ପ୍ରକୃତ ଧର୍ମର ଅର୍ଥ ପ୍ରତ୍ୟେକ ସ୍ଥାନରେ ପ୍ରଭୁଙ୍କ ଦର୍ଶନ କରିବା – କାଲେରା

ରାଉରକେଲା ୮-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସନ୍ଥ ନିରଙ୍କାରୀ ମିଶନର ପୁରୋଧା ସଦ୍ଗୁରୁ ମାତା ସବିନ୍ଦର ହରଦେବଜୀ ମହାରାଜଙ୍କ ଆଦେଶ ଅନୁସାରେ ରାଉରକେଲାରୁ ମିଶନର ପ୍ରଚାର ଅଭିଯାନ ଆରମ୍ଭ ହୋଇଥିଲା। ଏହି ପ୍ରଚାର ଅଭିଯାନକ୍ରମରେ ଛତିଶଗଡ ଅନ୍ତର୍ଗତ ରାୟପୁରର ଜ୍ଞାନ ପ୍ରଚାରକ ଗୁରୁବକ୍ସ ସିଂ କାଲେରାଜୀ, ଶଶିକାନ୍ତ ଜୀ ଓ କଟକରୁ ଆସିଥିବା ଓମ୍ଜୀ ମିଶନର ବାର୍ତ୍ତାକୁ ଜଣ ଜଣଙ୍କ ନିକଟରେ ପହଞ୍ଚାଇଥିଲେ। ଏହି ଅବସରରେ ସ୍ଥାନୀୟ ଆମ୍ବାଗାନ ଭବନ ଠାରେ ୬ ତାରିଖ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଏକ ସତ୍ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଆଜି ଦିନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସିଭିଲ ଟାଉନସିପ୍ ଗାଢାଟୋଲି ସ୍ଥିତ ସନ୍ଥ ନିରଙ୍କାରୀ ଭବନଠାରେ ଏକ ବିଶାଳ ସତ୍ସଙ୍ଗର ଆୟୋଜନ କରାଯାଇଥିଲା। ସେଥିରେ ଶ୍ରୀ କାଲେରା ଗୁରୁଗାଦି ମଣ୍ଡନ କରିବା ସହ ତାଙ୍କ ବିଚାର ମାଧ୍ୟମରେ କହିଲେ ଯେ, ବାସ୍ତବଧର୍ମ ମନୁଷ୍ୟକୁ ମନୁଷ୍ୟ କରି ଗଢିତୋଳେ। ଆତ୍ମ ସମର୍ପଣ ବିନା ପ୍ରଭୁଙ୍କ ଅନୁଭୂତି ସମ୍ଭବ ନୁହେଁ। ସତ୍ୟ ଓ ଅହିଂସା ହିଁ ଭେଦଭାବକୁ ଦୂରେଇ ଦେବାର ଉଚିତ୍ ମାର୍ଗ ଅଟେ। ଆତ୍ମାର ଖାଦ୍ୟ ପରାମାତ୍ମାଙ୍କ ଦର୍ଶନରୁହିଁ ପ୍ରାପ୍ତ ହୋଇଥାଏ। ପ୍ରକୃତ ଧର୍ମର ଅର୍ଥ ପ୍ରଭୁଙ୍କୁ ପ୍ରତ୍ୟେକ ସ୍ଥାନରେ ଦର୍ଶନ କରିବା। ଈଶ୍ୱର ଅନୁଭୂତି ଏବଂ ମାନବ ସମାଜର ସେବା ଧର୍ମର ସଂସ୍ଥାପନା କରିଥାଏ। ଈଶ୍ୱରହିଁ ସତ୍ୟ ଏବଂ ସଦ୍ଗୁରୁଙ୍କ ଆଶୀର୍ବାଦର ଦର୍ଶନ ମିଳେ। ଭକ୍ତ ପାଇଁ ଭଗବାନ ପାଖେ ପାଖେ ଥାନ୍ତି ଏବଂ ରକ୍ଷା କବଚ ଭଳି ଘେରି ରହିଥାନ୍ତି। ଏହି କାର୍ଯ୍ୟକ୍ରମ ପଶ୍ଚିମ ଓଡିଶା ସଂଯୋଜକ ରାମେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସେବାଦଳ ୟୁନିଟ ନମ୍ବର ୩୩୩ର ସଞ୍ଚାଳକ କୁଳମଣି ଜେନା, ଶିକ୍ଷକ ସୁବାଷ ଚନ୍ଦ୍ର ବାରିକ, ସହାୟକ ଶିକ୍ଷକ ହିମାଂଶୁ ନାୟକ, ଆମ୍ବାଗାନ ମୁଖୀ ବିଜୟ ମହାପାତ୍ର, ତିଲିକାନଗର ମୁଖୀ ବଚନ ଉପାଧ୍ୟାୟ ଏବଂ ସମସ୍ତ ସେବାଦଳ ସଦସ୍ୟମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ରାଉରକେଲା, ଆମ୍ବାଗାନ, ତିଲିକାନଗର, ବୀରମିତ୍ରପୁର ଓ ରାଜଗାଙ୍ଗପୁର ଶାଖାର ହଜାର ହଜାର ସନ୍ଥମହାତ୍ମା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *