ପୂର୍ବତନ ଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ଦେଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ପ୍ରତିନିଧି ଦଳ ଭେଟିଲା ଆନ୍ଦୋଳନକାରୀ ଶିକ୍ଷକମାନଙ୍କୁ

– ଆନ୍ଦୋଳନକୁ ବିଜେପିର ନୈତିକ ସମର୍ଥନ
– ଆଇଓସିଏଲ୍ ରୁ ପାଇବାକୁ ଥିବା ପ୍ରାୟ ୩ହଜାର କୋଟି ଟଙ୍କାରୁ ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ

ଭୁବନେଶ୍ୱର, ତା.୨୩/୦୮(ଓଡ଼ିଆ ପୁଅ): ଦୀର୍ଘ ଦିନର ଦାବୀକୁ ନେଇ ଆଜିକୁ ୮ ଦିନ ହେଲା ରାଜ୍ୟର ଶିକ୍ଷକମାନେ ରାଜଧାନୀର ରାଜରାସ୍ତାରେ ଅନବରତ ଧାରଣାରେ ବସିଛନ୍ତି। ପ୍ରାଥମିକଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଏହି ଆନ୍ଦୋଳନରେ ସାମିଲ ହେବା କାରଣରୁ ରାଜ୍ୟର ପାଖାପାଖି ସାଢେ ପାଂଚ ହଜାରରୁ ଅଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୧୫ ଲକ୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରିା ସହ ରାଜ୍ୟର ଶିକ୍ଷାବସ୍ଥା ସଂପୂର୍ଣ୍ଣ ଠପ୍ ହୋଇପଡିଲାଣି। ଏ ସବୁ ସତ୍ୱେ ରାଜ୍ୟ ସରକାର ନିର୍ବିକାର ହୋଇ ବସି ରହିବା ଗଣତନ୍ତ୍ର ପ୍ରତି କୁଠାରଘାତ। ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଆଦୈା ଚିନ୍ତିତ ନାହାନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ତୁରନ୍ତ ଏ ସମସ୍ୟାର ସମାଧାନ କରନ୍ତୁ ବୋଲି ବିଜେପି ଦାବୀ କରିଛି।

ପୂର୍ବତନ ଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ଦେଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ବରିଷ୍ଠ ଉପ ସଭାପତି ସମୀର ମହାନ୍ତି, ମୁଖପାତ୍ର ସଜ୍ଜନ ଶର୍ମା, ସଂପାଦକ କାଳନ୍ଦୀ ସାମଲ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ ପ୍ରମୁଖ ଆଜି ଆନ୍ଦୋଳନକାରୀ ଶିକ୍ଷକଙ୍କୁ ଭେଟି ଏହି ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇବା ସହ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ଆନ୍ଦୋଳନକାରୀଙ୍କ ଦାବୀକୁ ଯଥାଶୀଘ୍ର ମାନି ନେବାକୁ ଦାବୀ କରିଛନ୍ତି।

ପୂର୍ବତନ ଶିକ୍ଷାମନ୍ତ୍ରୀ ଶୀ ଦେଙ୍କ ସମୟରେ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସେ ସମୟରେ ସରକାରୀ ଅନୁଦାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଯାହାକି ପରବର୍ତୀ ସମୟରେ ବ୍ଲକ ଗ୍ରାଂଟ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଦୀର୍ଘ ୧୩/୧୪ ବର୍ଷ ବିତି ଯାଇଥିଲେ ସୁଦ୍ଧା ପରବର୍ତୀ ସମୟରେ ଶିକ୍ଷକ ସମାଜ ପାଇଁ ରାଜ୍ୟ ସରକାର ଆଉ କୈାଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହା ରାଜ୍ୟ ସରକାରଙ୍କ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଏବଂ ଶିକ୍ଷକ ସମାଜ ପ୍ରତି ଥିବା ଆନ୍ତରିକତାକୁ ସ୍ପଷ୍ଟ ଦର୍ଶାଉଛି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ମହାନ୍ତି କହିଛନ୍ତି।

ରାଜ୍ୟର ଶିକ୍ଷକ ସମୂହଙ୍କ ସମସ୍ୟାର ସମାଧାନ ପାଇଁ ଅର୍ଥ କେବେ ହେଲେ ବାଧକ ସାଜି ନାହିଁ, କେବଳ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ରହିଛି। ଆଇଓସିଏଲ୍ ବିବାଦର ସମାଧାନ ପରେ ରାଜ୍ୟ ରାଜକୋଷକୁ ଆସୁଥିବା ପାଖାପାଖି ୩ ହଜାର କୋଟି ଟଙ୍କାରୁ ଶିକ୍ଷକ ସମସ୍ୟାର ତୁରନ୍ତ ସମାଧାନ କରି ରାଜ୍ୟର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନକାରୀ ଶିକ୍ଷକଙ୍କୁ ଆନ୍ଦୋଳନରୁ ଓହରାଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ଗୁରୁ ଦାୟୀତ୍ୱ ନିର୍ବାହ କରିବାକୁ ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *