ପୋଖରୀରେ ବୁଡିଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ

ହାଟଡ଼ିହି, ୧୦। ୯ (ଓଡ଼ିଆ ପୁଅ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ପୋଖରୀରେ ଗାଧୋଉଥିବା ସମୟରେ ପାଣିରେ ବୁଡିଯାଇ ବଳଭଦ୍ରପୁର ଗ୍ରାମର କୁଳମଣି ମଲ୍ଲିକ(୧୮) ନାମକ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ହାଟଡିହି ଦମକଳ ବାହିନୀ ଦ୍ୱାରା ମୃତଦେହକୁ ଉଦ୍ଧାର କରାଯାଇଛି।

ଖବରରୁ ଜଣାଯାଇଛି ଯେ ବଳଭଦ୍ରପୁର ଗ୍ରାମର ଅନନ୍ତ ମଲ୍ଲିକଙ୍କ ଏକମାତ୍ର ପୁଅ କୁଳମଣି ହାଟଡିହି କଲେଜର ଯୁକ୍ତ୩ ପ୍ରଥମ ବର୍ଷର ଛାତ୍ର। ସେ ଆଜି ଗ୍ରାମର ଦୁଇଜଣ ସାଙ୍ଗଙ୍କ ସହିତ ସୁଲଣ ପୋଖରୀକୁ ଗାଧୋଇବାକୁ ଆସିଥିବାବେଳେ ଗାଧୋଇବା ବେଳେ ଅଥଳ ପାଣିରେ ବୁଡି ଯାଇଥିଲେ। ଅନ୍ୟ ସାଙ୍ଗ ଦୁଇଜଣ କୁଳମଣିକୁ ଉଦ୍ଧାର କରିବାକୁ ଚେଷ୍ଟାକରି ବିଫଳ ହେବାପରେ ଡାକ ପକାଇବାରୁ ଗାଁ ଲୋକେ ଦଉଡି ଆସି ପାଣିରେ ପସି ଖୋଜାଖୋଜି କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଖବରପାଇ ହାଟଡିହି ଦମକଳ ବାହିନି ପହଞ୍ଚି କୁଳମଣିକୁ ଉଦ୍ଧାର କରି ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାରୁ ଖବର ପାଇ ନନ୍ଦିପଦା ଥାନା ଏସ.ଆଇ ନୟନା ବେହେରା ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ କରାଇଛନ୍ତି। କୁଳମଣିଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ସେ ଜଣେ ମେଧାବୀ ଓ ମେଳାପି ଯୁବକ ଭାବେ ସମଗ୍ର ଗ୍ରାମରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବରପାଇ ହାଟଡିହି କଲେଜର ବହୁ ସହପାଠୀ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି।

Leave a Reply

Your email address will not be published. Required fields are marked *