ପୁରୁଣା ଟି ଭି !

ପୂର୍ଣ୍ଣଚନ୍ଦ୍ର ମହାକୁଡ

ସବୁଦିନ ପରି ସେଦିନ ମଧ୍ୟ ଅଫିସରୁ ଘରକୁ ଫେରିବା ପରେ ମାର୍କେଟକୁ ବାହାରିଗଲି। ଛକ ଜାଗା ତେଣୁ ସାଙ୍ଗ ସାଥି ମାନଙ୍କ ସହ ସାକ୍ଷାତ ହେବାଠୁ ଚା ପିଇ ଖଟି କରିବା ପର୍ଯ୍ୟନ୍ତ ସବୁ ସେଇ ଛକ ଜାଗାରେ ହିଁ ହୁଏ। ଏହା ପ୍ରାୟ ଆମର ନିତିଦିଆ ଅଭ୍ୟାସ।
ଅଧ ଘଣ୍ଟାଏ ପରେ ହଠାତ୍ ଘରୁ ଝିଅର ଫୋନ୍ ଆସିଲା,
-ବାପା ଟିଭିରୁ ଧୂଆଁ ବାହାରୁଛି।
ମୁଁ କଣ ପ୍ରତିକ୍ରିୟା ଦେବି ଚିନ୍ତା କରିପାରୁନଥିଲି। କାଳେ ସର୍ଟ ସର୍କିଟ୍ ହୋଇ ଘରେ ବଡ ଧରଣର କିଛି ଗୋଟେ ଜଳା ପୋଡା ହେଲା ବୋଧେ।
ତଥାପି ନିଜକୁ ଯଥା ସମ୍ଭବ ସମ୍ଭାଳି ସ୍ଥିର ଗଳାରେ ପଚାରିଲି,
– କେମିତି ହେଲା ? କଣ ଟିଭି ପୁରାପୁରି ପୋଡିଗଲା କି ?
-କେଜାଣି, ମା ତ ସେ ଘରେ ଟିଭି ଦେଖୁଥିଲା। ହଠାତ ବଲ୍ବ ସବୁ ଠୋ ଠୋ ହୋଇ ଫାଟିଗଲା। ତାପରେ ଟିଭିରୁ ଧୂଆଁ ବାହାରି ରୁମ୍ ସାରା ଭର୍ତ୍ତି ହୋଇଗଲା।
-ରୁମରେ ଆଉ କିଛି ପୋଡା ଜଳା ହୋଇଛି କି ?
– ନା ଆଉ କିଛି ପୋଡି ନାହିଁ କିନ୍ତୁ ସେତେ ବେଳଠୁ ଘରେ କରେଣ୍ଟ ନାହିଁ।
ଝିଅର କଥା ବାର୍ତ୍ତାରୁ ବୁଝିଗଲି ଯେ ସର୍ଟ୍ ସର୍କିଟ୍ ନହେଲେ ଅଧିକା ଭୋଲଟେଜ୍ ପାଇଁ ଏମିତି ହେଲା। ଯା ହେଉ ବିଶେଷ କିଛି କ୍ଷୟ କ୍ଷତି ହୋଇ ନାହିଁ। ତଥାପି ତାକୁ ରୁମର ଝର୍କା କବାଟ ସବୁ ଖୋଲି ଦେବାକୁ କହି ଘରକୁ ଆସିଲି।

ଫେରିବା ବାଟରେ ଦେଖିଲି ସାହି ସାରା ଅନ୍ଧାର। ଘରେ ପହଞ୍ଚିବା ପରେ ସବୁଆଡେ ଶୂନ୍ ଶାନ୍। କାହାରି ପାଟି ଶୁଭୁ ନ ଥାଏ। ଆଲୁଅ କଥା ଅଲଗା କିନ୍ତୁ ଟିଭି ପୋଡିବା କଥାରେ କାଳେ ଗାଳି ଶୁଣିବାକୁ ମିଳିବ ଭାବି ସମସ୍ତେ ଚୁପ୍ ଚାପ୍। ବିବିଧ ଭାରତୀ ପରି ଅହରହ ଶୁଭୁଥିବା ଶ୍ରୀମତୀଙ୍କ ସ୍ବର ରେଡିଓରୁ ବ୍ୟାଟେରି ସରିଗଲା ପରି କ୍ଷୀଣ ହୋଇ ଯାଇଥିଲା।
-ଏ ସବୁ କଣ କେମିତି ହେଲା ?
– ମୁଁ ତ ଏ ଘରେ ଶୋଇକି ଟିଭି ଦେଖୁଥିଲି। ହଠାତ୍ କରେଣ୍ଟ୍ ବଢିଗଲା। ବଲ୍ବ ଦୁଇଟା ଫାଟିଗଲା ତାପରେ ତ ଟିଭିରୁ ଧୂଆଁ ବାହାରିଲା।
ମୁଁ କଣ କରିଥାନ୍ତି ?
ମୁଁ କାଳେ ଆକ୍ରମଣ କରିବି ଭାବି ଶ୍ରୀମତୀ ରକ୍ଷାତ୍ମକ ଭଙ୍ଗୀରେ କଥା କହୁଥାନ୍ତି।
କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି electrician କୁ ଫୋନ୍ କଲି। ସେପଟୁ ଉତ୍ତର ଆସିଲା,
-ଆଜ୍ଞା, ଗୋଟେ ଲୁହା ପଥର ବୋଝେଇ ଟ୍ରକ୍ electry ଖୁଣ୍ଟକୁ ବାଡେଇ ଦେଇଛି। ସେଇଥିରେ ତାର ଛିଣ୍ଡି ହାଇ ଭୋଲଟେଜ୍ ହୋଇଗଲା।
ଏକଥା ଶୁଣିଲା ପରେ ମୋର ଆଉ କିଛି କହିବାର ନଥିଲା। କେବଳ ଏତିକି କହିଲି,
-ଖୁଣ୍ଟ ଭାଙ୍ଗି ଯାଇଛି। ତେଣୁ ଆଜି ଆଉ ଆଲୁଅ ଆସିବ ନାହିଁ।

ମୋର କଥା ବାର୍ତ୍ତାରେ ସମସ୍ତେ ଟିକେ ଆଶ୍ବସ୍ତ ହେଲେ।
-କାଲି କରେଣ୍ଟ ଆସିଲା ପରେ ମେକାନିକ୍ ଡାକି ଦେଖିବା ଏ ଟିଭିର ଅବସ୍ଥା କଣ ଅଛି। ସଜଡା ହୋଇ ପାରିବ କି ନାହିଁ।
-ମୋର ମୁଡ୍ ଦେଖି ସାନ ଝିଅ କହିଲା ନାଇଁ ବାପା ଆମର ଗୋଟେ LED ଆଣିବା।
ଦିର୍ଘ ସମୟ ପର୍ଯ୍ୟନ୍ତ ମୌନବ୍ରତ ଅବଲମ୍ବନ କରିଥିବା ଶ୍ରୀମତୀଙ୍କ ସ୍ବର ଶୁଭିଲା,
ଗୋଟେ ଫ୍ଲାଟ୍ ଟିଭି ନେଇ ଆସ। ଚଟାଣ ଜାଗାଟା ଫାଙ୍କା ହୋଇଯିବ। ଏ ବଡ ଢାବଲା ଟିଭିଟା ଅଧା ଘରଟାକୁ ମାଡି ବସିଛି।

ମୁଁ କୌଣସି ଉତ୍ତର ନ ଦେଇ ସମସ୍ତଙ୍କ କଥା ଶୁଣୁଥିଲି। ମହମ ଆଲୁଅରେ ପୋଡି ଯାଇଥିବା ଟିଭିକୁ ଟିକେ ଚାହିଁଲି। ପାଖା ପାଖି ୧୫ ବର୍ଷ ହେବ ଅତି ଆଗ୍ରହରେ ଏ ଟିଭିକୁ କିଣିଥିଲି। ସମସ୍ତେ LCD, LED ଆଡକୁ ମୁହାଁଇଲେ। ହେଲେ ମୋର ଏଇ ପୁରୁଣା ଢାବଲା ଟିଭି ପ୍ରତି ମୋହ ଏ ଯାଏଁ ତୁଟି ନ ଥିଲା। ଦିନଟା ସାରା ଘରଟାକୁ ଚହଳ କରି ରଖୁଥିବା ଯନ୍ତ୍ରଟା ଅଚଳ ହେବାରୁ ନିର୍ଜିବ ଓ ବର୍ଜ୍ୟ ବସ୍ତୁ ପାଲଟିଗଲା। ସତେ ଯେମିତି ସେ ମରିଗଲା ସମସ୍ତଙ୍କ ପାଇଁ। ଆଉ ସମସ୍ତେ ତର ତର ହେଲେ ଯେ କେତେ ଶିଘ୍ର ତାକୁ ଘରୁ ବାହାର କରିଦେବେ। ଠିକ୍ ଯେମିତି ମଣିଷ ମରିଗଲା ପରେ ଶବକୁ ଘରୁ ବାହାର କରିଦେଇ ଯଥା ଶିଘ୍ର ତାର ସଂସ୍କାର କରିଦିଆ ହୁଏ। ଅଦରକାରୀ, ଅଚଳ ଜିନିଷ ଆଉ ମଲା ମଣିଷ ଭିତରେ ତଫାତ୍ ତ ବେଶି କିଛି ନୁହେଁ।

ସା/ପୋ : ଭଦ୍ରାସାହି, ବଡବିଲ,
ଜିଲ୍ଲା-କେଉଁଝର, ଓଡିଶା। ପିନ୍ କୋଡ୍ -୭୫୮୦୩୫

Leave a Reply

Your email address will not be published. Required fields are marked *