ପୋଲସରା ନିର୍ବାଚନ ମଣ୍ଡଳୀରେ ନବନିର୍ମାଣ କୃଷକ ସଂଗଠନର ରଣହୁଙ୍କାର, ୧୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରଙ୍କୁ ସ୍ମାରକ ପତ୍ର

ପୋଲସରା ୯/୭ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଶୁକ୍ରବାରଦିନ ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀର ପୋଲସରାଠାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୫ ଦଫା ଦାବି ନେଇ ଏକ ରଣହୁଙ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଯୋଜକ ସଚିନ୍ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ଥାନୀୟ ଲୁଣିଘାଟି ପଡିଆଠାରୁ ଏକ ବିଶାଳ ରାଲି ବାହାର କରାଯିବା ସହିତ ହାତରେ ବିଭିନ୍ନ ଫ୍ଲା-କାର୍ଡ, ହାତରେ ବାଡି, ମୁଣ୍ଡରେ ତଲାରି, ହାତରେ ଜାତୀୟ ପତାକା ଧରି ଚାଷ ବଞ୍ଚାଅ, ଚାଷୀ ବଞ୍ଚାଅ, ଚାଷି ବଞ୍ଚିଲେ ଦେଶ ବଞ୍ଚିବ, ଧାନ କ୍ୱିଣ୍ଟାଲ୍ ୫ହଜାର ଟଙ୍କା, ଚାଷି ପେନ୍ ସନ୍ ୫ହଜାର ଟଙ୍କା ଏବଂ ଋଣ ଛାଡ ଆଦି ସ୍ଲୋଗାନ୍ ଜରିଆରେ ରାଲି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏଥିରେ ବ୍ଲକର ଏନ୍ .ଏ.ସି ସମେତ ୨୬ ଗୋଟି ପଞ୍ଚାୟତରୁ ଆସି ଯୋଗ ଦେଇଥିବା ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ୱ ପୁରୁଷ ଏବଂ ମହିଳା ଚାଷୀମାନେ ଦୀର୍ଘ ୨ ଘଣ୍ଟା ସମୟ ଧରି ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଖାଲି ଚଟାଣରେ ଧାରଣାରେ ବସିଥିଲେ। ଏହି ଅବସରରେ ସଂଗଠନର ଜାତୀୟ ନେତା ଅକ୍ଷୟ କୁମାର ଯୋଗ ଦେଇ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତିର ତୀବ୍ର ସମାଲୋଚନା କରିବା ସହିତ କୃଷକ ହେଉଛି ଦେଶର ମେରୁଦଣ୍ଡ ସେଥିପାଇଁ ସ୍ୱର୍ଗତ ପ୍ରଧାନ ମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ କୃଷକମାନଙ୍କ ଦକ୍ଷତାକୁ ନେଇ “ଜୟ ଜବାନ୍, ଜୟ କିଷାନ୍ ” ର ଯୁଗାନ୍ତକାରୀ ଶ୍ଲୋଗାନ୍ ଦେଇଥିଲେ। ପରବର୍ତ୍ତୀ ସରକାର ଏବଂ ବର୍ତ୍ତମାନ ସରକାର ମଧ୍ୟ ଏହି ସ୍ଲୋଗାନ୍ କୁ ମୁକ୍ତ କଣ୍ଠରେ ସ୍ୱିକାର କରି ଆସୁଥିଲେ ମଧ୍ୟ ସାମ୍ପ୍ରତିକ ସ୍ଥିତିରେ ସରକାର ଚାଷୀମାନଙ୍କୁ ଅଣଦେଖା କରୁଥିବାରୁ ଦେଶର ଆର୍ଥôକ ମେରୁଦଣ୍ଡ ରୂପେ ପରିଚିତ ଚାଷୀ ଚାଷରେ କ୍ଷତି ସହି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି ବୋଲି ଅତି କ୍ଷୋଭର ସହିତ କହିଥିଲେ ଏବଂ ଆଜିର ଏହି ମହାସଂଗ୍ରାମ ପୋଲସରାଠାରୁ ଆରମ୍ଭ କରାଯାଇଥିବା ଯୋଗୁଁ ଏହି ରାଲି ଓ ଶୋଭାଯାତ୍ରା ଏବଂ ଧାରଣା କାର୍ଯ୍ୟକ୍ରମଟି ଆଗାମୀ ଦିନରେ ଖୁବ୍ ଶିଘ୍ର ରାଜ୍ୟର ନୀତି ନିୟନ୍ତ୍ରଣ ପାଇଁ ଏକ ବୈପ୍ଲବିକ ନୂତନ ସନ୍ଦେଶ ଦେବ ବୋଲି ଆଶା ବ୍ୟକ୍ତ କରିଥିଲେ। ଏଥିରେ ସଂଗଠନର ଆହୁରି ଅନେକ ବ୍ୟକ୍ତିମାନେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ପରେ ସଂଗଠନ ପକ୍ଷରୁ (୧) ଚାଷୀ ଉପ୍ତାଦିତ ଦ୍ରବ୍ୟର ଉଚିତ ମୁଲ୍ୟ ଚାଷୀମାନଙ୍କୁ ଦିଆଯିବା ସହିତ ଧାନ କ୍ୱିଣ୍ଟାଲ ପିଛା ୫ ହଜାର ଟଙ୍କା ଦର କରାଯିବା (୨) ୨୦ ବର୍ଷ ବୟସରୁ ପ୍ରତ୍ୟେକ ଯୁବ ଚାଷିମାନଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟର ନିଶ୍ଚୟତା ପାଇଁ ମାସକୁ ୫ ହଜାର ଟଙ୍କା ଲେଖାଏଁ ସୁରକ୍ଷା ଭତ୍ତା ଦିଆଯିବା ସହିତ ୩୨ ଲକ୍ଷ ଚାଷୀ ପରିବାରଙ୍କୁ ୨୧, ୫୦୦କୋଟି ଟଙ୍କା ଚାଷି ସୁରକ୍ଷା ଭତ୍ତା ବଜେଟରୁ ଦିଆଯିବା (୩) ତହସିଲ, ବ୍ଲକ୍ ଅଫିସ୍ ଏବଂ ଅନ୍ୟାନ୍ୟ ଅଫିସ୍ ଗୁଡିକରେ ଚାଷୀମାନେ ଗଲେ ସେମାନଙ୍କୁ ସମ୍ମାନ ଦିଆଯିବା (୪) ବ୍ଲକ କାର୍ଯ୍ୟାଳୟ ଏବଂ କୃଷି ବିଭାଗ କର୍ମଚାରୀମାନେ ବିଭିନ୍ନ ସମୟରେ ଚାଷୀମାନଙ୍କ ପାଇଁ ଆସୁଥିବା ଅର୍ଥ ସହାୟତା ବାଟମାରଣା କରି ଠିକ୍ ହିତାଧିକାରୀ ମାନଙ୍କୁ ଦେଉନାହାଁନ୍ତି। ଏସବୁ ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିବା କର୍ମଚାରୀମାନଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ କରି ବିସଙ୍ଗତିକୁ ବନ୍ଦ କରିବା (୫) ସରକାରୀ ଅବହେଳାରୁ ପୋଲସରା ବ୍ଲକରେ ହଜାର ହଜାର ଚାଷି ଆଜି ମଧ୍ୟ ବଞ୍ଚିତ ହୋଇରହିଛନ୍ତି। ସ୍ଥାନୀୟ ବି.ଡି.ଓ ନିଜ ତରଫରୁ କର୍ମଚାରୀ ଓ ସରପଞ୍ଚମାନଙ୍କ ମାଧ୍ୟମରେ ଉଦ୍ୟମ କରି ଉକ୍ତ ସମସ୍ତ ବଞ୍ଚିତ ଥିବା ଚାଷୀମାନଙ୍କୁ ଯଥା ଶିଘ୍ର ଭତ୍ତା ଦେବାର ସୁବ୍ୟବସ୍ଥା କରିବା (୬) ପୋଲସରା ବ୍ଲକରେ ଧାନ ବିକ୍ରି ସମୟରେ ହଜାର ହଜାର ଚାଷି ଅଭାବୀ ବିକ୍ରୀର ଶୀକାର ହୋଇ ଆର୍ଥôକ ଶୋଷଣରେ କ୍ଷତିଗ୍ରସ୍ତ ହେଉଛନ୍ତି। ଏଣୁ ଧାନମଣ୍ଡି ଖୋଲାଗଲାବେଳେ ପ୍ରତ୍ୟେକ ଚାଷି କିଭଳି ଭାବେ ସେମାନଙ୍କର ସମସ୍ତ ଧାନ ମଣ୍ଡିଗୁଡିକରେ ଦେଇପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେଇ ସୁବ୍ୟବସ୍ଥା ସୁନିଶ୍ଚିତ କରାଯିବା (୭) ପୋଲସରା ବ୍ଲକରେ ଚଣା ଚାଷ କରିଥିବା ଚାଷିମାନେ ସେମାନଙ୍କର ଚଣା ବିକ୍ରୀ କରିନପାରି ହତାଶ ହେଉଛନ୍ତି। ଏଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଉକ୍ତ ଚାଷିମାନଙ୍କଠାରୁ ଉପଯୁକ୍ତ ମୁଲ୍ୟରେ ଚଣା କିଣିବାର ବ୍ୟବସ୍ଥା କରନ୍ତୁ (୮) ଦେଶର ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଭଳି ରାଜ୍ୟର ସରକାରମାନେ ଚାଷିମାନଙ୍କ ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଥିବାବେଳେ ଓଡିଶା ସରକାର ନିଜ ରାଜ୍ୟର ଚାଷିମାନଙ୍କ ସୁବିଧା ପାଇଁ ଋଣ ମୁକ୍ତ କରିବା ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବା (୯) ଚାଷରେ ସର୍ବାଧିକ କ୍ଷତିଗ୍ରସ୍ଥ ହେଉଥିବା ଭାଗଚାଷୀଙ୍କୁ ଚିହ୍ନଟ କରିବା ଲାଗି ସରକାର ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବା ସହିତ ବିଭିନ୍ନ କମିଟି ମାଧ୍ୟମରେ ଅଯଥା ହେଉଥିବା ବିଳମ୍ବ ଏବଂ ଭାଗଚାଷୀ ନ୍ୟାୟ ପାଇବ ନାହିଁ ବୋଲି ଚାଷିମାନଙ୍କୁ ଦିଆଯାଉନଥିବା ସହାୟତା ନାଟକକୁ ବରଦାସ୍ତ କରାଯିବନାହିଁ। ଏଣୁ ଏହାକୁ ତୁରନ୍ତ ବନ୍ଦ କରାଯିବା (୧୦) ଗଂଜାମ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ଏବଂ ଯୁବକମାନେ ନିଜର ଏବଂ ନିଜର ପରିବାର ପ୍ରତିପୋଷଣ ପାଇଁ ସୁଦୁର ସୁରତ ଓ ଅନ୍ୟତ୍ର ଗଣପଳାୟନ କରୁଛନ୍ତି। ଏଣୁ ଏହି ପଳାୟନକୁ ରୋକିବା ଲାଗି ତୁରନ୍ତ ଗଞ୍ଜାମରେ ସୁତାକଳମାନ ସ୍ଥାପନ କରାଯାଉ (୧୧) ଆଳୁ, ପିଆଜ, ତେଲ, ଅଣ୍ଡା, ମାଛ, ଫୁଲ, ଡାଲି ଇତ୍ୟାଦି ଉପରେ ଆମ ରାଜ୍ୟ ଆଜି ପର୍ଯ୍ୟନ୍ତ ଅନ୍ୟ ରାଜ୍ୟ ଉପରେ ଲଜ୍ଜାହୀନ ଭାବେ ନିର୍ଭର କରୁଛି। ଏଣୁ ତୁରନ୍ତ ଆମ ରାଜ୍ୟ ଓଡିଶାକୁ ଏସବୁ ଦିଗରେ ଆତ୍ମନିର୍ଭରଶୀଳ କରିବା ପାଇଁ ମାଷ୍ଟରପ୍ଲାନ୍ କରାଯାଇ ଆବଶ୍ୟକ ଅର୍ଥର ବ୍ୟବସ୍ଥା କରାଯାଉ (୧୨) ଜାତୀୟ ବ୍ୟାଙ୍କମାନେ ଚାଷିଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଚରମ ଅବହେଳା କରୁଥିବାରୁ ଏଥିପ୍ରତି ଦୃଷ୍ଟି ଦେଇ ଚାଷୀ ଋଣ ପାଇବାର ବ୍ୟବସ୍ଥା ନିଜେ ସରକାର କରନ୍ତୁ। (୧୩) ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି କୃଷି ବିଭାଗ ପାୱାରଟିଲର ଭଳି ଯନ୍ତ୍ର ପ୍ରଦାନବେଳେ ସବ୍ ସିଡି ଅର୍ଥ ଦେବାରେ ଅହେତୁକ ବିଳମ୍ବ କରିବା ସହିତ ଚଣା ସବ୍ ସିଡି ଦେବାରେ ମଧ୍ୟ କରାଯାଉଛି। ଏଣୁ ଏହାର ସମାଧାନ କରାଯାଉ। (୧୪) ଚାଷି ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବା ପାଇଁ ଓ ମୂଲ୍ୟଯୁକ୍ତ କରିବା ପାଇଁ ଗ୍ରାମାଞ୍ଚଳରେ ଖାଦ୍ୟ ପ୍ରକ୍ରୀୟାକରଣ ଶିଳ୍ପ ସ୍ଥାପନ କରାଯାଉ। (୧୫) ସ୍ୱଚ୍ଛ ଗଂଜାମ ପାଇଁ ପ୍ରତ୍ୟେକ ପରିବାରକୁ ପାଇଖାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ କରାଯାଉ ବୋଲି ଉଲ୍ଲେଖ ଥିବା ଦାବି ପତ୍ର ସ୍ଥାନୀୟ ବି.ଡି.ଓ ନଟବର ଗରଡାଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କ ନିକଟକୁ ପ୍ରଦାନ କରାଯାଇଛି। ଏହି ଧାରଣା ଓ ଶୋଭାଯାତ୍ରା ଏବଂ ସମାବେଶ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ସଂଯୋଜକ ସନ୍ତୋଷ କୁମାର ମଲ୍ଲିକ, ଚାଷି ନେତା ସଂଗ୍ରାମ କିଶୋର, ଶୁଭେନ୍ଦୁ ମଲ୍ଲିକ, ଋଷିକୁଲ୍ୟା ରୟତ ସଭା ସମ୍ପାଦକ ସୀମାଞ୍ଚଳ ନାହାକ, ଶରତ କୁମାର ସାବତ, ଗୋପାଳ ମହାରଣା, ଯୁବ ଛାତ୍ର ସଂଗଠନ ଆବାହକ ମନୱର ଅଲ୍ଲୀ, ସୁବାଷ ନାୟକ, ବୁଗୁଡାର ସନ୍ତୋଷ ସାହୁ, ଶଶାଙ୍କ ପ୍ରଧାନ, ନବକୃଷ୍ଣ ସ୍ୱାଇଁ, ରଞ୍ଜନ ବେହେରା, ଗୋପାଳ ସାହାଣୀ, ଚନ୍ଦ୍ର ପ୍ରଧାନ ଓ ନାରାୟଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ସହଯୋଗ ପ୍ରଦାନ କରିଥିଲେ। ସ୍ଥାନୀୟ ଥାନା ଆଇ.ଆଇ.ସି ତପସ୍ୱିନୀ କହଁରଙ୍କ ନେତୃତ୍ୱରେ ୧ ପ୍ଲାଟୁନ୍ ଫୋର୍ସ, ପୋଲିସ୍ ଷ୍ଟାଫ୍ ମୁତୟନ ଆଇନ ଶୃଙ୍ଖଳା ରକ୍ଷା ପାଇଁ କରାଯାଇଥିଲା।

Leave a Reply

Your email address will not be published. Required fields are marked *