ପ୍ରତାପଙ୍କ ପ୍ରତାପରେ ଲାଗିଲା ଅଂକୁଶ! ଦ୍ୱିଜବର ନୂଆ ବିଜେଡି ବ୍ଲକ ସଭାପତି

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଳକ ବିଜେଡି ରାଜନୀତିରେ ଚାଲିଥିବା ହଟଚମଟର ନୂଆ ମୋଡ ନେଇଛି। ବିଜେଡି ବ୍ଲକ ସଭାପତି ପଦରୁ ପ୍ରତାପ ଧଳଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂତନ ସଭାପତି ରୂପେ ଭଦ୍ରକ ଜିଲାପରିଷଦ ସଭାପତି ଦ୍ୱିଜବର ରାଉତଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ। ବିଜେଡି ରାଜ୍ୟ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ପ୍ରେସ ଇସ୍ତାହାରରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଚାନ୍ଦବାଲି ବିଜେଡିର ବ୍ଲକ ସଭାପତି ଭାବେ ଦ୍ୱିଜବର ରାଉତ ଏବଂ ଚାନ୍ଦବାଲି ଏନଏସ ନଗର ସଭାପତି ଭାବେ ପୂର୍ବତନ ସରପଞ୍ଚ ଖଗେଶ୍ୱର ବଳଙ୍କୁ ନିଯୁକ୍ତି ଦିଆଯାଇଥିବା ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଜଣାଇଛନ୍ତି। ଯାହାକୁ ନେଇ କିଛିଦିନ ହେଲା ଶୁପ୍ତ ରାଜନୀତି ପୁଣି ଚଳଚଞ୍ଚଳ ହୋଇପଡିଛି। ସୂଚନା ଥାଉକି, ମେ ମାସ ୩୧ ତାରିଖ ବ୍ଲକ ସଭାପତି ପ୍ରତାପଚନ୍ଦ୍ର ଧଳ ନିଜ ପଞ୍ଚାୟତ ଯଶିପୁରରେ କିଛି ଲୋକଙ୍କୁ ଡାକି ଏକ କର୍ମୀ ସମ୍ମୀଳନୀ କରିଥିଲେ। ଯେଉଁଥିରେ ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ ମେଳି ବୋଲି ଜୋରଦାର ପ୍ରଚାର ହୋଇଥିଲା। ଏହାକୁ ପ୍ରତିହତ କରିବାକୁ ଯାଇ ଜୁନ ୬ ତାରିଖ ବିଧାୟକ ଶ୍ରୀ ରାୟ ସ୍ଥାନୀୟ ବିଜୁ ସ୍ମୃତି ଭବନକୁ ବ୍ଲକରେ ଥିବା ୩୬ ପଞ୍ଚାୟତର ସଭାପତି, ବିଜେଡି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ଦଳର ଛାମୁଆ ନେତାଙ୍କୁ ନେଇ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଯେଉଁଥିରେ ପ୍ରତାପଙ୍କୁ ସଭାପତି ପଦରୁ ହଟାଇ ତାଙ୍କ ସ୍ଥାନରେ ଭଦ୍ରକ ଜିଲାପରିଷଦର ସଭାପତି ଦ୍ୱିଜବର ରାଉତଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତାବ ଗୃହିତ କରି ଜିଲା ସଭାପତି ଅର୍ଜୁନ ଚରଣ ସେଠୀ, ପର୍ଯ୍ୟବେକ୍ଷକ ଆଠଗଡର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ରାଜ୍ୟ ସଭାପତିଙ୍କ ନିକଟରେ ପହଞ୍ଚି ଥିଲେ। ତେବେ ଦୀର୍ଘ ୨୫ ବର୍ଷ ଧରି ଚାନ୍ଦବାଲି ବ୍ଲକ ବିଜେଡି ସଭାପତି ପଦକୁ ନିଜ ଅକ୍ତିଆରରେ ରଖିଥିବା ପ୍ରତାପଙ୍କୁ ଏହା ଏକ ଝଟ୍କା ବୋଲି ଆଲୋଚନା ହେଉଛି। ଆଗାମୀ ଦିନରେ ଏହି ପ୍ରତାପଙ୍କ କାର୍ଯ୍ୟକଳାପ କଣ ରହିବ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *