖରେ ଏକ ଅମୃତମୟ ମୁହୂର୍ତ୍ତରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ କଣାସ ନିକଟବର୍ତ୍ତୀ ଏକ ଅଖ୍ୟାତ ପଲ୍ଲୀ ଡ଼ିମ୍ବିରିରେ ପିତା ଶ୍ରୀ ମଦନମୋହନ ପଟ୍ଟନାୟକ ଓ ମାତା ଶ୍ରୀମତୀ ଚିତ୍ରା ଦେବୀଙ୍କ କୋଳମଣ୍ଡନ କରିଥିଲେ। ପିତାଙ୍କର ସାମାଜିକ ପ୍ରତିଷ୍ଠା ଓ ମାତାଙ୍କର ଧାର୍ମିକ ଗୁଣର ପ୍ରଭାବ ପଡ଼ିଥିଲା ପୁତ୍ର ପ୍ରାଣନାଥଙ୍କ ଉପରେ। ମାତ୍ର ଅଢେ଼ଇ ବର୍ଷ ବୟସରେ ସେ ତାଙ୍କ ମାତାଙ୍କୁ ହରାଇଥିଲେ। ତୁଳସୀ ଦୁଇପତ୍ରରୁ ବାସିଲା ପରି ସେ ବାଲ୍ୟଜୀବନରେ ଜଣେ ଚରିତ୍ରବାନ ପୁରୁଷ ହେବାର ଅଚ୍ଚଭାକ୍ସ ଜଣାପଡ଼ିଥିଲା। ବାଲ୍ୟଶିକ୍ଷା ସମାପ୍ତ କରି ପୁରୀ ଜିଲ୍ଲା ସ୍କୁଲରେ ଅଧ୍ୟୟନ କରିବା ସମୟରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଜଗବନ୍ଧୁ ସିଂହଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ସେମାନଙ୍କର କାର୍ଯ୍ୟଶୈଳୀକୁ ପ୍ରାଣନାଥ ବାବୁ ଜୀବନର ସକଳ କ୍ଷେତ୍ରରେ ଆଦରି ନେଇଥିଲେ।

୧୯୩୦ ମସିହାରେ ପ୍ରାଣନାଥ ବାବୁ ଥିଲେ କଟକ ରେଭେନ୍ସା କଲେଜର ଆଇ.ଏସ୍ସି. ଛାତ୍ର। ସେତେବେଳେ ଜାତିର ପିତା ମହାତ୍ମା ଗାନ୍ଧୀ ଭାରତରେ ଅସହଯୋଗ ଆନ୍ଦୋଳନର ଡ଼ାକରା ଦେଇଥିଲେ। ସ୍ୱଦେଶ ପ୍ରୀତିରେ ଅନୁପ୍ରାଣିତ ହୋଇ ଓଡ଼ିଶାର ଅସଂଖ୍ୟ ଛାତ୍ର ପାଠପଢ଼ା ଛାଡ଼ି ସେହି ଆନ୍ଦୋଳନରେ ସାମିଲ ହୋଇଥିଲେ। ପ୍ରାଣନାଥ ବାବୁ ତାଙ୍କ ଭବିଷ୍ୟତ ଜୀବନକୁ ଜଳାଞ୍ଜଳି ଦେଇ, ସେହି ସଂଗ୍ରାମରେ ଝାସ ଦେଇଥିଲେ। ନିଜ ସ୍ୱାର୍ଥଠାରୁ ଉର୍ଦ୍ଧ୍ୱରେ ରହି ସମାଜ ସେବା କରିବାର ମୂଳଦୁଆ ପକାଇଥିଲେ ଖୋର୍ଦ୍ଧାର ପାଲଟଣ ପଡ଼ିଆ ନିକଟରେ ଥିବା ସରସ୍ୱତୀ ମନ୍ଦିର ପ୍ରାଙ୍ଗଣରୁ। ସେହିଦିନଠାରୁ ସେହି ସ୍ଥାନଟି ହୋଇଗଲା ତାଙ୍କ କର୍ମମୟ ଜୀବନର କେନ୍ଦ୍ରସ୍ଥଳୀ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ(୧୯୩୦ ମସିହାରୁ ୧୯୭୦ ମସିହା) ଦୀର୍ଘ ୪୦ ବର୍ଷ ଧରି ନିଜକୁ ଉତ୍ସର୍ଗ କରିଥିଲେ ଜନତା ଜନାର୍ଦ୍ଦନର ସେବାକାର୍ଯ୍ୟରେ। ଉତ୍ଥାନ ପତନ ଦେଇ କ୍ରମଶଃ ସୋପାନରୁ ସୋପାନମାନ ଅତିକ୍ରମ କରିଥିଲେ ସିନା, କିନ୍ତୁ କେବେହେଲେ ପଛକୁ ଫେରିନାହାନ୍ତି। ସେ ଯେ କେବଳ ଖୋର୍ଦ୍ଧାବାସୀଙ୍କର ଉନ୍ନତି କରିଥିଲେ ତାହା ନୁହେଁ, ସମଗ୍ର ଓଡ଼ିଶାର କୋଣ ଅନୁକୋଣର ଦଳିତ, ପତିତ, ଅବହେଳିତ, ନିରୀହ, ଦୀନଦରିଦ୍ର ଲୋକମାନଙ୍କର ସେବା କରିଥିଲେ। ୧୯୩୦ ମସିହା ଦଶହରା ଦିନ ଅନ୍ୟ କର୍ମୀମାନଙ୍କ ସହ ବାଲେଶ୍ୱର ସହରରେ ମଦ, ଗଞ୍ଜେଇ, ଅଫିମ କଳାବେପାରୀମାନଙ୍କୁ ଦମନ କରିବା ପାଇଁ ବିକ୍ଷୋଭ କରିଥିଲେ। ବାଲେଶ୍ୱର ପରି ଓଡ଼ିଶାର ପ୍ରତ୍ୟେକ ପ୍ରାନ୍ତରେ ବିଦେଶୀ ଦ୍ରବ୍ୟ ବର୍ଜନର ବାତାବରଣ ସୃଷ୍ଟି କରିଥିଲେ। ଏହି ଅଭିଯାନବେଳେ ଅନ୍ୟ କର୍ମୀଙ୍କ ସହ ପ୍ରାଣନାଥ ବାବୁ ଗିରଫ ହୋଇ ପୁରୀ ଜେଲ୍ରେ ରହିଥିଲେ। କିଛି ଦିନ କାରାବରଣ ପରେ ମୁକ୍ତିଲାଭ କରିଥିଲେ। ଏଥିରେ ଭାଙ୍ଗି ନଯାଇ ବୀରତ୍ୱ ଓ ସାହସର ସହ ଗାନ୍ଧିଜୀଙ୍କର ଅହିଂସା ରୂପକ ମହାମନ୍ତ୍ରରେ ଦୀକ୍ଷିତ ହୋଇ ପୁନରାୟ ଦେଶପ୍ରେମ ତଥା ମୁକ୍ତିକାମୀ ସଂଗ୍ରାମରେ ଝାସ ଦେବାକୁ ପଛାଇ ନଥିଲେ।

ଉଚ୍ଚଶିକ୍ଷା ପାଇ ନିଜକୁ ସମାଜରେ ପ୍ରତିଷ୍ଠିତ କରାଇ ପାରିଲେ, ସମାଜ ପ୍ରତିଷ୍ଠିତ ହେବା ସଂଗେ ସଂଗେ ନିଜେ ପ୍ରତିଷ୍ଠିତ ହୋଇପାରିବ। ଏହି ଉକ୍ତିକୁ ଗୁରୁତ୍ୱ ଦେଇ ପ୍ରାଣନାଥ ବାବୁ ଉଚ୍ଚଶିକ୍ଷା ପାଇଁ ମନ ବଳାଇ ବାରଣାସୀର କାଶୀ ବିଦ୍ୟାପୀଠରେ ଜ୍ଞାନ ଆହରଣ ପାଇଁ ନାମ ଲେଖାଇଥିଲେ। ସେହି ବିଦ୍ୟାଳୟରେ ଛାତ୍ରମାନଙ୍କୁ ସମାଜର ସ୍ୱାର୍ଥ ପାଇଁ ବିପ୍ଲବର ତତ୍ତ୍ୱ ଓ କୌଶଳ ଶିକ୍ଷା ଦିଆଯାଉଥିଲା। ସେହି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ରୂପେ ଖ୍ୟାତିସମ୍ପନ୍ନ ପଣ୍ଡିତ ଆଚାର୍ଯ୍ୟ ନରେନ୍ଦ୍ର ଦେବ ଓ ଶିକ୍ଷକ ସମ୍ପୂର୍ଣ୍ଣା ନନ୍ଦିଜୀ ଥିଲେ। ସେମାନେ ଥିଲେ ସାମ୍ୟବାଦ ନୀତିର ବିଶାରଦ। ପ୍ରାଣନାଥ ବାବୁ ସେମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ସାମ୍ୟବାଦ ନୀତିକୁ ତାଙ୍କ ଜୀବନର ସକଳ କ୍ଷେତ୍ରରେ ଅମୋଘ ଅସ୍ତ୍ର ରୂପେ ବ୍ୟବହାର କରି କୃତକାର୍ଯ୍ୟ ହେବା ସହ ସଫଳତାର ଚରମ ସୀମାରେ ଉପନୀତ ହୋଇ ପାରିଥିଲେ। ଓଡ଼ିଶାରେ କମ୍ୟୁନିଷ୍ଟ ଦଳର ସେ ଥିଲେ ପ୍ରତିଷ୍ଠାତା। ଏହି ନୀତିର ପ୍ରଚାର ଓ ପ୍ରସାର କରିବା ପାଇଁ ତାଙ୍କର ପ୍ରାଣମୁର୍ଚ୍ଛା ଉଦ୍ୟମ ଚିରସ୍ମରଣୀୟ ଅଟେ। ସେ ବାକ୍ୟବୀର ନଥିଲେ, ସେ ଥିଲେ କର୍ମବୀର। ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତିକଳ୍ପେ ସେ ଯେଉଁ କାର୍ଯ୍ୟ ହାତକୁ ନିଅନ୍ତି, ତାହାକୁ ସମ୍ପୂର୍ଣ୍ଣ ନକରି ଛାଡ଼ନ୍ତି ନାହିଁ। ସେ ଥିଲେ ଗଠନମୂଳକ କାର୍ଯ୍ୟର ନିଷ୍ଠାପର ବିନ୍ଧାଣୀ।

୧୯୩୨ ମସିହା ପ୍ରାରମ୍ଭରେ ଗାନ୍ଧିଜୀ ଗୋଲ୍ଟେବୁଲ୍ ବୈଠକରୁ ନିରାଶ ହେବା ଫଳରେ ପୁନରାୟ ସ୍ୱାଧୀନତା ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଗାନ୍ଧିଜୀଙ୍କର ଡ଼ାକରାରେ ଭାରତର ହଜାର ହଜାର ସଂଗ୍ରାମୀ, କର୍ମୀ ଓ ଜନସାଧାରଣ ଅହିଂସା ରୂପକ ଆନ୍ଦୋଳନରେ ଯୋଗ ଦେଇଥିଲେ। ପ୍ରାଣନାଥ ବାବୁ କାଶୀ ବିଦ୍ୟାପୀଠ ପାଠପଢ଼ାରେ ଡେ଼ାରି ବାନ୍ଧି ସେହି ଆନ୍ଦୋଳନରେ ଓଡ଼ିଶାର ନେତୃତ୍ୱ ନେଇଥିଲେ। ସେହି ସମୟରେ ସେ ପୁରୀ ସହରକୁ ଆନ୍ଦୋଳନର କେନ୍ଦ୍ରସ୍ଥଳୀ ରୂପେ ବାଛି ନେଇଥିଲେ। ସେଠାରେ ସେ ତାଙ୍କର ସାଥୀ ଗୁରୁଚରଣ ପଟ୍ଟନାୟକଙ୍କ ସହିତ ବିଦେଶୀ ଦ୍ରବ୍ୟ ବର୍ଜନର ପ୍ରଚାରପତ୍ର ବଣ୍ଟନ କରୁଥିବା ସମୟରେ ଗିରଫ ହୋଇ ଛଅ ମାସ କାରାଦଣ୍ଡ ଭୋଗcଥିଲେ। ସେହି ଜେଲ୍ଟି ତାଙ୍କ ପାଇଁ ଥିଲା ଶିକ୍ଷନୀୟର କେନ୍ଦ୍ରପୀଠ। କାରାବରଣରେ ଭାଙ୍ଗି ନପଡ଼ି ସକ୍ରିୟ ରୂପେ ଜନସେବା ଆରମ୍ଭ କରିଥିଲେ। ସେଠାରେ ସେ ଅନ୍ୟ ବନ୍ଦୀମାନଙ୍କୁ ନୀତି ଓ ଆଦର୍ଶମୂଳକ ଉପଦେଶ ଦେଉଥିଲେ। ଆଉ ମଧ୍ୟ ସେଠାରେ ଥିବା ସମସ୍ତ ରାଜନୈତିକ ବନ୍ଦୀମାନଙ୍କୁ ନେଇ ବନ୍ଧୁ ସମାଜ ନାମକ ଏକ ସଂଗଠନ କରିଥିଲେ। ସେହି ସଂଗଠନର ସଭ୍ୟମାନେ ଥିଲେ ପ୍ରାଣନାଥ ବାବୁଙ୍କ ସମେତ ଗଙ୍ଗାଧର ମିଶ୍ର, ପର୍ଶୁରାମ ପଦାତିକରାୟ, ଜଗନ୍ନାଥ ମହାନ୍ତି, ଲୋକନାଥ ରାଏ, ଗତିକୃଷ୍ଣ ସ୍ୱାଇଁ ଇତ୍ୟାଦି। ଜେଲ୍ରୁ ମୁକ୍ତ ହେଲା ପରେ ଏହି ଅନୁଷ୍ଠାନକୁ ବଞ୍ଚାଇ ରଖିବା ପାଇଁ ଆପ୍ରାଣ ପ୍ରଚେଷ୍ଟା ଜାରି ରଖିଥିଲେ। ଏପରିକି ପୁରୀରେ ଏକ ହୋଟେଲ କରାଇ ଏହାର ଲାଭାଂଶ ଅର୍ଥ ଏଥିରେ ଖର୍ଚ୍ଚ କରୁଥିଲେ। ଆଉ ମଧ୍ୟ ବନାରସରୁ ଲୁଗା ଆଣି ପୁରୀରେ ବିକ୍ରୟ କରି ସଂଗଠନକୁ ସକ୍ରିୟ କରିଥିଲେ। ଏଥିରୁ ପ୍ରାଣନାଥ ବାବୁଙ୍କର ସାଂଗଠନିକ ଦକ୍ଷତାର ପରିଚୟ ଅନୁମେୟ।

ପ୍ରାଣନାଥ ବାବୁଙ୍କର ବିବାହ ୧୯୩୫ ମସିହା ଜୁନ୍ ମାସ ୨୮ ତାରିଖ ନେତ୍ରୋତ୍ସବ ଦିନ ବାଲିପାଟଣା ଅନ୍ତର୍ଗତ ଚଣାହଟା ଗ୍ରାମ ନିବାସୀ କୃଷ୍ଣମୋହନ ପଟ୍ଟନାୟକଙ୍କ ସୁକନ୍ୟା ମଞ୍ଜରୀଙ୍କ ସହ ଅନୁଷ୍ଠିତ ହୋଇଥିଲା। କୃଷ୍ଣମୋହନ ବାବୁ ଥିଲେ ଜଣେ ବିପ୍ଳବୀ, ଜାତୀୟତାବାଦୀ ଖ୍ୟାତନାମା କବି। ଆଉ ମଧ୍ୟ ଜଣେ ଆଦର୍ଶବାଦୀ ଓ ଦେଶପ୍ରେମୀ ରୂପେ ସେ ଓଡ଼ିଶାରେ ସୁପରିଚିତ ଥିଲେ। ସେ ଚାହୁଁଥିଲେ ପ୍ରାଣନାଥ ବାବୁଙ୍କ ପରି ଜଣେ ବାସ୍ତବବାଦୀ ଓ ଦେଶପ୍ରେମୀଙ୍କୁ ଜ୍ୱାଇଁ କରିବା ପାଇଁ। ଏହି ଶୁଭ ବିବାହ ସମାଜକୁ ଏକ ନୂତନ ଦିଗ୍ଦର୍ଶନ ଦେଇଥିଲା। ପ୍ରକାଶ ଥାଉ କି, ପ୍ରାଣନାଥ ବାବୁ ବିବାହ କରିବା ପାଇଁ ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ପାଲିଙ୍କିରେ ଯିବାକୁ ରୋକ୍ଠୋକ୍ ମନା କରିଥିଲେ। ସେ ପାଦରେ ଚାଲିଚାଲି, ସାଧା ପୋଷାକ ପରିଧାନ କରି ଚଣାହଟା ଗ୍ରାମକୁ ବିବାହ କରିବା ପାଇଁ ଯାଇଥିଲେ। ସେଠାରେ ନାପିତ ହସ୍ତରେ ଗୋଡ଼ ନଧୋଇ ସ୍ୱହସ୍ତରେ ଧୋଇଥିଲେ। ବିବାହ ପରେ ମଧୁର ବନ୍ଧନରେ ଆବଦ୍ଧ ହୋଇ ନରହି ପୂର୍ବର ସ୍ୱଜାତି ଓ ଦେଶପ୍ରେମ ପ୍ରତି ଆକର୍ଷିତ ହୋଇଥିଲେ। କାରଣ ଗୋଟିଏ ମହାବଳ ବାଘକୁ କ’ଣ ଗୋଟିଏ କୋଠରୀରେ ବନ୍ଦ କରି ରଖାଯାଇ ପାରେ? ସେହିପରି ପ୍ରାଣନାଥ ବାବୁ ତାଙ୍କ ସାଂସାରିକ ଜୀବନ ଭିତରେ ସୀମିତ ନରହି, ଝାମ୍ପ ପ୍ରଦାନ କରିଥିଲେ ସର୍ବହରା ଶ୍ରମିକ, କୃଷକ, ଦଳିତ, ନିଷ୍ପେସିତ ଜନତାଙ୍କ ସେବାକାର୍ଯ୍ୟକୁ। ମାନବ ସେବା ହିଁ ମାଧବ ସେବା – ଏହି ନୀତିକୁ ଅବଲମ୍ବନ କରି ସେ ତାଙ୍କର ଘରଦ୍ୱାର, ଆତ୍ମୀୟ ସହୋଦରମାନଙ୍କୁ ପଛରେ ପକାଇ ଛୁଟି ଯାଇଥିଲେ ମାନବ ସେବା କାର୍ଯ୍ୟରେ। ସମାଜର ଆର୍ଥିକ, ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ମାନଦଣ୍ଡର ବୈପ୍ଳବିକ ପରିବର୍ତ୍ତନ କରିବା ଥିଲା ତାଙ୍କର ମୁଖ୍ୟ ଲକ୍ଷ୍ୟ। ତେଣୁ ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ, ପ୍ରଗାଢ଼ ଇଚ୍ଛାଶକ୍ତି ଓ ବଳିଷ୍ଠ ପରାକାଷ୍ଠା ବଳରେ ସେ ୧୯୩୬ ମିସହାରେ ଖୋର୍ଦ୍ଧାଠାରେ ପ୍ରାୟ ୧୦, ୦୦୦ କୃଷକଙ୍କୁ ସମବେତ କରାଇ ଏକ କୃଷକ ସମ୍ମିଳନୀ କରିଥିଲେ। ସେହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଶାର କୃଷକ ସମାଜର ଆର୍ଥିକ, ସାମାଜିକ ପ୍ରଗତି ଓ ସ୍ୱାଭିମାନର ସୁରକ୍ଷା। ଏଥିରେ ଓଡ଼ିଶାର ପ୍ରତ୍ୟେକ ପ୍ରାନ୍ତର କୃଷକମାନେ ଯୋଗ ଦେଇଥିଲେ। ଏଥିରେ କେତେକ ପ୍ରତିଭାବାନ କୃଷକ ନେତା ଉଦବୋଧନ ଦେଇଥିଲେ। ସେମାନେ ଥିଲେ ନବକୃଷ୍ଣ ଚୌଧୁରୀ, ଯଦୁମଣି ମଙ୍ଗରାଜ, ମୋହନ ଦାଶ, ଜୟକୃଷ୍ଣ ବୋଷ, ପ୍ୟାରୀଶଙ୍କର ରାୟ ପ୍ରଭୃତି। ଏହି ସମ୍ମିଳନୀରେ ପ୍ରାଣନାଥ ବାବୁ ତାଙ୍କର ଅଗ୍ନିବର୍ଷୀ ଭାଷଣରେ କେବଳ କୃଷକ ସମାଜ କାହିଁକି ସର୍ବହରା ଶ୍ରମିକ ଓ ଜନସାଧାରଣଙ୍କର ନ୍ୟାଯ୍ୟ ଅଧିକାର ତଥା ଆର୍ଥିକ, ସାମାଜିକ ମାନଦଣ୍ଡର ଉନ୍ନତି ପାଇଁ ସୂଚନା ଦେବା ସଂଗେ ସଂଗେ ସରକାରଙ୍କର ବର୍ବରୋଚିତ ଶାସନ ବିରୁଦ୍ଧରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ। ଫଳରେ ସେ ହୋଇ ଯାଇଥିଲେ ସର୍ବହରା କୃଷକ, ଶ୍ରମିକମାନଙ୍କର ପରମ ବନ୍ଧୁ। ସେହିବର୍ଷ ପ୍ରାଣନାଥ ବାବୁ ଜଟଣୀଠାରେ ରେଳବାଇ ଧର୍ମଘଟ ଡ଼ାକରା ଦେଇ କୃତକାର୍ଯ୍ୟ ହୋଇଥିଲେ। ଚାନ୍ଦବାଲିଠାରେ କୃଷକ ସମ୍ମିଳନୀରେ ସେ ମର୍ମସ୍ପର୍ଶୀ ଭାଷଣ ଦେଇ କୃଷକମାନଙ୍କ ମନରେ ନୂତନ ଚେତନା ଜାଗ୍ରତ କରାଇଥିଲେ। କୃଷକମାନଙ୍କର ନ୍ୟାଯ୍ୟ ଅଧିକାରର ମୂଳମନ୍ତ୍ରର ବୀଜ ବିକ୍ଷେପ କରିଥିଲେ। ତାଙ୍କ ଦ୍ୱାରା ପ୍ରସ୍ତାବିତ କୃଷକମାନଙ୍କର ସମସ୍ୟା ସମାଧାନର କେତେଗୁଡ଼ିଏ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହେବା ସଂଗେ ସଂଗେ କାର୍ଯ୍ୟକାରୀ କରାଇବା ପାଇଁ ସରକାରଙ୍କ ପାଖରେ ଦାବି କରାଯାଇଥିଲା। ୧୯୩୭ ମସିହା ଜାନୁଆରୀ ମାସରେ ପ୍ରାଣନାଥ ବାବୁ କଂଗ୍ରେସ ଦଳ ତରଫରୁ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ବିଧାନସଭା ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ। କ୍ଷମତା ଓ ଅର୍ଥ ଲାଳସାରେ ସେ ବିଧାନସଭା ନିର୍ବାଚିତ ହୋଇନଥିଲେ। ସମାଜର ମହତ୍ ଉଦ୍ଦେଶ୍ୟ ତଥା ସର୍ବହରା କୃଷକ, ଶ୍ରମିକ, ଦୁଃଖୀ ରଙ୍କୀମାନଙ୍କର ସେବା କରିବା ଉଦ୍ଦେଶ୍ୟରେ ନିର୍ବାଚିତ ହୋଇଥିଲେ। ଏମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଦାବିଗୁଡ଼ିକ ବିଧାନସଭାରେ ଉପସ୍ଥାପନ କରି, ତାହାକୁ କାର୍ଯ୍ୟକାରୀ କରାଇବା ଥିଲା ତାଙ୍କର ମୂଳ ଲକ୍ଷ୍ୟ। ସେତେବେଳେ ଓଡ଼ିଶାର ସାମରିକ କେନ୍ଦ୍ର ଥିଲା ଖୋର୍ଦ୍ଧା। ଆଉ ମଧ୍ୟ ଖୋର୍ଦ୍ଧା ଥିଲା ଇଂରେଜ ସରକାରଙ୍କର ଖାସ୍ ମାହାଲ। ତେଣୁ ଖୋର୍ଦ୍ଧାର ଉନ୍ନତି ହେଲେ ପର୍ଯ୍ୟାୟକ୍ରମେ ସମଗ୍ର ଓଡ଼ିଶାର ଉନ୍ନତି ସାଧନ ହେବ ବୋଲି ସେ ଅନୁଭବ କରିଥିଲେ। ସେହି ଲକ୍ଷ୍ୟ ନେଇ ପ୍ରାଣନାଥ ବାବୁ ବିଧାନସଭାରେ ଖୋର୍ଦ୍ଧାବାସୀଙ୍କର ଉନ୍ନତି ପାଇଁ ପ୍ରଶ୍ନମାନ ପଚାରି, ସଭାଗୃହକୁ ହୁଲସ୍ତୁଲ କରି ପକାଉଥିଲେ। ଦଶ ହଜାର ସ୍ୱାକ୍ଷର ସମ୍ବଳିତ ଦାବିପତ୍ର ମୁଦ୍ରଣ କରି ଖୋର୍ଦ୍ଧାର ଜନସାଧାରଣଙ୍କୁ ବିତରଣ କରାଇଥିଲେ। ଏହା ଫଳରେ ଖୋର୍ଦ୍ଧାର ସମସ୍ତ ନାଗରିକଙ୍କ ମନରେ ସୃଷ୍ଟି ହୋଇଥିଲା ନାଗରିକ ଅଧିକାର ଓ ଓଡ଼ିଆ ଜାତିର ସ୍ୱାଭିମାନ। ଏତଦ୍ବ୍ୟତୀତ ଖୋର୍ଦ୍ଧାର ଗୁରୁଜଙ୍ଗଠାରେ ପ୍ରାୟ ୧୦, ୦୦୦ ଯୁବକଙ୍କୁ ଏକତ୍ରିତ କରାଇ ଏକ ସମ୍ମିଳନୀ କରିଥିଲେ। ଏହାର ଅବ୍ୟବହିତ ପୂର୍ବରୁ ଖୋର୍ଦ୍ଧା ଥିଲା ପାଇକମାନଙ୍କର ସାମରିକ କେନ୍ଦ୍ର। କିନ୍ତୁ ଇଂରେଜ ସରକାର ଏହି ଶକ୍ତିକୁ ପ୍ରତିହତ କରି ଶ୍ରୀହୀନ କରି ପକାଇଥିଲେ। କିନ୍ତୁ ପ୍ରାଣନାଥ ବାବୁ ପ୍ରତ୍ୟେକ ପାଇକ ଦଳକୁ ସକ୍ରିୟ କରାଇ ସମଗ୍ର ଓଡ଼ିଶାରେ ଗୌରବର ଧ୍ୱଜା ଉଡ଼ାଇଥିଲେ। ଓଡ଼ିଶାର ପ୍ରଜାମାନଙ୍କୁ ମେଳ କରାଇ ପ୍ରଜା ଆନ୍ଦୋଳନ କରାଇବାରେ ତାଙ୍କର ଥିଲା ମୁଖ୍ୟ ଭୂମିକା। ତାଙ୍କର ବଳିଷ୍ଠ ନେତୃତ୍ୱ ବଳରେ ୧୯୩୮ ମସିହାରେ “ପ୍ରଜାମଣ୍ଡଳ’ ନାମକ ଏକ ସଂଗଠନ ସ୍ୱୀକୃତି ଲାଭ କରିଥିଲା। ୧୯୩୮ ମସିହା ଜାନୁଆରୀ ୫ ତାରିଖରେ ରଣପୁରର ପ୍ରଜା ଆନ୍ଦୋଳନରେ ବେଜେଲଗେଟ୍ଙ୍କର ହତ୍ୟାକାଣ୍ଡ ଏକ ଐତିହାସିକ ଘଟଣା ରୂପେ ସମଗ୍ର ପୃଥିବୀରେ ଚହଳ ପକାଇଥିଲା। ଇଂରେଜ ସରକାରଙ୍କର ଅମାନୁଷିକ ଅତ୍ୟାଚାର ଓ ଗିରଫ ପରଓ୍ୱାନା ଭyଟରେ ରଣପୁରର ଗ୍ରାମବାସୀମାନେ ଘରଦ୍ୱାର ଛାଡ଼ି ବଣଜଙ୍ଗଲରେ ଲୁଚିଛପି ରହୁଥିଲେ। ଭିତତ୍ରସ୍ତ ରଣପୁରବାସୀଙ୍କ ମନରେ ସାହସ ଓ ଦମ୍ଭ ଦେବାରେ ପ୍ରାଣନାଥ ବାବୁ ଥିଲେ ପ୍ରଥମ। ଅଭିଯୁକ୍ତ ଗ୍ରାମବାସୀମାନଙ୍କୁ ଦଣ୍ଡାଦେଶରୁ ମୁକ୍ତ କରିବା ପାଇଁ ଏକ ଡ଼ିଫେନ୍ସ କମିଟି ଗଠନ କରିଥିଲେ। ପ୍ରାଣନାଥ ବାବୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଭୃକ୍ଷେପ ନକରି ରଣପୁରଠାରେ ଡେ଼ରା ପକାଇ ସମସ୍ତ ପ୍ରକାର ସାହାଯ୍ୟ କରିବାର କିମ୍ବଦନ୍ତୀ ଅବର୍ଣ୍ଣନୀୟ ଅଟେ। ସେହିପରି ନୟାଗଡ଼, ଦଶପଲ୍ଲା ଓ ଖଣ୍ଡପଡ଼ାର ପ୍ରଜାମଣ୍ଡଳ ସଂଗଠନକୁ ତାଙ୍କର ଥିଲା ଅତୁଳନୀୟ ଅବଦାନ। ଏତଦ୍ବ୍ୟତୀତ ଓଡ଼ିଶାରେ ଥିବା ୨୬ଟି ପ୍ରଜାମଣ୍ଡଳ ସମ୍ମିଳନୀରେ ଯୋଗ ଦେଇ ଅଗ୍ନିବର୍ଷୀ ଭାଷଣ ମାଧ୍ୟମରେ ଲୋକମାନଙ୍କର ହୃଦୟକୁ ସ୍ପର୍ଶ କରିଥିଲେ। ଭାଷଣର ଚେତନା ରୂପକ ରଜ୍ଜୁରେ ଏକ ମନ ଓ ଏକ ପ୍ରାଣରେ ସମସ୍ତଙ୍କୁ ବାନ୍ଧି ରଖି ପାରିଥିଲେ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାତୀୟ କଂଗ୍ରେସ ନିଷ୍ପତ୍ତିକ୍ରମେ ସମଗ୍ର ଭାରତରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନର ବହ୍ନି ଜାଗି ଉଠିଥିଲା। ଓଡ଼ିଶାର ପ୍ରତ୍ୟେକ ସ୍ଥାନରେଏହି ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଖୋର୍ଦ୍ଧାରେ ପ୍ରାଣନାଥ ବାବୁ ଏହି ଆନ୍ଦୋଳନର ନେତୃତ୍ୱ ନେଇ ଇଂରେଜ ସରକାରଙ୍କ ଦ୍ୱାରା ୧୯୩୯ ମସିହା ନଭେମ୍ବର ମାସ ଦୀପାବଳି ଅମାବାସ୍ୟା ଦିନ ଗିରଫ ହୋଇଥିଲେ। ୧୯୪୨ ମସିହାରେ ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ସମଗ୍ର ଭାରତବର୍ଷରେ ଭାରତଛାଡ଼ ଆନ୍ଦୋଳନ ଅଗ୍ନିଶିଖା ପରି ପ୍ରଜ୍ଜ୍ୱଳିତ ହୋଇଥିଲା। ଏହା ଥିଲା ସ୍ୱାଧୀନତା ପାଇ ଁ ଶେଷ ପର୍ଯ୍ୟାୟ ଆନ୍ଦୋଳନ। ଏହି ଆନ୍ଦୋଳନରେ ହଜାର ହଜାର ସଂଗ୍ରାମୀ ଶହୀଦ ହେବା ସଂଗେ ସଂଗେ ଲକ୍ଷ ଲକ୍ଷ ସଂଗ୍ରାମୀ ଗିରଫ ହୋଇଥିଲେ। ଏହି ଆନ୍ଦାଳନରେ ପ୍ରାଣନାଥ ବାବୁ ମୁଖ୍ୟ ଭୂମିକା ଗ୍ରହଣ କରି ଗିରଫ ହୋଇ ଅଢେ଼ଇ ବର୍ଷ କାରାବରଣ କରିଥିଲେ। ସେ ଜେଲ ଭିତରେ ଥିବାବେଳେ ଦୀର୍ଘ ୪୩ ଦିନ ଅନଶନ କରିଥିଲେ। ଏହା ଫଳରେ ରକ୍ତବାନ୍ତି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଶଯ୍ୟାରେ ପଡ଼ିଥିଲେ ମଧ୍ୟ କେବେହେଲେ ତାଙ୍କ ଅନଶନରୁ ବିଚ୍ୟୁତ ହୋଇନଥିଲେ। ୧୯୫୦ ମସିହାରେ କମ୍ୟୁନିଷ୍ଟ ଆନ୍ଦୋଳନର ନେତୃତ୍ୱ ନେଇ ବନ୍ଦୀ ହୋଇ କଟକ ଜେଲ୍ରେ ରହିଥିଲେ।

୧୯୪୭ ମସିହା ଅଗଷ୍ଟ ୧୫ ତାରିଖଟି ଥିଲା ଭାରତ ପାଇଁ ଏକ ଗୌରବମୟ ଦିବସ। କାରଣ ଏହି ଦିନ ଇଂରେଜ ସରକାରଙ୍କ କବଳରୁ ଆମ ଦେଶ ସ୍ୱାଧୀନତା ଲାଭ କରିଥିଲା। ଏହି ସ୍ୱାଧୀନତାରେ ପ୍ରାଣନାଥ ବାବୁ ଖୁସି ହୋଇପାରି ନଥିଲେ। କାରଣ ଭାରତ ରାଜନୈତିକ ସ୍ୱାଧୀନତା ପାଇଥିଲା, କିନ୍ତୁ ସାମାଜିକ ଓ ଅର୍ଥନୈତିକ ସ୍ୱାଧୀନତା ପାଇ ନଥିଲା। ସେତେବେଳେ ଭାରତର ସର୍ବହରା କୃଷକ, ଶ୍ରମିକ ଓ ସାଧାରଣ ଲୋକମାନେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଇତ୍ୟାଦିରୁ ବଞ୍ଚିତ ହୋଇ ଦୀନ ଦରିଦ୍ର ଭାବେ ଜୀବନ ନିର୍ବାହ କରୁଥିଲେ। ଏହିସବୁ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ପ୍ରାଣନାଥ ବାବୁ ଅଣ୍ଟା ଭିଡ଼ି ସଂଗ୍ରାମ ଜାରି ରଖିଥିଲେ। ବହୁ ଘାତ ପ୍ରତିଘାତକୁ ମୁକାବିଲା କରି ୧୯୪୮ ମସିହାରେ ଖୋର୍ଦ୍ଧାର କେତେଗୁଡ଼ିଏ ଗ୍ରାମରେ ଭାଗଚାଷ ଆଇନ୍ ପ୍ରୟୋଗ କରିବା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। କୃଷକମାନଙ୍କ ମଧ୍ୟରେ ଏହି ଆଇନ୍ ସପକ୍ଷରେ ବାତାବରଣ ସୃଷ୍ଟି କରିଥିଲେ। ତତ୍ପରେ ପ୍ରାଣନାଥ ବାବୁଙ୍କ ସହିତ ଆଉ କେତେଜଣ ବୀର ସଂଗ୍ରାମୀ ସାମିଲ ହୋଇ ଜମିଦାର, ମଠର ମହନ୍ତ ଓ ରାଜାରାଜୁଡ଼ାମାନଙ୍କଠାରୁ ବିପୁଳ ଭାବେ ସମ୍ପତ୍ତି ଛଡ଼ାଇ ଆଣି ସର୍ବହରା, ନିରୀହ ପ୍ରଜାମାନଙ୍କୁ ବିତରଣ କରିଥିଲେ। ସେହିପରି ଜଙ୍ଗଲଜାତ ଦ୍ରବ୍ୟ ଉପରେ ସର୍ବସାଧାରଣ ବ୍ୟବହାର ପାଇଁ ନିଷିଦ୍ଧ ଥିବା ଆଇନ୍କୁ ପରିବର୍ତ୍ତନ କରି ଜନତା ଜନାର୍ଦ୍ଦନଙ୍କ ସେବା କରିଯାଇଛନ୍ତି। ସେତେବେଳେ ହଜାର ହଜାର ଓଡ଼ିଆ ଶ୍ରମିକ, କୁଲି, ମଜୁରିଆ କଲିକତାରେ ଦଳିତ ଓ ଅବହେଳିତ ଭାବରେ ବେଠି ଖଟୁଥିଲେ। ୧୯୫୫ ମସିହାରେ ପ୍ରାଣନାଥ ବାବୁ ସେମାନଙ୍କୁ ଏକତ୍ରିତ କରାଇ ସେମାନଙ୍କର ନ୍ୟାଯ୍ୟ ଦାବି ତଥା ସ୍ୱାଭିମାନ ପାଇଁ ଏକ ଜନ ଆନ୍ଦୋଳନ ଗଢ଼ି ତୋଳିଥିଲେ। ସେଠାରେ ପ୍ରବାସୀ ଓଡ଼ିଆ ନାମକ ଏକ ସଂଗଠନ ଗଠନ କରିଥିଲେ। ଏହି ସଂଗଠନ ମାଧ୍ୟମରେ ଏକ ଶୋଭାଯାତ୍ରା କରାଇଥିଲେ। କଲିକତାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଧାନଚନ୍ଦ୍ର ରାୟଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଆନ୍ଦୋଳନରେ ପ୍ରାଣନାଥ ବାବୁଙ୍କ ସମେତ ଓଡ଼ିଶାରୁ ଶ୍ରୀଚରଣ ବରାଳ, ବୈଷ୍ଣବ ଚରଣ ପରିଡ଼ା, ପରମାନନ୍ଦ ସାମଲ, ଆକୁଳି ମିଶ୍ର, ଶ୍ୟାମସୁନ୍ଦର ମହାପାତ୍ର, ହୃଦାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ।

୧୯୫୭ ମସିହାରେ ପ୍ରାଣନାଥ ବାବୁ ଦ୍ୱିତୀୟ ଥର ପାଇଁ ଓଡ଼ିଶା ବିଧାନସଭା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ କମ୍ୟୁନିଷ୍ଠ ଦଳ ତରଫରୁ ନିର୍ବାଚିତ ହୋଇଥିଲେ। ୧୯୫୭ ରୁ ୧୯୬୧ ମସିହା ପର୍ଯ୍ୟନ୍ତ ସେ ଥିଲେ ଓଡ଼ିଶା ବିଧାନସଭାରେ କମ୍ୟୁନିଷ୍ଟ ଦଳର ଦଳପତି ଓ ବିରୋଧୀ ଦଳର ଏକ ଟାଣୁଆ ନେତା। ଶ୍ରେଣୀମୁକ୍ତ ଓ ଶୋଷଣମୁକ୍ତ ସମାଜ ଗଠନ କରିବା ପାଇଁ ବିଧାନସଭାରେ ଅଗ୍ନିବର୍ଷୀ ଭାଷଣ ଦେବା ସଂଗେ ସଂଗେ ଦାବିପତ୍ର ଉପସ୍ଥାପନ କରି ସରକାରଙ୍କୁ ଭିତତ୍ରସ୍ତ କରି ପକାଉଥିଲେ। ସରକାରଙ୍କର ଶୋଷଣ ଓ ମାରଣ ନୀତିକୁ ବିରୋଧ ଓ ପୁଞ୍ଜିବାଦକୁ ଉଚ୍ଛେଦ କରି ଶ୍ରମିକ ଓ କୃଷକମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରତି ସେ ଅଗ୍ରାଧିକାର ଦେଉଥିଲେ। ଶିକ୍ଷା କ୍ଷେତ୍ରରେ ନିରକ୍ଷରମାନଙ୍କୁ ଶିକ୍ଷା ଦେବା ସଂଗେ ସଂଗେ ବେସରକାରୀ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କର ସର୍ତ୍ତାବଳୀର ପରିବର୍ତ୍ତନ ପାଇଁ ଆଇନ୍ ପ୍ରଣୟନ କରିବା ପାଇଁ ସେ ବହୁବାର ସରକାରଙ୍କ ପାଖରେ ଦାବି କରିଥିଲେ। ତାଙ୍କର ସବୁଠାରୁ ଉଲ୍ଲେଖନୀୟ ଅବଦାନ ଥିଲା ଖୋର୍ଦ୍ଧାଠାରେ ଏକ ମହାବିଦ୍ୟାଳୟ ଓ ଜଟଣୀଠାରେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା। ଐତିହାସିକ ପାହାଡ଼ ବରୁଣେଇ ପାଦଦେଶରେ ୧୯୫୯ ମସିହା ଜୁଲାଇ ମାସରେ ପ୍ରତିଷ୍ଠା କରାଇଥିଲେ ଏକ ବେସରକାରୀ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟ ପ୍ରାଣନାଥ ବାବୁଙ୍କର ମାନସପୁତ୍ର ଅଟେ। କାରଣ ସେ ନିଜର ଲହୁ ଲୁହ ଦେଇ ଏହି ଅନୁଷ୍ଠାନକୁ ଗଠନ କରିଥିଲେ। ଆଜି ବି ଶୁଣିବାକୁ ମିଳେ ସେ ଅନୁଷ୍ଠାନ ପାଇଁ ଭିଚ୍ଚଚ୍ଚଥାଳ ଥରି ଓଡ଼ିଶାରୁ କଲିକତା ପର୍ଯ୍ୟନ୍ତ ଦାନ ମାଗିବାକୁ ପଛାଇ ନଥିଲେ। କେବଳ ଯେ ସେ ଜଣେ ଶିକ୍ଷାପ୍ରେମୀ ଥିଲେ ତାହା ନୁହେଁ, ଜଣେ ସୁଲେଖକ ରୂପେ ମଧ୍ୟ ଗୌରବ ଅର୍ଜନ କରିଛନ୍ତି। ତାଙ୍କଦ୍ୱାରା ଲିଖିତ “ଆସନ୍ତା କାଲିର ସାହିତ୍ୟ’ ଏକ ଅନନ୍ୟ କୃତି। ସେ ଜଣେ ନିରପେକ୍ଷ ସାମ୍ବାଦିକ ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ଥିଲେ “ନୂଆଦୁନିଆଁ’ ନାମକ ଏକ ପତ୍ରିକାର ସମ୍ପାଦକ। ତାଙ୍କର ଉଦ୍ୟମ ଓ ଚେଷ୍ଟା ଫଳରେ ସେ କୃଷ୍ଣମୋହନ ନାମକ ଏକ ଗ୍ରନ୍ଥାବଳୀ ସମ୍ପାଦନା କରିଥିଲେ।

୧୯୬୦ ମସିହାର ଏକ ଘଟଣା। ବଡ଼ବିଲସ୍ଥିତ ସିରାଜଉଦ୍ଦିନଙ୍କ ଖଣିରେ ଶ୍ରମିକ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଖଣିର ମାଲିକ ପୋଲିସମାନଙ୍କ ସହାୟତାରେ ଶ୍ରମିକମାନଙ୍କ ଉପରେ ବର୍ବରୋଚିତ ଅତ୍ୟାଚାର କରୁଥିଲେ। ଶୋଷଣ ଓ ମାରଣ ନୀତିକୁ ଅବଲମ୍ବନ କରି ଶ୍ରମିକମାନଙ୍କ ନ୍ୟାଯ୍ୟ ଅଧିକାରକୁ ଲୁଣwନ କରିବାକୁ ପଛାଉ ନଥିଲେ ମାଲିକ ଓ ପୋଲିସ। ପ୍ରାଣନାଥ ବାବୁ ସେଠାରେ କିଛିଦିନ ଡେ଼ରା ପକାଇ ଶ୍ରମିକମାନଙ୍କୁ ସଂଗଠିତ କରାଇ ସମାଧାନର ସୂତ୍ର ତିଆରି କରିଥିଲେ। ସେହିପରି ୧୯୬୫ ମସିହାରେ କୃଷକମାନଙ୍କ ସ୍ୱାର୍ଥ ପାଇଁ ପୁରୀରେ ସତ୍ୟାଗ୍ରହ କରିଥିଲେ। ସରକାର ଏହାକୁ ଭୃକ୍ଷେପ କରିନଥିଲେ। ତେଣୁ ସେ ପୁରୀ କଚେରୀ ପାଖରେ ଧାରଣାରେ ବସିଥିଲେ ଓ ଗିରଫ ହୋଇଥିଲେ। ୧୯୬୫-୧୯୬୬ ମସିହାରେ କଳାହାଣ୍ଡି ଜିଲ୍ଲାରେ କରାଳ ଦୁର୍ଭିକ୍ଷ ହୋଇଥିଲା। ଲୋକମାନେ ଖାଇବାକୁ ନ ପାଇ ମୃତ୍ୟୁବରଣ କରୁଥିଲେ। ଆଉ ମଧ୍ୟ ଅଖାଦ୍ୟ ଖାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିଲେ। ପ୍ରାଣନାଥ ବାବୁ ସେଠାରେ ଡେ଼ରା ପକାଇ ବୈଶାଖ ମାସର ରୌଦ୍ରତାପରେ ପାଦରେ ଚାଲି ଚାଲି ଲୋକମାନଙ୍କୁ ସାହାଯ୍ୟ କରିଥିଲେ। ଏହାକୁ ବିଭିନ୍ନ ଦୈନିକ ପତ୍ରପତ୍ରିକାରେ ପ୍ରକାଶ କରି ଓଡ଼ିଶା ସରକାର ଓ ଭାରତ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ। ଫଳରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏହି ଅଞ୍ଚଳ ପରିଦର୍ଶନରେ ଆସିଥିଲେ। ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କୁ ଏହି ବାବଦରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କର ତୀକ୍ଷ୍ଣ ବୁଦ୍ଧି, ବିଚକ୍ଷଣ କୌଶଳ ଓ ଅକ୍ଳାନ୍ତ ପରିଶ୍ରମ ଫଳରେ ଭୁବନେଶ୍ୱରର ଉପରମୁଣ୍ଡରେ ଥିବା ପଟିଆ ବନ୍ଧ ଓ ପିପିଲି ଜଟଣୀ ରାସ୍ତାର କାକୁଡ଼ିଆ ବନ୍ଧର ନିର୍ମାଣ କାର୍ଯ୍ୟ ସମ୍ଭବପର ହୋଇପାରିଛି।

ଓଡ଼ିଶାର ବୀର ମାଟି ଖୋର୍ଦ୍ଧାକୁ ପ୍ରାଣନାଥ ବାବୁ ଜୀବନଠାରୁ ଅଧିକ ଭଲ ପାଉଥିଲେ। ଖୋର୍ଦ୍ଧା ଥିଲା ତାଙ୍କ ରାଜନୈତିକ ଓ ସାମାଜିକ ସେବାର ପୀଠସ୍ଥଳୀ। ତାଙ୍କର ସରଳତା, ଅମାୟିକ, ଆଦର୍ଶବାଦୀ, ନିଷ୍କପଟତା ଇତ୍ୟାଦି ମହତ ଗୁଣ ମାଧ୍ୟମରେ ସେ ଯେପରି ଲୋକମାନଙ୍କୁ କିଣି ପାରୁଥିଲେ, ସେପରି ତାଙ୍କର ଗୌରବର୍ଣ୍ଣ ଶରୀର ଗଠନ ଶୈଳୀ, ହସହସ ବଦନ, ପୋଷାକପତ୍ର ଓ ବେଶଭୂଷା ମାଧ୍ୟମରେ ଆଦରଣୀୟ ହୋଇ ପାରୁଥିଲେ। ତାଙ୍କ ମନକୁ କେବେହେଲେ ଶତ୍ରୁ, ମିତ୍ର, ପର- ଆପଣା, ଆମର-ତୁମର ଛୁଇଁ ପାରି ନଥିଲା। ସେ ଜାତି, ବର୍ଣ୍ଣ, ସାନ, ବଡ଼, ଦଳ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଭାବରେ ଭଲ ପାଉଥିଲେ। ସାମ୍ୟବାଦ ନୀତିର ସେ ଥିଲେ ପରମ ପୂଜାରୀ। ଗଣତନ୍ତ୍ରବାଦ ଥିଲା ତାଙ୍କର ଜୀବନ। ମାନବିକତା ଗୁଣ ଥିଲା ତାଙ୍କର ଧର୍ମ। ସେହି ମହାନ ବ୍ୟକ୍ତିତ୍ୱ ତଥା ମହାପୁରୁଷ ଓଡ଼ିଶାବାସୀଙ୍କୁ ଦୁଃଖ ସାଗରରେ ଭସାଇ ଦେଇ କଲିକତାରେ ୧୯୭୦ ମସିହା ଅକେଫାବର ୫ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଆଜି ପ୍ରାଣନାଥ ବାବୁ ମରି ମଧ୍ୟ ଅମର। କାରଣ ତାଙ୍କ ସ୍ୱକୃତିର ଗଠନମୂଳକ ଅନୁଷ୍ଠାନ ତଥା ଐତିହାସିକ ଘଟଣାଗୁଡ଼ିକ ଚିର ଅମର ହୋଇଅଛି। ଆଜିର ଯୁବ ପିଢ଼ି ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ଏକାନ୍ତ କାମ୍ୟ। ଫଳରେ ତାଙ୍କର ଅଧୁରା ସ୍ୱପ୍ନ ସାକାର ହେବା ସଂଗେ ସଂଗେ ଅମର ଆତ୍ମା ସଦ୍ଗତି ଲାଭ କରିପାରିବ।

ପ୍ଲ.ନଂ-୭୮୫/୧୨୪୦ ଦୁର୍ଗାମାଧବ ନଗର
ସାମପୁର, ଭୁବନେଶ୍ୱର
(ସୌଜନ୍ୟ – ଉତ୍କଳ ପ୍ରସଂଗ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top