ପୋଲ ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ପାରଳାଖେମୁଣ୍ଡି,୨୮ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ଅନ୍ତର୍ଗତ ୨ଟି ବୃହତ ପୋଖରି ସଂକୁରି ପୋଖରି ଓ ପଟ୍ଟନାୟକ ପୋଖରି ମଧ୍ୟରେ ପାଦଚଲା ପୋଲ ନିର୍ମାଣ ଏବଂ ପଟ୍ଟନାୟକ ପୋଖରିର ସୌନ୍ଦର୍ଯ୍ୟକରଣ ପାଇଁ ଶୁଭ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ ଏବଂ ଗଜପତି ଜିଲାପାଳ ଅନୁପମ ସାହାଙ୍କ ଉପସ୍ଥିତିରେ ହୋଇଛି । ପାଦଚଲା ପୋଲ ନିର୍ମାଣ ପାଇଁ ବିଧାୟକଙ୍କ ଆଞ୍ଚଳିକ ବିକାଶ ପାଣ୍ଠିରୁ ୧୬ଲକ୍ଷ୫୦ହଜାର ଟଙ୍କା ବ୍ୟୟ ମଞ୍ଚୁର ହୋଇଥିବାର ଜଣାପଡିଛି । ଏହି ପାଦଚଲା ପୋଲ ୨୮ଟି ସ୍ତମ୍ଭ ଉପରେ ନିର୍ମାଣ ହେବାକୁ ଥିବା ବେଳେ ଏହାର ଓସାର ୨.୧୦ମିଟର ଏବଂ ଲମ୍ବ ୯୫ମିଟର ରହିବ ବୋଲି ପୌରପରିଷଦ ପକ୍ଷରୁ କୁହାଯାଇଛି । ସେହିପରି ପଟ୍ଟନାୟକ ପୋଖରିର ସୌନ୍ଦର୍ଯ୍ୟକରଣ ପାଇଁ ମୋଟ ୫୧ଲକ୍ଷ ୮୦ହଜାର ଟଙ୍କା ବ୍ୟୟ ମଞ୍ଚୁର ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପୋଖରି ଚତୁପାର୍ଶ ସୌନ୍ଦର୍ଯ୍ୟ ପାଇଁ ୨୫ଲକ୍ଷ ୭୮ହଜାର ୮୩୪ଟଙ୍କା ବ୍ୟୟ ମଞ୍ଚୁର କରାଯାଇଛି । ୨ୟ ପର୍ଯ୍ୟାୟରେ ସୌନ୍ଦର୍ଯ୍ୟକରଣ କାମ ପାଇଁ ୩ଗୋଟି ଗାଧୁଆ ତୁଠ ନିର୍ମାଣ କରିବାକୁ ୩ଲକ୍ଷ ୪୨ହଜାରଟଙ୍କା ବିଦୁ୍ୟତକରଣ ପାଇଁ ୯ଲକ୍ଷ ୩୮ହଜାରଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ପୋଖରି ପାର୍ଶରେ ବୃକ୍ଷରୋପଣ ପାଇଁ ୭ଲକ୍ଷ୯୮ହଜାରଟଙ୍କା ଓ ଲୋକଙ୍କ ବସିବା ଉପଯୋଗି ସାମଗ୍ରୀ ପାଇଁ ୫ଲକ୍ଷ୩୨ହଜାର ଟଙ୍କା ବ୍ୟୟ ମଞ୍ଚୁର ହୋଇଛି । ଦିର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଏହି ୨ଟି ପୋଖରି ପୁନରୁଦ୍ଧାର କରାଯାଇ ସହରବାସୀଙ୍କ ମନୋରଞ୍ଜନ ଓ ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ରଖାଯାଇ ପଦକ୍ଷେପ ନିଆଯାଇଥିବାରୁ ବିଭିନ୍ନ ମହଲରେ ପ୍ରଶଂସା ହୋଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌରନିର୍ବାହି ଅଧିକାରୀ ଅଶୋକ କୁମାର ରାଉତ, କାଉନସିଲର ବିଭୁତି ନାୟକ, ପୌରଯନ୍ତ୍ରୀ ବି.ଭେଙ୍କଟ ରମଣ, କନିଷ୍ଠଯନ୍ତ୍ରୀ ଡି.ଜୁଧିଷ୍ଟର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *