ଆମ ପର୍ବ ପର୍ବାଣୀ

ପୂରା ଉଆଁସ ଆସନ୍ତାକାଲି : ହଜିବାକୁ ବସିଲାଣି ଏହି ପର୍ବ

ସମ୍ବଲପୁର, ୮/୯ (ଓଡ଼ିଆ ପୁଅ) – ଆସନ୍ତାକାଲି ରବିବାର ୯ ତାରିଖ ହେଉଛି ‘ପୂରା ଉଆଁସ’ ବା ସପ୍ତପୁରୀ ଅମାବାସ୍ୟା। ପଶ୍ଚିମ ଓଡ଼ିଶାରେ ଏହି ଉତ୍ସବର ଖୁôବ୍ ମହତ୍ତ୍ୱ ରହିଥିବା ବେଳେ କ୍ରମେ ଏହା ଦ୍ରୁତଗତିରେ ଲୋପ ପାଇବାକୁ ବସିଛି। ପ୍ରାୟତଃ ଏହା ଆଉ ପାଳନ କରାଯାଉ ନାହିଁ। ସୁବର୍ଣ୍ଣପୁର ଏବଂ କଳାହାଣ୍ଡି ଜିଲ୍ଲାରେ ଏବେ ମଧ୍ୟ ବିଭିନ୍ନ ସ୍ଥାନରେ ଉତ୍ସବ ପାଳିତ ହେଉଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ କାଁ ଭାଁ କେଉଁଠି କେମିତି ଲୋକେ ଏ ଉତ୍ସବକୁ ସ୍ମରଣ କରୁଛନ୍ତି। ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ପର୍ବ ଭଳି ଏହା ମଧ୍ୟ କୃଷିଭିତ୍ତିକ ଅଟେ। ଭାଦ୍ରବ ମାସରେ ବିଭିନ୍ନ ସ୍ଥାନରେ ପୂରା ଫୁଲ ବହୁମାତ୍ରାରେ ଫୁଟିଥାଏ। ପାଞ୍ଚ ପାଖୁଡ଼ା ପ୍ରସାର ବିହୀନ ଭାବରେ କୁଞ୍ଚୁକୁଞ୍ଚିଆ ହୋଇ ଫୁଟିଥାଏ। ଏହାର ଅଗ୍ରଭାଗ ଇସତ୍ ଲାଲ ରଙ୍ଗର ଏବଂ ମଧ୍ୟ ଭାଗ ଗାଢ଼ ହଳଦୀ ବର୍ଣ୍ଣର ହୋଇଥାଏ। ପୂରା ଉଆଁସରେ ଗୋରୁ ଗାଈଙ୍କ ସେବାଯତ୍ନ କରି ସେମାନଙ୍କୁ ଭଲ ଭାବରେ ଗାଧୋଇ ପାଧୋଇ ସିଂଘରେ ରଙ୍ଗ ଲଗାଇ ପୂରା ଫୁଲ ଦୁଇକେରା ତହିଁରେ ଲଗାଇ ଏହି ଉତ୍ସବ ପାଳନ କରାଯାଏ। ଛୋଟ ବୟସର ବାଳକମାନେ ଗୃହପାଳିତ ପଶୁଙ୍କ ପ୍ରତି ଯେଭଳି ଆକର୍ଷିତ ହେବେ ଏବଂ ଭବିଷ୍ୟତରେ ପଶୁଧନର ସ୍ୱାମୀ ହୋଇପାରିବେ ସେହି କାମନା ନେଇ କାଠ ଏବଂ ମାଟିରେ ନିର୍ମିତ ଚକଲଗା ଗୋରୁଗାଈ, ହାତୀ, ଘୋଡ଼ା ଆଦିକୁ ପୁରାଫୁଲରେ ସଜ୍ଜିତ କରି ଟାଣିଥାନ୍ତି। ଛୋଟ ଝିଅମାନେ ବାଲି ଓ ମାଟିରେ କିମ୍ବା ବାଉଁଶ ଏବଂ କାଠରେ ଛୋଟ ଘର ତିଆରି କରି ଘରକରଣା ଖେଳ ଖେଳିଥାନ୍ତି ତଥା ବିକ୍ରିବଟାର ଅଭିନୟ କରିଥାନ୍ତି। ସୋନପୁରରେ ଏସବୁ ସହିତ ହନୁମାନ ମୂତ୍ତି ଲାଞ୍ଜରେ ଅଗ୍ନି ସଂଯୋଗ କରିବାର ଏକ ବିଶେଷ ପରମ୍ପରା ରହିଛି। ବର୍ତ୍ତମାନ ସମୟରେ ଏହି ପର୍ବ ତା’ର ଆକର୍ଷଣ ହରାଇଛି ଏବଂ କ୍ରମେ ପାସୋରି ଦିଆଗଲାଣି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top