ପେଟ୍ରୋଲ ଓ ଡିଜେଲ୍‌ର ମୂଲ୍ୟ ସର୍ବାଧିକ ଏନ୍‌ଡିଏ ସରକାର ଅମଳରେ ବଢ଼ିଛି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କୁ ତୁଚ୍ଛା ଭୂଆଁ ବୁଲାଉଛନ୍ତି

ଭୁବନେଶ୍ୱର, ୫/୫/୨୦୧୮(ଓଡ଼ିଆ ପୁଅ): ପେଟ୍ରୋଲ ଓ ଡିଜେଲ୍‌ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହା ସାଧାରଣ ଜନଜୀବନକୁ ବ୍ୟତୀବ୍ୟସ୍ତ କରିସାରିଲାଣି, କାରଣ ପେଟ୍ରୋଲ ଓ ଡିଜେଲ୍‌ର ଦରବୃଦ୍ଧି ସାମଗ୍ରିକ ଭାବରେ ଖାଉଟି ବଜାରକୁ ପ୍ରଭାବିତ କରୁଛି। ଲୋକମାନଙ୍କ ଅସନ୍ତୋଷର ଉଚିତ୍‌ସମାଧାନ କରିବା ପରିବର୍ତ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କୁ ତୁଚ୍ଛା ଭୂଆଁ ବୁଲାଉଛନ୍ତି ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି।

ପେଟ୍ରୋଲ ଓ ଡିଜେଲ୍‌ର ମୂଲ୍ୟ ସର୍ବାଧିକ ଏନ୍‌ଡିଏ ସରକାର ଅମଳରେ ବଢ଼ିଛି। ଧର୍ମେନ୍ଦ୍ର ପ୍ରଧାନ ପଡ଼ୋଶୀ ରାଜ୍ୟ ମାଧ୍ୟମରେ ସଂସଦକୁ ଯାଇ ଏହି ବିଭାଗର କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ତାଙ୍କର ଅପାରଗତା, ଦୂରଦୃଷ୍ଟିହୀନତା ଓ ପରିଚାଳନାଗତ ବିଫଳତା ପାଇଁ ଖାଉଟିମାନେ ବହୁ କଷ୍ଟର ସାମ୍ନା କରୁଛନ୍ତି। ଶ୍ରୀ ପ୍ରଧାନ ସମସ୍ୟାର ବାସ୍ତବ ସମାଧାନ କରିବା ଦିଗରେ କୌଣସି ଠୋସ୍‌ପଦକ୍ଷେପ ନେଉନାହାନ୍ତି। ପେଟ୍ରୋଲ ଓ ଡିଜେଲ୍‌କୁ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରିବା ପାଇଁ ଶ୍ରୀ ପ୍ରଧାନ କହୁଥିଲେ ମଧ୍ୟ ତାଙ୍କ ବିଭାଗ ପକ୍ଷରୁ ବିଧିବଦ୍ଧ ପ୍ରସ୍ତାବ ଉପସ୍ଥାପିତ ହୋଇନାହିଁ। ଏହା ଶ୍ରୀ ପ୍ରଧାନଙ୍କ ଦୋମୁହାଁ ନୀତିର ପରିଚୟ ଦେଉଛି।

ଏକଥା ସ୍ପଷ୍ଟ ଯେ ପେଟ୍ରୋଲ ଓ ଡିଜେଲ୍‌ର ଦରବୃଦ୍ଧିରେ କେନ୍ଦ୍ର ସରକାରଙ୍କ ହାତ ରହିଛି। କେନ୍ଦ୍ର ସରକାର ଚାହିଁଲେ ଦରହ୍ରାସ ହୋଇପାରନ୍ତେ। କେନ୍ଦ୍ର ସରକାରଙ୍କ କ୍ରମାଗତ ଉତ୍ପାଦ ଶୁଳ୍କ ବୃଦ୍ଧି ଏହାର ମୁଖ୍ୟ କାରଣ। ଏହି ଦରକୁ ବିଚାରକୁ ନେଇ ମୂଲ୍ୟ ହ୍ରାସ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଏହାକୁ ଜଟିଳ କରିବାରେ ଲାଗିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲୋକଙ୍କୁ ଭୂଆଁ ବୁଲାଇବାରେ ସିଦ୍ଧହସ୍ତ ବୋଲି ରାଜ୍ୟବାସୀ ଭଲ ଭାବେ ଜାଣନ୍ତି। ପେଟ୍ରୋଲ ଓ ଡିଜେଲ୍‌ଦରବୃଦ୍ଧି ଜନିତ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବା ପରିବେର୍ତ୍ତ ପେଟ୍ରୋଲ ଓ ଡିଜେଲ୍‌କୁ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ ଲାଗି ସେ ଦାବି କରିବା ହାସ୍ୟାସ୍ପଦ। ଦରବୃଦ୍ଧି ଜନିତ ସମସ୍ୟାର ସ୍ଥାୟୀ ସମାଧାନ ଚାହୁଁଥିଲେ, ଏକଥା ଠିକ୍‌ସମୟରେ ଓ ଠିକଣା ଜାଗାରେ ସେ ଉପସ୍ଥାପିତ କରିପାରିଥାନ୍ତେ। ଏହା ନକରି ଧର୍ମେନ୍ଦ୍ର ନିଜର ଦୁର୍ବଳତାର ପରିଚୟ ଦେଇ, ଗଣମାଧ୍ୟମ ସାମ୍ନାରେ ଭାଷଣ ଦେବାର କିଛି ଅର୍ଥ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *