ପୂର୍ବ ଯୋଜନାରେ ୨ୟ ବ୍ରାହ୍ମଣୀ ସେତୁ ନିର୍ମାଣ ଦାବି

ରାଉରକେଲା ୧୦ ଜୁଲାଇ (ଓଡ଼ିଆ ପୁଅ/ଶିବରାମ ପାତ୍ର): ୨୦୧୦ ମସିହାରେ ୨ୟ ବ୍ରାହ୍ମଣୀ ସେତୁ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଥିଲେ। କିନ୍ତୁ ଏବେ ସେତୁ ଭିନ୍ନ ଜାଗାରେ ନିର୍ମାଣ କରାଯାଉଛି। ଏହାକୁ ବିରୋଧ କରିଛି ଆଦିବାସୀ ମୂଳବାସୀ ଅଧିକାର ମଂଚ। ସ୍ଥାନୀୟ ପାନପୋଷ ଛକ ଠାରେ ମଂଚ ପକ୍ଷରୁ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ପୂରଣ ହୋଇ ପାରିନାହିଁ ବୋଲି ଜର୍ଜ ତିର୍କୀ ଅଭିଯୋଗ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟଯେ, ୨୦୧୦ ମସିହାରେ ବର୍ତମାନ ଥିବା ବ୍ରାହ୍ମଣୀ ସେତୁ ଓ ରେଳବାଇ ସେତୁ ମଝିରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ଏଥିପାଇଁ ନକ୍ସା ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ୨୦୧୪ ମସିହା ସୁଦ୍ଧା ଜାଗା ଚିହ୍ନଟ କରାଯାଇ ଜମି ଅଧିଗ୍ରହଣ ମଧ୍ୟ କରାଯାଇଥିଲା। ତେବେ କାହା ସ୍ୱାର୍ଥରେ ବର୍ତମାନ ବ୍ରାହ୍ମଣୀ ସେତୁ ନିର୍ମାଣସ୍ଥଳ ପରିବର୍ତ୍ତନ କରାଯାଇଛି ବୋଲି ନେତୃବୃନ୍ଦ ପ୍ରଶ୍ନ ଉଠାଇଛନ୍ତି। ନେତା ମାନଙ୍କ ଅଭିଯୋଗ ଅନୁଯାୟୀ, ଯେଉଁ ଜାଗାରେ ସେତୁ ନିର୍ମାଣ ହେବ ତାହା ଦ୍ୱାରା ବହୁ ଗରିବ ଆଦିବାସୀଙ୍କୁ ସେମାନଙ୍କ ଜମି ହରାଇବାକୁ ପଡ଼ିବ। ତେଣୁ ଏହି ନିର୍ମାଣକୁ ପୂର୍ବ ନକ୍ସା ଅନୁଯାୟୀ କରାଯିବାକୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *