କୋରାପୁଟ ; ତା୦୭-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ପୋଡାଗଡ ଜାତୀୟ ରାଜପଥଠାରୁ ମୋହନପଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କର ନତୁବା ୨୦୧୯ ସାଧାରଣ ନିର୍ବାଚନ ବର୍ଜନ କରିବୁ ବୋଲି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।ପୋଡାଗଡ ଜାତୀୟ ରାଜପଥରୁ ମୋହନପଡା ଜାତୀୟ ରାଜପଥ ଦୂରତା ୧୬ କିମି କିନ୍ତୁ ବାରମ୍ବାର ଗୁହାରୀ କଲେ ମଧ୍ୟ ଏ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇ ନ ଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି।ରାସ୍ତା ନ ଥିବାରୁ ୧୦୮ ଓ ୧୦୨ ଆମ୍ବୁଲାନ୍ସ ଯାତାୟତ କରିପାରୁ ନ ଥିବାରୁ ରୋଗୀ ଓ ଗର୍ଭବତୀ ମହିଳା ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ମହେନ୍ଦ୍ର କୁଲଦୀପ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ସ୍କୁଲ ଯିବାଆସିବା ପାଇଁ ଅସୁବିଧା ହେଉଛି ବୋଲି ସେ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହେଲେ ପୋଡାଗଡ, ଖଡାମାଲିଗୁଡା, ନୂଆଗୁଡା, ଭଞପଦର, ଲୁକମାରୀ, ଦୁଦୁରାଗୁଡା, ମାଳିତଳା, କେଶବଗୁଡା, ବାଟିସିଲଗୁଡା, ମାଲିଙ୍ଗିଯୋଡି, ସୁରିମୁଣ୍ଡା, ବାଉଁଶଗୁଡା, ବଡଗୁଡା, ବକଡାଗୁଡା, ଖଜୁରୀଗୁଡା, ବିଲାପୁଟ, ଖାଲପଦର ଓ ମୋହନପଡା ପ୍ରଭୃତି ୧୮ ଟି ଗ୍ରାମର ଗ୍ରାମବାସୀ ଉପକୃତ ହେବେ ବୋଲି ସେ ସୂଚନା ଦେଇଥିଲେ।ଗ୍ରାମର ଧବଳୁ ପାଇକ, ସୁନାମ ବନ୍ଧପାଣ, ବୁଲୁ ଖୋସଲା, ଜୟସେନ ଗରଡା, ଦିବାକର ଭତ୍ରା, ମହେଶ୍ୱର ସାଉନ୍ତା ଓ ଅନେକ ଗ୍ରାମବାସୀ କୋରାପୁଟ ଆସି ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ବୋଲି ଜଣାପଡିଛି।ଆସନ୍ତା ଦୁଇମାସ ମଧ୍ୟରେ ରାସ୍ତା ନିର୍ମାଣ ନ ହେଲେ ୨ ଟି ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିବୁ ଓ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।
ସେହିପରି କୋରାପୁଟ ବ୍ଲକ ଅନ୍ତର୍ଗତ ଲଙ୍କାପୁଟ ଓପରଜାପଣ୍ଡି ଗ୍ରାମର ବାସିନ୍ଦାମାନେ ରାସ୍ତା ମରାମତି କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ବୋଲି ଜଣାପଡିଛି।ପରଜାପଣ୍ଡି ଛକଠାରୁ କୁମ୍ଭା ଛକ ପର୍ଯ୍ୟନ୍ତ ରାସ୍ତାଟି ଦୟନୀୟ ଅବସ୍ଥାରେ ରହିଛି।ରୋଗୀମାନଙ୍କଠାରୁ ଆରମ୍ଭ କରି ଛତ୍ରାଛାତ୍ରୀ ତଥା ସରକାରୀ କର୍ମଚାରୀମାନେ ଯିବାଆସିବା କରିବା କଷ୍ଟକର ହୋଇଯାଉଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ହୋଇଯାଇଛି କାମ ଆରମ୍ଭ ହେବ ବୋଲି କେବଳ କହୁଛନ୍ତି କିନ୍ତୁ କାମ ଆଜି ପର୍ଯ୍ୟନ୍ତ କରାଯାଉନାହିଁ ବୋଲି ତ୍ରୀନାଥ ବାରିକ ପ୍ରଶ୍ନ କରିଛନ୍ତି।କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝିଙ୍କ ସହିତ ଶତାଧିକ ଯୁବକ, ଯୁବତୀ ଓ ଛାତ୍ରାଛାତ୍ରୀମାନେ କୋରାପୁଟ ଆସି ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତିଙ୍କୁ ଦାବିପତ୍ର ଦେଇ ବର୍ଷାଦିନ ପୂର୍ବରୁ କାମ ଆରମ୍ଭ କରିବାକୁ ନିବେଦନ କରିଛନ୍ତି।
