ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ସରକାରଙ୍କ ବିଚିତ୍ର ନୀତି ସ୍କୁଲ ଛୁଟି ଅଙ୍ଗନବାଡ଼ି କେନ୍ଦ୍ର ଖୋଲା

ନୟାଗଡ଼, ୨/୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ପ୍ରବଳ ଖରାରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି। ସାରା ଓଡ଼ିଶା ଖରାରେ ଆଉଟୁ ପାଉଟୁ ହେଉଥିବାବେଳେ ନୟାଗଡ଼ ଜିଲ୍ଲା ବି ସେଥିରୁ ବାଦ ପଡ଼ିନି। ଲୋକମାନେ ସକାଳ ୭ଟାରୁ ବାହାରକୁ ବାହାରିପାରୁନାହାନ୍ତି। ଖରାର ପ୍ରକୋପ ଦେଖି ସରକାର ସ୍କୁଲକୁ ମେ ୩ ତାରିଖରୁ ଖରାଛୁଟି କରିବାକୁ ଥିବାବେଳେ ଆଗୁଆ ୮ଦିନ ଆଗରୁ ଖରା ଛୁଟି କରିଦେଲେ। ମାତ୍ର ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା କୋମଳମତି ଶିଶୁମାନଙ୍କ ପ୍ରତି ସରକାର ଅଣଦେଖା କର ଅଙ୍ଗନବାଡ଼ି ଖୋଲା ରଖି ଶିଶୁମାନଙ୍କ ସୁରକ୍ଷା ପ୍ରତି ଆଖି ବୁଜିଦେଇଥିବା ଗୁରୁତର ଅଭିଯୋଗ ହେଉଛି। ଖରାର ପ୍ରକୋପରେ ସାଧାରଣ ଲୋକମାନେ ବେହୋସ ହୋଇପଡ଼ୁଥିବା ଦେଖିବାକୁ ମିଳୁଥିବାବେଳେ କୋମଳ ଶିଶୁମାନଙ୍କ ପାଇଁ କାହିଁକି ଏପରି କଠୋର ନିୟମ କରାଯାଉଛି ବୋଲି ବହୁ ଅଭିଭାବକ ଅଭିଯୋଗ କରିଛନ୍ତି। ଶିଶୁମାନେ ସକାଳୁ ସକାଳୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଥିବାବେଳେ ଘରକୁ ଫେରିଲାବେଳକୁ ଖରାର ତାତି ବଢିଯାଉଛି। ଖରାର ତାତି ସକାଳୁ ସକାଳୁ ଆରମ୍ଭ ହୋଇଯାଉଥିବାବେଳେ କୋମଳମତି ଶିଶୁମାନଙ୍କ ପାଇଁ ଏ ଖରା ତାତି ଅସହ୍ୟ ହୋଇପଡ଼ିଛି। କେତେକ ଅଭିଭାବକ ମଧ୍ୟ ଶିଶୁମାନଙ୍କୁ ଖରାରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ିବାକୁ ଉଚିତ୍ ମଣୁନାହାନ୍ତି। କେତେକ ସ୍ଥାନରେ ଶିଶୁମାନେ ଖରାରେ ଆଲେଜିଆ ହୋଇପଡ଼ିଥିବା ଅଭିଯୋଗ ହେଉଛି। ଜିଲ୍ଲାରେ ଗ୍ରୀଷ୍ମର ପ୍ରକୋପ ବଢି ବଢି ଚାଲିଥିବାବେଳେ ଅଂଶୁଘାତର ଆଶଙ୍କା ସୃଷ୍ଟି ହୋଇଛି। ଏପରିକି କେତେକ ସ୍ଥାନରେ ଲୋକମାନେ ଅଂଶୁଘାତର ଶୀକାର ହୋଇଥିବା ଦେଖାଦେଇଛି। ଦୈନିକ ତାପମାତ୍ରା ୪୦ରୁ ୪୪ ଡିଗ୍ରୀ ରହୁଛି। ପ୍ରବଳ ଖରାକୁ ଆଖି ଆଗରେ ରଖି ସ୍କୁଲ ଛୁଟି କରାଯାଇଥିବାବେଳେ କୋମଳମତି ଶିଶୁମାନଙ୍କ ସୁରକ୍ଷାକୁ ସରକାର କାହିଁକି ଗୁରୁତ୍ୱ ନଦେଇ ଅଙ୍ଗନବାଡ଼ି କେନ୍ଦ୍ରକୁ ଖୋଲା ରଖିଛନ୍ତି ବୋଲି ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ସଂଶୟ ସୃଷ୍ଟି କରିଛି। ଦୃଷ୍ଟିରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଖରାଛୁଟି କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *