Home ଜିଲ୍ଲା ପରିକ୍ରମା ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟ ନାମରେ ମନରେଗା ଅର୍ଥ ହରିଲୁଟ ଘଟଣା, ମାମଲା ଋଜୁ

ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟ ନାମରେ ମନରେଗା ଅର୍ଥ ହରିଲୁଟ ଘଟଣା, ମାମଲା ଋଜୁ

56

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସାନଶାସନ ପଞ୍ଚାୟତ ବଡଶାସନ ଗ୍ରାମରେ ପୋଖରୀ ପୁନଃରୁଦ୍ଧାର ନାମରେ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ମାମଲା ଋଜୁ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗ୍ରାମର ପୁରାତନ ପୋଖରୀ ‘ପାଢୀଘର ୨ୟ ପୋଖରୀ’ ଖାତା ନଂ ୩୪୨ ଅନ୍ତର୍ଗତ ୬୩୭ ଖସଡାର ପ୍ରାୟ ୮୦ ଡେସିମିଲ ପରିମିତ ଜମିରେ ରହିଛି । ଏହାର ଜଳଭାଗ ପ୍ରାୟ ୪୦ ଡେସିମିଲ ଜମି ହେବ । ମନରେଗା ଯୋଜନାରେ ଏହି ପୋଖରୀର ପୁନଃରୁଦ୍ଧାର ପାଇଁ ୯ଲକ୍ଷ ୮୦ ହଜାର ଟଙ୍କାର ବିଭାଗୀୟ ଭାବେ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ୨୦୨୨-୨୩ ଆର୍ଥୀକ ବର୍ଷରେ କୋଡ ନଂ ୨୪୧୭୦୦୩୦୨୩/ଡବ୍ଲୁ.ସି.୧୦୮୧୭୫୧୩ରେ ପୋଖରୀ ପୁନଃରୁଦ୍ଧାର ପାଇଁ ୨ଟି କିସ୍ତିରେ ମୋଟ ୪ଲକ୍ଷ ୧୧ ହଜାର ୧୯୫ଟଙ୍କା ବିଲ ଗତ ଜୁନ ୧ତାରିଖ ସୁଦ୍ଧା ପୈଠ କରାଯାଇସାରିଛି ।

ଏହି ଶୁଷ୍କ ପୋଖରୀରୁ ଶ୍ରମିକଙ୍କ ଦ୍ୱାରା ଉଠାଣ ହୋଇଥିବା ମାଟି ପରିମାଣ ପୋଖରୀ ଆଡିରେ ନଥିବାରୁ କାର୍ଯ୍ୟ ବାସ୍ତବରେ କମ ହୋଇଛି ବୋଲି ଅଭିଯୋଗକାରୀମାନେ ଦର୍ଶାଇଛନ୍ତି । ଏଥିପୂର୍ବରୁ ୨୦୧୬-୧୭ ଆର୍ଥୀକ ବର୍ଷରେ ଏହି ପୋଖରୀ ପୁନଃରୁଦ୍ଧାର ପାଇଁ ମନରେଗା ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ଅନୁରୂପ ଭାବେ ୯ ଲକ୍ଷ ୮୦ ହଜାର ଟଙ୍କା ବିଭିନ୍ନ କିସ୍ତିରେ ପୈଠ କରାଯାଇଥିଲା । ବିଭାଗୀୟ କାର୍ଯ୍ୟ ନାମରେ ଠିକାଦାରଙ୍କୁ ପ୍ରକଳ୍ପ ସମର୍ପି ଦିଆଯାଇଛି । ପୁନଃରୁଦ୍ଧାର କାର୍ଯ୍ୟରେ ମାତ୍ର ୬୦ ରୁ ୭୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ଠିକାଦାର ଓ ବିଲ ପୈଠରେ ନିୟୋଜିତ ସମସ୍ତ ସରକାରୀ ଯନ୍ତ୍ରୀ, କର୍ମଚାରୀ ଓ ଅଧିକାରୀ ମିଳିତ ଭାବେ ଏହି ଅର୍ଥ ଚଳୁ କରିଛନ୍ତି ବୋଲି ଗ୍ରାମବାସୀ ଲଛମନ ପାଢୀ, ଗଙ୍ଗାଧର ସ୍ୱାଇଁ, ବାସନ୍ତି ରାଉତ, ଆନନ୍ଦ ବେହେରା, ମାନସ କୁମାର ବାରିକ, ସୌମ୍ୟରଞ୍ଜନ ରାଉତ, କନକଲତା ବେହେରା, ଚନ୍ଦନ ବେହେରା ପ୍ରମୁଖ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୂଚନା ଅଧିକାର ଆଇନ ବଳରେ ଉପଲବ୍‌ଧ ତଥ୍ୟରୁ ଏହା ସାର୍ବଜନୀନ ହୋଇଛି । ଏହାର ଫଳପ୍ରଦ ସୁଫଳ ନମିଳିଲେ ମାମଲା ଋଜୁ ହେବ ବୋଲି ଅଭିଯୋଗକାରୀମାନେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.