ଓଡ଼ିଶା

ପୋଲସରା ବ୍ଲକର ୧୯ଟି ଖେଳପଡିଆର ପତ୍ତା ମିଳୁନି : ଭିଜିଲାନ୍ସ ବିଭାଗ କୋମାରେ !

ପୋଲସରା : ୨୧/୦୯ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଛି। ମନରେଗା ଯୋଜନାରେ ୨୦୧୩ – ୧୪ ଓ ୨୦୧୫-୧୬ ଆର୍ଥିକ ବର୍ଷରେ ୧୯ଟି ଖେଳପଡିଆ ନିର୍ମାଣ ହୋଇଥିବା କଥା କାଗଜପତ୍ର ମାଧ୍ୟମରେ ଦର୍ଶାଯାଇଛି ସତ, କିନ୍ତୁ କୌଣସି ଖେଳପଡିଆର ପତ୍ତା ମିଳୁନି। ସାମାଜିକ କର୍ମୀ ସମରଜିତ ମହାନ୍ତି ସୂଚନା ତଥ୍ଯ ଆଧାରରେ ଏହି ଘଟଣାକୁ ଲୋକଲୋଚନକୁ ଆଣିବା ସହ ପ୍ରଶାସନିକ ତଦନ୍ତ ତଥା ଭିଜିଲାନ୍ସକୁ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତଦନ୍ତରେ ବିଲମ୍ବ ହେବାରୁ ହାଇକୋର୍ଟରେ ଏ ନେଇ ଏକ ରିଟ୍ ପିଟିସନ୍ ୨୨୬, ୨୨୭ – ୨୧୬୮୩ / ୨୦୧୬ ପ୍ରକାରେ ମାମଲା ରୁଜୁ କରିଥିଲେ। ଘଟଣା ସମ୍ପର୍କରେ ଜଣାପଡିଛି ଯେ,ବର୍ତିନି ପଞ୍ଚାୟତର ଗୋପିନାଥ ବିଦ୍ଯାପୀଠ, ବୁଢେଇଶୁଣି ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚିରିକିପଡା ଶାସନର ବିରିପୁରୁ, କୋଣଛାଇ ପଞ୍ଚାୟତର ହାତୀପାଦପଲୀ, ଖଣ୍ଡୁରୁ ପଞ୍ଚାୟତର ଖଣ୍ଡୁରୁ ଓ ଚଢ଼ିଆପଡା, ମଧୁପଲୀ ପଞ୍ଚାୟତର ମଧୁପଲୀ ଓ ସୁନାରୀବୁଗୁଡା, ମନ୍ଦାର ପଞ୍ଚାୟତର ମନ୍ଦାର, ହାତୀଓଟ ପଞ୍ଚାୟତର ପ୍ରାଣଦେଇପୁର, ସୋଡକ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ, ବାଲିଛାଇ ପଞ୍ଚାୟତର ଡୁଗଂରି, ବନ୍ଥପଲ୍ଲୀ ପଞ୍ଚାୟତର ଶିବ ମନ୍ଦିର ନିକଟରେ, ଢୁକାଂପଡା ପଞ୍ଚାୟତର ଗ୍ରାମ ଖେଳପଡିଆ, ଡିମିରିଆ ଗ୍ରାମ, କୃଷ୍ଣ ନଗର, ଘୋଡାପଲାଣ, ବ୍ରାହ୍ମଣଦେଇପୁର ଖେଳପଡିଆ ଏହିପରି ୧୯ଟି ଖେଳପଡିଆ ନିର୍ମାଣ ହୋଇଥିବା ଏବଂ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅନୁଦାନ ଅର୍ଥ ମୋଟ ୬୩,୦୧,୧୪୮ ଟକାଂ ବ୍ୟୟ ହୋଇଛି ବୋଲି ସୂଚନା ତଥ୍ଯରୁ ଜଣାପଡିଥିଲା।

ସବୁଠାରୁ ବିସ୍ମୟର କଥା ହେଉଛି ଯେ, ନିର୍ମିତ ୧୯ ଟି ଖେଳପଡିଆ ମଧ୍ଯରୁ ଜେ. ଡେଙ୍ଗାପଦର ଗ୍ରାମରେ ୪ ଟି ଖେଳପଡିଆ ନିର୍ମାଣ ପାଇଁ ୧୬,୬୫,୦୧୮ ଟଙ୍କା ବ୍ୟୟ ହୋଇଥିବା ସୂଚନା ତଥ୍ଯରୁ ଜଣାପଡିଛି। ଯେଉଁ ସ୍ଥାନରେ ଖେଳପଡିଆ ନିର୍ମାଣ ହୋଇଥିବା ଦର୍ଶାଯାଇଛି, ସେହି ସ୍ଥାନରେ ଖେଳପଡିଆ ନଥିବା କଥା ଗ୍ରାମବାସୀ ମାନେ କହିଥିଲେ। ଅନ୍ଯ କିଛି ଖେଳପଡ଼ିଆ ର ସ୍ଥାନ ଶିବମନ୍ଦିର, ନଦୀପଠା, ପାହାଡ଼ ଶିଖର ଏବଂ ଶ୍ମଶାନ ଘାଟ ବୋଲି ଜଣାପଡିଛି। ଏହି ସମସ୍ତ ଖେଳପଡିଆର ତଦନ୍ତ ଦାୟିତ୍ବ ବ୍ରହ୍ମପୁର ଭିଜିଲାନ୍ସ ଡି ଏସ୍ ପି ବେଣୁଧର ନାୟକଙ୍କ ତତ୍ବାବଧାନରେ ତଦନ୍ତ ହେଉଛି। ହାଇକୋର୍ଟକଂ ନିର୍ଦ୍ଦେଶ ସତ୍ବେ ତଦନ୍ତ ଶୀତଳ ହେବା ଯୋଗୁଁ ପୁନର୍ବାର ହାଇକୋର୍ଟରେ ପ୍ରଶାସନ ଓ ଭିଜିଲାନ୍ସ ବିରୁଦ୍ଧରେ ରିଟ୍ ପିଟିସନ ଦାଖଲ କରାଯାଇଥିଲା। ରିଟ୍ ପିଟିସନ ପରେ ଭିଜିଲାନ୍ସ ଗୋଟିଏ ଖେଳପଡିଆକୁ ( ଜେ. ଡେଙ୍ଗାପଦର) ନେଇ ମୋକଦ୍ଦମା ରୁଜୁ ହୋଇଛି। କେଶ୍ ନଂ-୧୮/୨୮.୦୪.୨୦୧୮ ଅନୁଯାୟୀ ପୂର୍ବତନ ସରପଞ୍ଚ ସୁକାନ୍ତ କୁମାର ଭୂୟାଁ, ପୂର୍ବତନ କନିଷ୍ଠ ଯନ୍ତ୍ରୀ ତଥା ବର୍ତ୍ତମାନର କୁକୁଡ଼ାଖଣ୍ଡି ବ୍ଲକର ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ବରାଡ଼, ଗାଁ ସାଥୀ କବିରାଜ ଦାସ, ଗ୍ରାମ ରୋଜଗାର ସେବକ ପିଙ୍କି ବିଶ୍ଵାଳ ମୋଟ ୫ ଜଣଙ୍କ ନାମରେ ମୋକଦ୍ଦମା ରୁଜୁ ହୋଇଛି। ଚାରି ଲକ୍ଷ ଲକ୍ଷ ୫୧ ହଜାର ୭୨୮ ଟକାଂ ଆର୍ଥିକ ହେରଫେର ହୋଇଥିବା କଥା ତଦନ୍ତରୁ ଜଣାପଡିଛି। ଏହି ମୋକଦ୍ଦମା ପରେ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଉଚ୍ଚ ନ୍ଯାୟାଳୟଙ୍କ ଠାରୁ ଜାମିନରେ ଆସି ବ୍ରହ୍ମପୁର ଭିଜିଲାନ୍ସ କୋର୍ଟରେ ହାଜର ହୋଇ ଜାମିନରେ ଯାଇଛନ୍ତି। ଏହି ଦୁର୍ନୀତି ପାଇଁ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ସହକାରୀ ଯନ୍ତ୍ରୀରୁ କନିଷ୍ଠ ଯନ୍ତ୍ରୀ ପଦବୀରେ ନିଯୁକ୍ତି ଦିଆଯାଇଛି। ଯନ୍ତ୍ରୀ ଶ୍ରୀ ଆଚାର୍ଯ୍ୟ ବର୍ତ୍ତମାନ ଦୀର୍ଘ ଦିନ ଛୁଟିରେ ରହିଥିବା ଜଣାପଡ଼ିଛି। ଅନ୍ଯ ୧୮ଟି ଖେଳପଡିଆ ସମ୍ପର୍କରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଭିଜିଲାନ୍ସକୁ ପଚାରିଲେ, ପୋଲସରା ବିଡିଓ ସଂପୃକ୍ତ ଖେଳପଡିଆ ଫାଇଲ ଦେଉନଥିବା କଥା ଭିଜିଲାନ୍ସ କହୁଛି। ଏବଂ ଜିଲ୍ଲାପାଳ, ଆର. ଡି. ସି କୁଂ ଚିଠି ଲେଖିଥିବା କଥା ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ୨ ବର୍ଷ ହେଲା ପୋଲସରା ବ୍ଲକ ଫାଇଲ ନ ଦେବା ପଛରେ ରହସ୍ୟ କଣ? ଫାଇଲ ନ ମିଳିବା ଆଳରେ ଭିଜିଲାନ୍ସ ତଦନ୍ତ ତଦନ୍ତକୁ ଶୀତଳ କରୁଥିବା ନେଇ ଏହା ପଛରେ ରାଜନୈତିକ ଚାପ ରହିଛି କିମ୍ବା ମୋଟା ଅଙ୍କର କାରବାର ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଡି. ଏସ୍. ପି ବେଣୁଧର ନାୟକଙ୍କ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଭିଜିଲାନ୍ସ କୋମା ଅବସ୍ଥାରୁ କେବେ ମୁକ୍ତ ହେବ ଓ ଭ୍ରଷ୍ଟାଚାର ତଥା ଦୁର୍ନୀତିଖୋରକଂ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ସେ ନେଇ ସାଧାରଣରେ ଆଲୋଚନା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top