ପୌର ଧାରା ୧୦୪କୁ ତାଳଚେର ପୌରପରିଷଦର ଅଣଦେଖା ଅଭିଯୋଗ

ତାଳଚେର, ୯/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) ବିଜେପି କାଉନ୍ସିଲର ବୃନ୍ଦ ତାଳଚେର ପୌରପରିଷଦରେ ଠିକ୍ରେ ବୈଠକ ନହେବାକୁ ନେଇ ତାଳଚେର ଉପଜିଲ୍ଲାପାଳଙ୍କ ଜରିଆରେ ଅନୁଗୋଳ ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରିବା ସଙ୍ଗେସଙ୍ଗେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗର କମିଶନର ତଥା ସେକ୍ରେଟାରୀ ଓ ନିର୍ଦ୍ଦେଶକଙ୍କୁ ଏହି ଅଭିଯୋଗ ଜଣାଇଛନ୍ତି। ତାଳଚେର ନଗରପାଳ ଓ ନିର୍ବାହୀ ଅଧିକାରୀ ପୌର ଧାରା ୧୦୪କୁ ବେଖାତିର କରି ବାର୍ଷିକ ବଜେଟ୍ ଉପସ୍ଥାପନା ନକରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ଯାହାକି ପୌର ଆଇନର ବିରୁଦ୍ଧାଚରଣ କରୁଛି ବୋଲି କାଉନସିଲରଗଣ ଅଭିଯୋଗ କରିଛନ୍ତି। ପୌର ଧାରା ଅନୁଯାୟୀ ଆର୍ଥିକ ବର୍ଷ ଅର୍ଥାତ୍ ମାର୍ଚ୍ଚ ମାସ ପୂର୍ବରୁ ଜାନୁୟାରୀ, ଫେବୃୟାରୀ ମାସ ସୁଧା ବାର୍ଷିକ ବଜେଟ୍ ଉପସ୍ଥାପନା କରାଯାଇ ଏହାର ଅନୁମୋଦନ ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରେରଣ କରିବା କଥା ଏବଂ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ସେହି ବାର୍ଷିକ ବଜେଟ୍ ପାରିତ ହୁଏ। ପୌର ପରିଷଦ ପୌରାଂଚଳରେ ବର୍ଷସାରା କେଉଁ ବାବଦରେ କେତେ କେତେ ଟଙ୍କା ଖର୍ଚ୍ଚ କରିବ ତାହା ଏହି ବଜେଟ୍ ତାଲିକାରେ ଲିପିବଦ୍ଧ ହୋଇଥାଏ। ପ୍ରକାଶ ଥାଉକି, ୨୦୧୮-୧୯ ବାର୍ଷିକ ବଜେଟ୍ ମାର୍ଚ୍ଚ ମାସ ଯାଇ ମଇ ମାସ ଚାଲୁଥିବା ସ୍ଥଳେ ଅଦ୍ୟାବଧି କୌଣସି ବଜେଟ୍ ଉପସ୍ଥାପନା କରା ଯାଇନାହିଁ। ଯାହାକି ସଂପୂର୍ଣ୍ଣ ପୌର ଆଇନ୍କୁ ବିରୁଦ୍ଧାଚରଣ କରୁଛି। ବଜେଟ୍ ଉପସ୍ଥାପନା କି ଅନୁମୋଦନ ନହୋଇ କେଉଁ ଆଇନ୍ ବଳରେ ନଗରପାଳ ଓ ନିର୍ବାହୀ ଅଧିକାରୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ସେହିପରି ନଗରପାଳ ନିୟମିତ ମାସିକ ସାଧାରଣ ବୈଠକ କରୁନାହାନ୍ତି। ପ୍ରତି ୫/୬ ମାସରେ ଥରେ ବୈଠକ କରୁଛନ୍ତି ଏବଂ ଏହା ନଗରପାଳଙ୍କ ମନମୁଖୀ ଓ ଦୁର୍ନିତୀଗ୍ରସ୍ତ ମନୋଭାବ ବୋଲି ମଧ୍ୟ ବିଜେପି କାଉନସିଲରମାନେ ଅଭିଯୋଗ କରିଛନ୍ତି। ଏହି କାଉନସିଲ ଚଳିତ ମାସକୁ ମିଶାଇ ୫୬ ମାସ ପୁରି ଯାଇଥିବା ସ୍ଥଳେ ଅଦ୍ୟାବଧି ମାତ୍ର ୧୪ଗୋଟି ସାଧାରଣ ବୈଠକ ହୋଇଛି ବୋଲି ବିଜେପି କାଉନସିଲରମାନେ ଅଭିଯୋଗ କରିଛନ୍ତି। ଏ ଭଳି ବେଆଇନ୍ କାର୍ଯ୍ୟକୁ ବିରୋଧ କରିବା ସହ ତୁରନ୍ତ ବାର୍ଷିକ ବଜେଟ୍ ଉପସ୍ଥାପନ କରିବା ପାଇଁ କାଉନସିଲର ପ୍ରକାଶ ମହାରଣା, ଜୟନ୍ତ ଭୂତିଆ, ବାଲ୍ମିକି ପ୍ରସାଦ କେଶରୀ, ଜ୍ଞାନେନ୍ଦ୍ରୀୟ ସେଠୀ, କବିତା ବେହେରା ଓ ଜିତେନ୍ଦ୍ର ଦାସ୍ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *