ପୌର କାଉନସିଲ ବୈଠକରେ ସୀମା ବୃଦ୍ଧି ଆଲୋଚନା

ପୁରୀ ୧/୮(ଓଡ଼ିଆପୁଅ/ ବିଜୟ ପଟ୍ଟନାୟକ)୨୦୧୧ ଜନଗଣନା ଅନୁସାରେ ପୁରୀ ସହରର ଜନସଂଖ୍ୟା ୨ଲକ୍ଷ ୫୬୪ । ୩୨ଟି ୱାର୍ଡକୁ ନେଇ ପୌରସଂସ୍ଥା ଗଠିତ ହୋଇଛି । କିନ୍ତୁ ସହରର କଳେବର ବଢ଼ିବାରେ ଲାଗିଛି । ସମୁଦ୍ରକୂଳ ମାର୍ଗର ହୋଟେଲ ହାନ୍ସକୋକୋପାମ୍ ଠାରୁ ମଙ୍ଗଳାନଦୀ ପର୍ଯ୍ୟନ୍ତ ଅଞ୍ଚଳରେ ଜନବସତି ବଢ଼ିବା ସହିତ ବିକାଶ ହେଉଛି । ଏହି ଅଞ୍ଚଳ ପୁରୀ ସଦର ଅଞ୍ଚଳରେ ରହିଛି । ସେହିପରି ଭୂବନେଶ୍ୱର ପାଶ୍ୱର୍ ସହର ବାଟଗାଁ ପର୍ଯ୍ୟନ୍ତ ସହର ବଢ଼ିଲାଣି । ଏହିସବୁ ଅଞ୍ଚଳକୁ ନେଇ ପୁରୀ ସହରର ସୀମା ବୃଦ୍ଧି କରାଯିବାକୁ ଗତକାଲି ଅନୁଷ୍ଠିତ ପୌରସଂସ୍ଥା କାଉନ୍ସିଲ୍ ବୈଠକରେ ଦାବି ଉଠିଛି । ଏଥିଲାଗି ପୌରସଂସ୍ଥା ନକ୍ସା ମଧ୍ୟ ପ୍ରସ୍ତୁତ କରିସାରିଛି । ଏହାକୁ କାଉନ୍ସିଲ୍ ବୈଠକରେ ଅନୁମୋଦନ କରାଯାଇ ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ପଠାଯିବ । ଏହି ପ୍ରସ୍ତାବ ଅନୁମୋଦନ କରି ରାଜ୍ୟ ସରକାରଙ୍କୁ ଦେବାଲାଗି ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବାକୁ ବୈଠକରେ ସ୍ଥିର ହୋଇଛି । ସୀମା ବୃଦ୍ଧି ହେଲେ ଗୋପୀନାଥ ପୁର, ସମଙ୍ଗ, ବାଲି ଗୁଆଳି ଏବଂ ବୀରହରେକୃଷ୍ଣପୁର ପଞ୍ଚାୟତର କିଛି କିଛି ଅଞ୍ଚଳ ପୌରସଂସ୍ଥା ଅଧୀନକୁ ଆସିବ । ସହରସୀମା ବୃଦ୍ଧି ହେଲେ ଭୋଟର ସଂଖ୍ୟା ବଢ଼ିବ । ୩ଲକ୍ଷଭୋଟର ହେଲେ ମହାନଗର ନିଗମ ଗଠନ ହୋଇପାରିବ ବୋଲି ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି । ସ୍ଥାନୀୟ ନୂତନ କାଉନ୍ସିଲ୍ ହଲ୍ ଠାରେ ନଗରପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ପୌରସଂସ୍ଥାର କାଉନ୍ସିଲ୍ ବୈଠକ । ଗତ ବୈଠକରେ ପାରିତ ହୋଇଥିବା ପ୍ରସ୍ତାବ ଗୁଡ଼ିକ ଗୃହିତ କରାଯାଇଥିଲା । ବର୍ତ୍ତମାନ ସରକାରଙ୍କ ବିଭିନ୍ନ ଭତ୍ତାଗୁଡ଼ିକ ଅନ୍ଲାଇନ୍ ଜରିଆରେ ଦିଆଯିବାକୁ ନିଦେ୍ର୍ଦଶ ରହିଛି । ଏହାଦ୍ୱାରା ବିଭିନ୍ନ ସମସ୍ୟା ଉପୁଜୁଥିବାରୁ ଏକ ସ୍ୱତନ୍ତ୍ର ବୈଠକ କରିବା ଲାଗି ଆଲୋଚନା ହୋଇଛି । ବୈଠକରେ ଆୟ୍ୟବ୍ୟୟର ଅଟକଳ ଆଲୋଚନା ହୋଇଥିଲା । ସମୟ ଅଭାବରୁ ବୈଠକକୁ ଅଧାରୁ ମୁଲତବୀ କରାଯାଇଥିଲା । ବୈଠକରେ ଉପାଧ୍ୟକ୍ଷା ଶାନ୍ତିଲତା ପ୍ରଧାନ, କାଉନ୍ସିଲର୍ ଏବଂ ପୌର ନିର୍ବାହୀ ଅଧିକାରୀ ସଞ୍ଜୟ ମିଶ୍ର, ଏନ୍ଫୋର୍ସମେଣ୍ଟ ଅଫିସର ଅଭିମନ୍ୟୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *