ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ଚିହ୍ନଟ, ଚିହ୍ନଟର ସମୟସୀମା ସ୍ଥିର ଓ ତୁରନ୍ତ କ୍ଷତିପୂରଣ ଦାବିରେ ସବୁ ଆରଆଇ ଅଫିସ ସାମନାରେ ହେବ ଚାଷୀ ଆନ୍ଦୋଳନ

– ନଭେମ୍ବର ୨୨ରୁ ୩୦ ବିଜେପି ନେତାମାନେ ତୃଣମୂଳ ସ୍ତର ପର୍ଯନ୍ତ ଯାଇ ଉଜୁଡା କ୍ଷେତର ପରିଦର୍ଶନ କରିବେ
– ଡିସେମ୍ବର ମାସ ସାରା ହେବ ରାଜ୍ୟ ବ୍ୟାପୀ ବିକ୍ଷୋଭ ଓ ଆନ୍ଦୋଳନ
– ନକଲି ବିହନ, ନକଲି କୀଟନାଶକ ରାଜ୍ୟ ଚାଷୀକୂଳର ସର୍ବନାଶ କରିଛି
– ନକଲି ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ସରକାରଙ୍କ ଷଡଯନ୍ତ୍ରକୁ ସଫଳ ହେବାକୁ ଦିଆ ଯିବ ନାହିଁ
– ସରପଂଚଙ୍କ ସୁପାରିଶ ଆଧାରରେ ଦଳୀୟ ଲୋକଙ୍କୁ କ୍ଷତିପୂରଣ ଯୋଗାଇବା ପାଇଁ ମସୁଧାର ବିରୋଧ
– ରାଜସ୍ୱ ବିଭାଗ କର୍ମଚାରୀମାନେ ସର୍ବ ସାଧାରଣଙ୍କ ଉପସ୍ଥିତିରେ ସ୍ୱଚ୍ଛତାର ସହ କ୍ଷୟକ୍ଷତିର ଆକଳନ କରିବାକୁ ଦାବି
– ରାଜ୍ୟର ଚାଷୀ ମାନଙ୍କର ଦୁର୍ଦିନ କାଳରେ ସେମାନଙ୍କୁ ସହାନୁଭୁତି ଓ ସହାୟତା ଦେବା ବଦଳରେ ଚାଷୀଙ୍କ କଟା ଘାରେ ରାଜ୍ୟ ସରକାର ଚୁନ ମାରୁଛନ୍ତି
– ୧୧୭ ବିଧାୟକ ଓ ୨୯ ସାଂସଦ ଓ ସଂଖ୍ୟାଧିକ ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟଙ୍କ ଅହଂକାରରରେ ଚାଷୀଙ୍କୁ ସରକାର ତାତ୍ସଲ୍ୟ କରୁଛନ୍ତି
– ବିଜେପିର ଏହି ତୃଣମୂଳ ସ୍ତରର ଆନ୍ଦୋଳନରେ ଚାଷୀ ମାନେ ବ୍ୟାପକ ମାତ୍ରାରେ ସାମିଲ ହେବେ

ଭୁବନେଶ୍ୱର, ୨୦ ନଭେମ୍ବର (ଓଡ଼ିଆ ପୁଅ) – ଚାଷୀ ମାନଙ୍କର ହକ୍ ର ଲଢେଇକୁ ନିର୍ଣାୟକ ମୋଡ ଦେବା ପାଇଁ ରାଜ୍ୟର ସମସ୍ତ ଆରଆଇ ଅଫିସ ପର୍ଯ୍ୟନ୍ତ ଜନ ଆନ୍ଦୋଳନକୁ ନେବା ପାଇଁ ବିଜେପି ନିର୍ଣୟ କରିଛି। ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ଚିହ୍ନଟ, ଚିହ୍ନଟର ସମୟସୀମା ସ୍ଥିର ଓ ତୁରନ୍ତ କ୍ଷତିପୂରଣ ଦାବିରେ ଏହି ଆନ୍ଦୋଳନ ହେବ। ଡିସେମ୍ବର ୧ରୁ ମାସ ଶେଷ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରହିବ। ନଭେମ୍ବର ୨୨ରୁ ୩୦ ବିଜେପି ନେତା ମାନେ କରିବେ ତୃଣମୂଳ ସ୍ତର ପର୍ଯନ୍ତ ଯାଇ ଉଜୁଡା କ୍ଷେତର ପରିଦର୍ଶନ କରିବେ। ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସଭାପତି ଓ ବରିଷ୍ଠ ନେତା ମାନଙ୍କର ବୈଠକରେ ଏହି ମର୍ମରେ ନିର୍ଣୟ ହୋଇଥିବା ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ସ୍ୱଳ୍ପ ବୃଷ୍ଟି କାରଣରୁ ଫସଲ ହାନି ଓ ପରେ ପରେ ଚକଡା ପୋକ ଆକ୍ରମଣ ଓ ପୁଣି ଅଦିନିଆ ବର୍ଷା କାରଣରୁ ରାଜ୍ୟର ଚାଷୀ କୂଳ ସଂକଟରେ ଅଛି। ଗତ କିଛି ଦିନ ହେଲା ଫସଲ ହାନୀ ଓ ଋଣ ଭାର କାରଣରୁ ଚାଷୀ ଆତ୍ମହତ୍ୟା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ବିତର୍କର ବିନ୍ଦୁ ହୋଇଛି। ରାଜ୍ୟ ସରକାର ଇତି ମଧ୍ୟରେ ଦୁଇ- ଦୁଇଟି ପ୍ୟାକେଜ ଘୋଷଣା କରି ସାରିଛନ୍ତି। ପ୍ରାଥମିକ କ୍ଷୟ କ୍ଷତିର ଆକଳନ ମଧ୍ୟ ପ୍ରକାଶ କରିଛନ୍ତିା

ଶ୍ରୀ ମହାନ୍ତି କହିଛନ୍ତି ଯେ ନକଲି ବିହନ, ନକଲି କୀଟନାଶକ ରାଜ୍ୟ ଚାଷୀକୂଳର ସର୍ବନାଶ କରିଛି। ଏପରି ପରିସ୍ଥିତିରେ ରାଜ୍ୟ ସରକାରଙ୍କର ପ୍ୟାକେଜ ଘୋଷଣାର ଲାଭ ନକଲି ଚାଷୀ ନୁହେଁ ପ୍ରକୃତ କ୍ଷୟ କ୍ଷତିର ସାମନା କରିଥିବା ଚାଷୀକୁ ମିଳୁ ଏଥି ପାଇଁ ଦଳ ତରଫରୁ ଆନ୍ଦୋଳନ ଆର ଆଇ ଅଫିସ ପର୍ଯ୍ୟନ୍ତ ନିଆ ଯିବ।

କ୍ଷୟ କ୍ଷତିର ଆକଳନ କରିବାର ଦାୟିତ୍ୱ ରାଜ୍ୟ ରାଜସ୍ୱ ବିଭାଗର। ଜିଲ୍ଲା ପ୍ରଶାସନ ଅଧୀନରେ ତହସିଲ ଓ ଆରଆଇ ଅଫିସର କର୍ମଚାରୀ ମାନେ ହିଁ କ୍ଷୟକ୍ଷତିର ଆକଳନ କରିବେ। ପୂର୍ବରୁ ମରୁଡି, ବନ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ସମୟରେ ନକଲୀ ଚାଷୀ ମାନେ ଲାଭ ଉଠାଇ ନେଇଛନ୍ତି। ଚାଷୀ ନାଁରେ ମିଛ ରିପୋର୍ଟ ତିଆରି କରି ଶାସକ ଦଳର ନେତା- ମନ୍ତ୍ରୀଙ୍କ ସୁପାରିଶରେ ସରକାରୀ ଦଳର କର୍ମୀ ମାନେ ଅର୍ଥକୁ ଚଳୁ କରିଛନ୍ତି। ରାଜ୍ୟରେ ପୂର୍ବରୁ ବିରୋଧୀ ଦଳର ଭୂମିକା ତୁଲାଇବାରେ ସମ୍ପୂର୍ଣ ବିଫଳ କଂଗ୍ରେସର ନିଷ୍କ୍ରିୟତାର ସୁଯୋଗ ନେଇ ଶାସକ ଦଳର ନେତା – ମନ୍ତ୍ରୀ ମାନେ ସମ୍ପୂର୍ଣ ରୂପେ ଚାଷୀ ସ୍ୱାର୍ଥକୁ ଅବହେଳା କରିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ଚାଷୀଙ୍କ କ୍ଷୟ କ୍ଷତିର ଆକଳନ କରି ରିପୋର୍ଟ ଦେବା ପାଇଁ ସରକାର ସରପଂଚ ମାନଙ୍କୁ ନିର୍ଦେଶ ଦେବା ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ମହାନ୍ତି। ରାଜସ୍ୱ ବିଭାଗର ତୃଣମୂଳ ସ୍ତରରେ କର୍ମଚାରୀ ମରୁଡି କାରଣରୁ ସଠିକ ସମୟରେ କ୍ଷୟ କ୍ଷତି ଆକଳନ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଶ୍ରୀ ମହାନ୍ତି। ସରପଂଚ ମାନେ ଜନ ପ୍ରତିନିଧି ଭାବେ ରାଜସ୍ୱ ଅଧିକାରୀ ମାନଙ୍କର ତଥ୍ୟ ଉପଲବ୍ଧ କରାଇ ପାରନ୍ତି ମାତ୍ର ସରପଂଚ ମାନଙ୍କ ରିପୋର୍ଟ ଆଧାରରେ କ୍ଷତିପୂରଣର ତାଲିକା ପ୍ରସ୍ତୁତି ପାଇଁ ସରକାରଙ୍କ ଯୋଜନା ପ୍ରକୃତ ଚାଷୀ ବଦଳରେ ରାଜନୈତିକ ଆଧାରରେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ତାଲିକା ପ୍ରସ୍ତୁତ କରିବା ପାଇଁ ସରକାର ଚାହୁଁଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟର ଚାଷୀ ମାନଙ୍କର ଦୁର୍ଦିନ କାଳରେ ସେମାନଙ୍କୁ ସହାନୁଭୁତି ଓ ସହାୟତା ଦେବା ବଦଳରେ ଚାଷୀଙ୍କ କଟା ଘାରେ ରାଜ୍ୟ ସରକାର ଚୁନ ମାରୁଛନ୍ତି। ୧୧୭ ବିଧାୟକ ଓ ୨୯ ସାଂସଦ ଓ ସଂଖ୍ୟାଧିକ ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟଙ୍କ ଅହଂକାରରରେ ଚାଷୀଙ୍କୁ ସରକାର ତାତ୍ସଲ୍ୟ କରୁଛନ୍ତି। ଚାଷୀର ଭାବାବେଗ ସହ ଖେଳୁଥିବା ସରକାରଙ୍କ ବିରୁଦ୍ଧରେ ବିଜେପିର ଏହି ତୃଣମୂଳ ସ୍ତରର ଆନ୍ଦୋଳନରେ ଚାଷୀ ମାନେ ବ୍ୟାପକ ମାତ୍ରାରେ ସାମିଲ ହେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତିଙ୍କ ସମେତ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ମହେଶ୍ୱର ସାହୁ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତି, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *