ପୁଲିସ୍ ହେପାଜତରେ ଭଦ୍ରକ ଫେରୁଥିବା ଫେରାର ପ୍ରେମିକର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା! ଅମିତ୍କୁ ସୁପରିକଳ୍ପିତ ଭାବେ ଟ୍ରେନ୍ ରୁ ଠେଲି ହତ୍ୟା କରାଯାଇଛି ବୋଲି ମା’ଙ୍କ ଅଭିଯୋଗ

ଭଦ୍ରକ, ୧୭ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ନିଜ ଘରଛାଡି ପଳାୟନ କରିଥିବା ଏକ ପ୍ରେମୀ ଯୁଗଳକୁ ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ ଉଦ୍ଧାର କରି ଭଦ୍ରକ ଆଣିବା ରାସ୍ତାରେ ପ୍ରେମିକଟି ଟ୍ରେନ୍ରୁ ଡେଇଁ ଆତ୍ମହତ୍ୟା କରିଥିବା ବିଷୟ ପୁଲିସ୍ କହୁଥିବାବେଳେ ମୃତ ଯୁବକର ପରିବାର ପକ୍ଷରୁ ତାକୁ ଟ୍ରେନ୍ରୁ ଠେଲି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଏ ସଂପର୍କରେ ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବଣିଆ ପଂଚାୟତର ୰ ପୂର୍ଣ୍ଣଚନ୍ଦ୍ର ପୁହାଣଙ୍କ ପୁତ୍ର ଅମିତ୍ ଏହି ଜିଲାର ତିହିଡି ସ୍ଥିତ ବିରଂଚି ନାରାୟଣ ମାଧବାର୍ଜୁନ ମହାବିଦ୍ୟାଳୟରେ ୩ୟ ବର୍ଷ ବାଣିଜ୍ୟ ବିଭାଗରେ ପଢୁଥିବାବେଳେ ଜଣେ ଅଣଓଡିଆ ଯୁବତୀଙ୍କ ପ୍ରେମରେ ପଡିଥିଲେ। ଉଭୟ ଘରଛାଡି ମୁମ୍ବାଇ ପଳାୟନ କରିଥିଲେ। ଏ ସଂପର୍କରେ ଯୁବତୀଙ୍କ ପରିବାର ପକ୍ଷରୁ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ଏଏସ୍ଆଇ ତ୍ରିନାଥ ଭୋଇଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଅମିତ୍ର ଫୋନ୍ ଟ୍ରାକ୍ କରି ମୁମ୍ବାଇରେ ପହଞ୍ଚିଥିଲେ। ଏହି ପୁଲିସ୍ ଟିମ୍ ସହ ଯୁବତୀର ପରିବାର ଲୋକ ମଧ୍ୟ ଥିଲେ। ଏହି ଟିମ୍ଟି ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବା ପରେ ଉଡାଜାହାଜ ଯୋଗେ ଗତକାଲି କୋଲକାତାରେ ପହଞ୍ଚି ସେଠାରୁ ଟ୍ରେନ୍ ଯୋଗେ ଭଦ୍ରକ ଆସୁଥିବାବେଳେ ବେଲଦା ଷ୍ଟେସନ ନିକଟରେ ଅମିତ୍ ଟ୍ରେନ୍ରୁ ଡେଇଁ ଆତ୍ମହତ୍ୟା କରିଥିବା ବିଷୟ ଶ୍ରୀ ଭୋଇ କହିଛନ୍ତି। ତେବେ ଅମିତ୍କୁ ଟ୍ରେନ୍ରୁ ଧକ୍କାମାରି ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ବିଷୟ ଅମିତ୍ର ମା’ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଜିଲା ଆରକ୍ଷୀ ଅଧିକ୍ଷକ ବି. ଗଂଗାଧର ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କର୍ତ୍ତବ୍ୟରେ ଅବହେଳା କରିଥିବା ପୁଲିସ୍ ଅଧିକାରୀଙ୍କ ନାମରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି।

Leave a Reply

Your email address will not be published. Required fields are marked *