ପୋଷ୍ଟଅଫିସ୍ ଉଠିଯିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ଧାରଣା

ଯାଜପୁର ୧୪/୭(ଓଡିଆ ପୁଅ / ଏ.ରାଉତ) – ଜନପ୍ରତିନିଧି ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ନଜଣାଇ ଚଞ୍ଚକତା କରି ପୋଷ୍ଟଅଫିସ ଉଠାଇ ନେଉଥିବାରୁ ଗ୍ରାମବାସୀମାନେ ଡାକ କର୍ମଚାରୀମାନଙ୍କୁ ଅଟକ ରଖିବା ସହ ଧାରଣାରେ ବସିରହିଛନ୍ତି। ଘଟଣାଟି ଘଟିଛି ଯାଜପୁର ବ୍ଲକ୍ ଜାହାନପୁର ପଞ୍ଚାୟତ ମୀରଚାନ୍ଦପୁର ପୋଷ୍ଟଅଫିସରେ। ମୀରଚାନ୍ଦପୁର ପୋଷ୍ଟଅଫିସ୍ଟି ସ୍ୱାଧୀନତ ପୂର୍ବରୁ ଅବସ୍ଥିତ। ଏହି ପୋଷ୍ଟଅଫିସ୍ ଉପରେ କପିଳେଶ୍ୱର, ମୀରଚାନ୍ଦପୁର, କଳସପୁର, ତ୍ରିଲୋଚନପଡ଼ା, ବାଛିଆରୀ, ବାଲିଆମୁଣ୍ଡୁଳି, ପଦିନୀ ପ୍ରଭୃତି ଗ୍ରାମର ଅଧିବାସୀମାନେ ପୋଷ୍ଟଅଫିସ୍ ସମ୍ବନ୍ଧୀୟ ସମସ୍ତ ବିଷୟରେ ସୁବିଧା ପାଇଆସୁଛନ୍ତି। କିଛି ହୀନଚକ୍ରାନ୍ତ ଓ ରାଜନୀତି ବ୍ୟକ୍ତି ଚକ୍ରାନ୍ତ କରି ମୀରଚାନ୍ଦପୁର ପୋଷ୍ଟଅଫିସ୍କୁ ଦଶରଥପୁର ବ୍ଲକ୍ ଖଣ୍ଡରା ଗ୍ରାମକୁ ଉଠାଇ ନେବାପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଏ ବିଷୟରେ ଜାଣିବାକୁ ପାଇ ମୀରଚାନ୍ଦପୁର ପୋଷ୍ଟ ଅଫିସ ଅଧିନସ୍ଥ ଗ୍ରାମର ଅଧିବାସୀ ଓ ସରପଞ୍ଚ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ପୋଷ୍ଟଅଫିସ୍ର ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କୁ ଭେଟି ମୀରଚାନ୍ଦପୁରଠାରେ ପୋଷ୍ଠଅଫିସ୍ ରଖିବାକୁ ଅନୁରୋଧ କରିଥିଲେ। ଚଳିତମାସ ୯ ତାରିଖ ଦିନ ପଞ୍ଚାୟତର ସରପଞ୍ଚ ସୁଧାଂଶୁ ଭୂଷଣ ଆଚାର୍ଯ୍ୟ ଓ ଗ୍ରାମବାସୀମାନେ ଯାଜପୁର ମୁଖ୍ୟ ପୋଷ୍ଟଅଫିସ୍ର ସୁପରିଟେଣ୍ଡେଣ୍ଟଙ୍କୁ ଭେଟି ମୀରଚାନ୍ଦପୁର ପୋଷ୍ଟଅଫିସ୍ ନଉଠାଇବା ପାଇଁ ଦାବି କରିବା ସହ ଆଲୋଚନା କରିଥିଲେ। ୧୨ ତାରିଖ ଦିନ ପୁନର୍ବାର ଆଲୋଚନା ହେବ ବୋଲି ସୁପରିଟେଣ୍ଡେଣ୍ଟ, ସରପଞ୍ଚ ଓ ଗ୍ରାମବାସୀଙ୍କୁ କହିଥିଲେ। ମାତ୍ର ଗୁରୁବାର ଦିନ ମୀରଚାନ୍ଦପୁର ପୋଷ୍ଟଅଫିସ୍ର ପୋଷ୍ଟମାଷ୍ଟର ରୋଜାଲିନ ଆଚାର୍ଯ୍ୟ ଓ ପୋଷ୍ଟପିଅନ ବିଶ୍ୱରଞ୍ଜନ ମିଶ୍ର ସମସ୍ତ କାଗଜପତ୍ର ସହ ପୋଷ୍ଟଅଫିସ୍କୁ ଖଣ୍ଡରା ଗ୍ରାମକୁ ସ୍ଥାନାନ୍ତରିତ କରୁଥିବା ଖବର ପ୍ରଚାରିତ ହେବାପରେ ମୀରଚାନ୍ଦପୁର, କପିଳେଶ୍ୱର, ବାଛିଆରୀ, ତ୍ରିଲୋଚନପଡ଼ା, କଳସପୁର ଆଦି ଗ୍ରାମର ଅଧିବାସୀମାନେ ପୋଷ୍ଟଅଫିସ୍ ନିକଟରେ ପହଞ୍ଚି ପୋଷ୍ଟଅଫିସ୍ କର୍ମଚାରୀଙ୍କୁ ଅଟକ ରଖିବା ସହ ପୋଷ୍ଟଅଫିସ୍ରେ ଧାରଣାରେ ବସିରହିଥିଲେ। ଏ ବିଷୟରେ ପୋଷ୍ଟପିଅନ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟଙ୍କୁ ଜଣାଇବାରେ ଉପରିସ୍ଥ ଅଫିସର ଗ୍ରାମବାସୀଙ୍କ ନାମରେ ଥାନାରେ ମାମଲା କରିବାକୁ କହିଛନ୍ତି ବୋଲି ବିଶ୍ୱରଞ୍ଜନ ସୂଚନା ଦେଇଛନ୍ତି। ଅନ୍ୟପଟେ ମୀରଚାନ୍ଦପୁର ପୋଷ୍ଟଅଫିସ୍ କର୍ମଚାରୀମାନେ ଜାତିଗତ ନେଇ ଗାଳିଗୁଲଜ କରିଥିବାରୁ ଜନୈକ ମହିଳା ଯାଜପୁର ସଦର ଥାନାରେ ଅଭିଯୋଗ କରିଥିବାର ଜଣାଯାଏ। ପ୍ରଶାସନ ଓ ପୋଷ୍ଟଅଫିସ୍ର ସୁପରିଟେଣ୍ଡେଣ୍ଟ ମୀରଚାନ୍ଦପୁର ପୋଷ୍ଟଅଫିସ୍ ଉଠାଇବା ନିଷ୍ପତ୍ତିକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି। ଯଦି ଦରକାର ପଡ଼େ ରାସ୍ତା ଅବରୋଧ କରାଯିବ ବୋଲି ଗ୍ରାମବାସୀମାନେ ସୂଚନା ଦେଇଛନ୍ତି। ଘଟଣା ଲେଖାହେବା ପର୍ଯ୍ୟନ୍ତ ପୋଷ୍ଟଅଫିସ୍ କର୍ମଚାରୀମାନେ ଅଟକ ରହିବା ସହ ଗ୍ରାମବାସୀମାନେ ଧାରଣା ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *