ପୁଲିସ ଗାଡ଼ିରେ ଚୋରା କାଠ ଚାଲାଣ!

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) :ବନବିଭାଗ ପକ୍ଷରୁ ଚୋରା କାଠ ଚାଲାଣ ରୋକିବା ଅଭିଯାନ ଜୋରଦାର ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡ ସୋଲ ରେଂଜ ଅଂଚଳରେ ବିଭାଗୀୟ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ପୁଲିସ ଗାଡ଼ିରେ ଶାଳକାଠ ଚାଲାଣ ଉଦ୍ୟମ ବ୍ୟର୍ଥ୍ୟ ହୋଇଛି। କାଠ ମାଫିଆଙ୍କ ଏଭଳି କଳାକନା ବୁଲାଇବା କୌଶଳ ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଗ୍ରାମବାସୀ ଏହି ଗାଡ଼ିକୁ ଅଟକାଇ ବନ ବିଭାଗ ଜିମା ଦେଇଛନ୍ତି। ଗତ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ଏକ ଟାଟା ୯୦୯ ଇଏକ୍ସ ଗାଡ଼ି ଓଡ଼ି ୫ ୱାଇ ୯୬୩୦ରେ ପ୍ରାୟ ୬ରୁ ୭ ଖଣ୍ଡ ଶାଳ ଗଣ୍ଡି ଲୋଡିଂ ହୋଇଥିଲା। ସନ୍ଦେହରେ ଗ୍ରାମବାସୀ ଏହି ଗାଡ଼ିକୁ ଅଟକାଇ ଥିଲେ। ତାହା ମଧ୍ୟରୁ କାଠଗଣ୍ଡି ଥିବା ନେଇ ସୋଲ ରେଂଜ ଅଧିକାରୀଙ୍କୁ ଖବର ଦେଇ ଗାଡ଼ିକୁ ଅଟକୁ ରଖିବା ପରେ ତାଙ୍କ ଜିମା ଦେଇଥିଲେ। ମାତ୍ର ଏହି ଘଟଣାର କିଛି ସମୟ ପରେ ଗାଡିଟି ଘଟଣାସ୍ଥଳରୁ ଅଚାନକ ଉଭାନ ହୋଇ ଯାଇଥିଲା। ଗ୍ରାମବାସୀ ଏନେଇ ହୋହାଲ୍ଲା କରିବା ପରେ ଜଣେ ବନ କର୍ମଚାରୀ ନିଜ ନାମ ଗୋପନ ରଖିବାକୁ ଯାଇ ଏହାର ଗୁମର ଫିଟାଇଥିଲେ। ପୁଲିସ ଯବାନ ମାନେ ବନବିଭାଗ କର୍ମଚାରୀଙ୍କୁ କହିବା ପରେ ଗାଡ଼ିକୁ ଛାଡ଼ି ଦିଆଯାଇଥିବା ସେ ଜଣାଇଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସାଧାରଣ ଲୋକେ କାଠ ଖଣ୍ଡିଏ ନେଲେ ଜଙ୍ଗଲ ବିଭାଗ ଗାଡ଼ିକୁ ଓ କାଠକୁ ଜବତ କରି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜରିମାନା ଆଦାୟ କରୁଛି। ହେଲେ ପୁଲିସ ଗାଡ଼ିରେ କାଠ ଗଣ୍ଡି ଚାଲାଣ କରାଯାଉଥିବା ନେଇ ବନବିଭାଗ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରାଯାଇଛି। ଘଟଣା ସମ୍ପର୍କରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ହସ୍ତକ୍ଷେପ କରି ଗ୍ରାମବାସୀଙ୍କ ତଦନ୍ତ ଦାବିକୁ ସମର୍ଥନ ଜଣାଇଛନ୍ତି। ଗତ ବୁଧବାର ସଂଧ୍ୟାରେ ସୋଲ ଗ୍ରାମବାସୀ ଘଟଣା ସମ୍ପର୍କରେ ଗୁରୁଣ୍ଡିଆ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *