ସମ୍ବଲପୁର, ୨/୪ (ଓଡ଼ିଆ ପୁଅ/ବ୍ୟୋମୋକୋଶ ପଣ୍ଡା) – ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଆଜି ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଠେଲକୋ ପଡ଼ାରେ ଦ୍ୱେତ ହତ୍ୟାକାଣ୍ଡ ସଂଘଟିତ ହୋଇଛି। ବଜାର ଠିକାକୁ କେନ୍ଦ୍ରକରି ଠେଲକୋପଡ଼ାର ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ତିକ୍ତତା ରହିଥିଲା। ଫାୟାର ଷ୍ଟେସନ ଏବଂ ଏସ୍ ଡ଼ିଏ ମାର୍କେଟ ଅଞ୍ଚଳରେ ବସୁଥିବା ପରିବା ବଜାର ପାଇଁ ଠିକା ନିଲାମ କାର୍ଯ୍ୟ ହେବାର ଥିବାବେଳେ ପାଣ୍ଡବ ମୁଖୀ ନାମକ ବ୍ୟକ୍ତି ଅନ୍ୟ କାହାରିକୁ ଆବେଦନ ନ କରିବା ପାଇଁ ତାଗିଦ କରୁଥିଲେ। ଏହାକୁ କେନ୍ଦ୍ରକରି ଆଜି ସକାଳେ ସାମାନ୍ୟ ବାଦାନୁବାଦ ହେବାପରେ ସୁଜିତ ନାଗ (୨୫) ନାମକ ଜଣେ ଯୁବକକୁ ଭୁଜାଲିରେ ଆକ୍ରମଣ କରାଯାଇଥିଲା। ସୁଜିତଙ୍କ ଅନ୍ତବୁଜୁଳା ବାହାରି ପଡ଼ି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସୁଜିତଙ୍କୁ ସାଂଘାତିକ ଅବସ୍ଥାରେ ସଦର ଡାକ୍ତରଖାନାକୁ ନିଆଯିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଠେଲକୋପଡ଼ାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଲୋକେ ଉତ୍ତେଜିତ ହୋଇ ପାଣ୍ଡବ ମୁଖୀଙ୍କ ଘରେ ପହଞ୍ଚି ତାଙ୍କୁ ଖୋଜିଥିଲେ। ତାଙ୍କୁ ନ ପାଇ ତାଙ୍କ ଭାଇ ଶଙ୍କର ମୁଖୀ(୩୫)ଙ୍କୁ ଘରୁ ଭିଡ଼ିନେଇ ହତ୍ୟା କରିବା ସହିତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ଅନ୍ୟ ଜଣେ କାନ୍ତି ମୁଖୀ (ଚେରୁ) ଗୁରୁତର ଭାବରେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଦ୍ୱେତ ହତ୍ୟାକାଣ୍ଡ ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ପାଣିଟାଙ୍କି – ମୁଦିପଡ଼ା ଛକ ରାସ୍ତା ଏବଂ ପାଣିଟାଙ୍କି-ସୁଇମିଙ୍ଗପୁଲ ରାସ୍ତାକୁ ଅବରୋଧ କରି ରଖିଥିଲେ। ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ପରିସ୍ଥିତି ଉପରେ ନଜର ରଖାଯାଇଥିଲା। ପରେ ପାଣ୍ଡବ ମୁଖୀ ଏବଂ ଶମ୍ଭୁ ମୁଖୀଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣା ନେଇ ଆହୁରି ୫ ଜଣଙ୍କୁ ପୋଲିସ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଆଜିର ଦୁଇଟି ଯାକ ହତ୍ୟାକାଣ୍ଡ ଉପରେ ଟାଉନ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି। ପାଣ୍ଡବ ମୁଖୀଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଥିଲା ତଥା ସେ ଜାତୀୟ ସୁରକ୍ଷା ଆଇନ ବଳରେ ପୂର୍ବରୁ ଅଟକ ମଧ୍ୟ ଥିଲେ।