ଓଡ଼ିଶା

ପୋଟର୍ସଙ୍କୁ ଗ୍ୟାଙ୍ଗମ୍ୟାନ କରିବା ଦାବି ନେଇ ରେଳ ସଦନ ସମ୍ମୁଖରେ ପୋଟର୍ସ ୟୁନିୟନର ବିକ୍ଷୋଭ

ଭୁବନେଶ୍ୱର, ୧୬/୫– (ଓଡ଼ିଆ ପୁଅ) ରେଳ ଷ୍ଟେସନମାନଙ୍କରେ କାମ କରୁଥିବା ଲାଇସେନ୍ସପ୍ରାପ୍ତ ପୋଟର୍ସମାନଙ୍କୁ ରେଳ ବିଭାଗ ଗ୍ୟାଙ୍ଗମ୍ୟାନ୍/ଟ୍ରାକ୍ମ୍ୟାନ ଭାବେ ନିଯୁକ୍ତି ଦେବା ଦାବି କରି ସର୍ବ ଭାରତୀୟ ଦାବି ଦିବସ ପାଳନ ଉପଲକ୍ଷେ ମଙ୍ଗଳବାରଦିନ ଭୁବନେଶ୍ୱରଠାରେ ଥିବା ପୂର୍ବତଟ ରେଳବାଇର କାର୍ଯ୍ୟାଳୟ ରେଳ ସଦନ ସମ୍ମୁଖରେ ପୋଟର୍ସମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ମଙ୍ଗଳବାରଦିନ ପୂର୍ବାହ୍ନରେ ଏଆଇଟିୟୁସି ସହ ଅନୁବନ୍ଧିତ ଇଷ୍ଟକୋଷ୍ଟ ରେଳବାଇ ପୋଟର୍ସ ୟୁନିୟନ ଡାକରାରେ ଓଡ଼ିଶାର ୩ଟି ଡିଭିଜନର ସମସ୍ତ ଷ୍ଟେସନର କୁଲିମାନେ କାମ ବନ୍ଦ କରି ସର୍ବ ଭାରତୀୟ ଧର୍ମଘଟରେ ସାମିଲ ହେବା ସଙ୍ଗେ ସଙ୍ଗେ ନାଲ୍କୋ ଛକଠାରେ ଏକାଠି ହୋଇଥିଲେ। ସେଠାରୁ ପାରମ୍ପରିକ ଲାଲ୍ ସାର୍ଟ ପରିହିତ କୁଲିମାନଙ୍କର ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ବାହାରି ରେଳ ସଦନ ସମ୍ମୁଖରେ ପହଞ୍ଚିଥିଲା। କୁଲିମାନେ ବ୍ୟାନର ସହିତ “ଗ୍ୟାଙ୍ଗମ୍ୟାନ ଭାବେ ନିଯୁକ୍ତି ଦିଅ” ଲେଖା ଥିବା ପ୍ଲାକାର୍ଡମାନ ହାତରେ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେଠାରେ ବିକ୍ଷୋଭକାରୀମାନଙ୍କୁ ୟୁନିୟନର କାର୍ଯ୍ୟକାରୀ ସଭାପତି ସୁର ଜେନା, ଏଆଇଟିୟୁସି ଜାତୀୟ ସାଧାରଣ ପରିଷଦ ସଭ୍ୟ ଜୟନ୍ତ ଦାସ, ରାଜ୍ୟ ଉପ ସାଧାରଣ ସମ୍ପାଦକ ବିଜୟ ଜେନା ଓ ଶ୍ରମିକ ନେତା ଅମରେନ୍ଦୁ ମହାନ୍ତି ଉଦବୋଧନ ଦେଇ ରେଳ ବିଭାଗ ପୋଟର୍ସମାନଙ୍କୁ ତୁରନ୍ତ ଗ୍ୟାଙ୍ଗମ୍ୟାନ ଓ ଟ୍ରାକମ୍ୟାନ ଭାବେ ନିଯୁକ୍ତି ଦେଉ ଏବଂ ନିଯୁକ୍ତି ପର୍ଯ୍ୟନ୍ତ ପାର୍ସଲରେ କାମ ଦେଉ ବୋଲି ଦାବି କରିଥିଲେ। ଏହାପରେ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଥିଲା। ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଡେପୁଟି ଜେନେରାଲ ମ୍ୟାନେଜର କମର୍ସ ଦେବରାଜ ନାୟକ ୮ଜଣିଆ ପ୍ରତିନିଧିମଣ୍ଡଳୀଙ୍କଠାରୁ ଦାବିପତ୍ର ଗ୍ରହଣ କରି ପୋଟର୍ସମାନଙ୍କ ସମସ୍ୟା ସମାଧାନ ଦିଗରେ ଇଷ୍ଟକୋଷ୍ଟ ରେଳ କର୍ତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ସର୍ବ ଭାରତୀୟ ଧର୍ମଘଟ, ବିକ୍ଷୋଭ ଓ ଶୋଭାଯାତ୍ରାରେ ୟୁନିୟନର ସାଧାରଣ ସମ୍ପାଦକ ଜଗନ୍ନାଥ ପାତ୍ର, ଶଙ୍କର ବେହେରା, କୁନା ଜାଲି, ଗୌରୀଶଙ୍କର, ଜ୍ୟୋତ୍ସ୍ନାରାଣୀ ଦାସ, ପଞ୍ଚାନନ ସାହୁ, ବିଜୟ ଦାସ, ନିରଞ୍ଜନ ସାହୁ ଲିଙ୍ଗରାଜ ପ୍ରଧାନ, ଓମ୍ପ୍ ପ୍ରକାଶ ସାହୁ, ଶିବ ବେହେରା ଓ ବଳରାମ ଜାଲି ନେତୃତ୍ୱ ନେବା ସହିତ ପ୍ରତିନିଧି ଦଳରେ ଯାଇ ଡେପୁଟି ଜେନେରାଲ ମ୍ୟାନେଜର କମର୍ସଙ୍କୁ ଭେଟିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top