ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ କଶିଆ ମେରାଇନ୍ ଥାନା ଅଧୀନରେ ଯାଉଥିବା ବିଦେଇପୁର ଗଦି ଗ୍ରାମରେ ପୋଖରୀରେ ବୁଡି ଦୁଇଭଉଣୀଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗ୍ରାମର ପ୍ରଶାନ୍ତ ମଲ୍ଲିକଙ୍କ ଦୁଇଝିଅ ଦିବ୍ୟଶ୍ରୀ ଓରଫ ପାପୁନି (୭) ଓ ଆଦ୍ୟାଶ୍ରୀ ଓରଫ ପିଙ୍କି (୫) ସ୍କୁଲରୁ ଫେରି ଘରପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଆଦ୍ୟାଶ୍ରୀର ଗୋଡ ଖସିଯାଇଥିଲା। ତାକୁ ବୁଡିଯିବାର ଦେଖି ବଡଭଉଣୀ ଦିବ୍ୟାଶ୍ରୀ ତାକୁ ଉଦ୍ଧାର କରିବାକୁ ଯାଇ ଉଭୟେ ପାଣିରେ ବୁଡିଯାଇଥିଲେ। ଗ୍ରାମବାସୀ ପିଲା ଦୁଇଟିକୁ ବୁଡିଯିବାର ଦେଖି ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଆସିଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ କଶିଆ ମେରାଇନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏବଂ ଦୁଇଭଉଣୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନା ପଠାଇଥିବାର ଜଣାପଡିଛି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି।

Leave a Reply

Your email address will not be published. Required fields are marked *