ପୋଖରୀ ଭିତରୁ ଚୁଆ ଖୋଳି ୧୦୦ରୁ ଉର୍ଦ୍ଧ୍ୱ ପରିବାର ଜୀବନ ବଞ୍ଚାଉଛନ୍ତି, ପ୍ରଶାସନର ନଜର ପଡୁନାହିଁ

ହରିଚନ୍ଦନପୁର, ତା୨୦.୦୫(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଗୌଣିଘଷା ଗ୍ରାମ ପଞ୍ଚାୟତର ଭାଲିଆପାଳ, ଢିପାସାହିର ୧୦୦ରୁ ଉର୍ଦ୍ଧ୍ୱ ପରିବାରର ୩୦୦ରୁ ଉର୍ଦ୍ଧ୍ୱ ଲୋକ ପୋଖରୀ ଭିତରେ ଗୋଟିଏ ଚୁଆ ଖୋଳି ପାଣି ପିଉଥିବାର ଦେଖିବାକୁ ମିଳିଛି। ଖବର ନେବାରୁ ଜଣାପଡିଛି କି ଏହି ଦୁଇଟି ସାହି ମଧ୍ୟରେ ସରକାରଙ୍କ ତରଫରୁ ଗୋଟିଏ ନଳକୂପ ଖନନ କରାଯାଇଥିଲା।ଆଜକୁ ଉକ୍ତ ନଳକୂପଟି ୫ବର୍ଷରୁ ଉର୍ଦ୍ଧ୍ୱ ହେବ ଅଚଳ ଅବସ୍ଥାରେ ପଡିରହିଛି କିନ୍ତୁ ପ୍ରଶାସନିକ ଅଧରକାରୀଙ୍କ ଦୃଷ୍ଟି ଆକର୍ଷଣ ହେଉନାହିଁ। ଗୀଷ୍ମ ଋତୁରେ ଖରା ପ୍ରଭାକୁ ନେଇ ଗୌଣିଘଷା ଗ୍ରାମ ପଞ୍ଚାୟତ ତରଫରୁ ସପ୍ତାହିକ ମନମୁଖି ଭାବରେ ୨ରୁ୩ଦିନ ପାଣି ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରିଥାନ୍ତି। ଅନ୍ୟ ଦିନ ଗୁଡିକରେ ଲୋକମାନେ ରୋଷେଇ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପୋଖରୀରୁ ପାଣି ନେଉଥିବା ବେଳେ ପିଇବା ପାଇଁ ଚୁଆ ମଧ୍ୟରୁ ପାଣି ନେଉଥିବାର ଜଣାପଡିଛି। ଏବାବଦକୁ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ପାନୀୟ ଜଳ ନିମନ୍ତେ କୌଣସି ପ୍ରକାରର ପଦକ୍ଷେପ ନିଆନଯିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତେଷ ପ୍ରକାଶ ପାଇଛି। ସ୍ଥାନୀୟ ସରପଞ୍ଚ ଗ୍ରାମର ଲୋକମାନଙ୍କୁ ବାରମ୍ବାର ନଳକୂପ ଖନନ କରିବାର ପ୍ରତିଶୃତି ଦେଇଆସୁଥିବାର ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମର କେତେ ଜଣ ବୁଦ୍ଧି ଜୀବି ଜିଲ୍ଲାପାଳଙ୍କ ଜନଶୁଣାଣିରେ ମଧ୍ୟ ଅଭିଯୋଗ କରିଛନ୍ତି। କିନ୍ତୁ ଆଜି ପ୍ରର୍ଯ୍ୟନ୍ତ କୌଣସି ପ୍ରକାରର ପଦକ୍ଷେପ ନିଆଯାଉନଥିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଖେଳି ଯାଇଛି। ଚୁଆ ପାଣି ପିଇ ଏଅଞ୍ଚଳର ଲୋକମାନେ ଅନେକ ପ୍ରକାରର ରୋଗରେ ପିଡିତ ହେଉଥିଲେ ମଧ୍ୟ ବାଧ୍ୟ ହୋଇ ଚୁଆ ପାଣି ପିଇ ବଞ୍ଚୁଛନ୍ତି। ସରକାର ଗାଁ ଗାଁ ରେ ସ୍ୱଚ୍ଛପାନୀୟ ଜଳ ଯୋଗାଇ ଦେବା ପାଇଁ ବାର୍ଷିକ କୋଟି କୋଟି ଟଙ୍କା ବିଭିନ୍ନ ଯୋଜନା ମାଧ୍ୟମରେ ଅନୁଦାନ କରିଆସୁଥିବା ବେଳେ ତାହା ଏହି ଗ୍ରାମର ଲୋକମାନଙ୍କ ପାଇଁ ସାତ ସପନ ପାଲଟିଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଅତିଶୀଘ୍ର ଏହି ଗ୍ରାମରେ ନୂତନ ନଳକୂପ ଖନନ କରାଇବା ସହ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହୋଇଛି।


Leave a Reply

Your email address will not be published. Required fields are marked *