ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଅନୁଧ୍ୟାନ କଲା ୩ଜଣିଆ କମିଟି

ପୁରୀ:୨୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀଜଗନ୍ନାଥ ମନ୍ଦିର ସମେତ ଦେଶର ଅନ୍ୟ ପ୍ରମୁଖ ମନ୍ଦିର ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ଖୁବ୍ଶୀଘ୍ର ସୁପ୍ରିମକୋର୍ଟରେ ରିପୋଟ ଦାଖଲ କରିବ ରାଜ୍ୟ ସରକାରଙ୍କ ୩ଜଣିଆ କମିଟି। ଜଙ୍ଗଲ ଓ ପରିବେଶ ବିଭା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସନ୍ଦ୍ରଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଅବସରପ୍ରାପ୍ତ ପ୍ରଶାସକ ମହୀମୋହନ ତ୍ରିପାଠୀ ରବିବାର ଶ୍ରୀମନ୍ଦିରକୁ ଯାଇ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଦାନ ଓ ଦକ୍ଷିଣା ଆଦାୟ ପଦ୍ଧତି ସେମାନେ ବୁଲି ଦେଖିଛନ୍ତି। କିପରି ବ୍ୟବସ୍ଥା କରାଗଲେ ଭକ୍ତମାନେ ନିର୍ବିଘ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ ଏବଂ ଶ୍ରୀଜିଉଙ୍କ ଦୈନନ୍ଦିନ ନୀତିକାନ୍ତି ଶୃଙ୍ଖଳିତ ହେବ ସେ ସମ୍ପର୍କରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ କମିଟି ଆଲୋଚନନା କରିଛନ୍ତି। ତିରୁପତି ଏବଂ ବୈଷ୍ଣୋଦେବୀ ମନ୍ଦିର ପରି ଶ୍ରୀଜଗନ୍ନାଥ ମନ୍ଦିରରେ ଯଦି ଧାଡି ଦର୍ଶନ ବ୍ୟବସ୍ଥା କରାଯାଏ ତାହା ସଫଳ ହେବ କି ନାହିଁ ସେ ସମ୍ପର୍କରେ କମିଟି ଅନୁଧ୍ୟାନ କରୁଛି। ଏହାଛଡା ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କମିଟି ପ୍ରସ୍ତାବ ଦେବାର ସମ୍ଭାବନା ରହିଛି। ଭକ୍ତଙ୍କ ପାଇଁ ମନ୍ଦିର ଯୋଗାଇ ଦେଉଥିବା ବ୍ୟବସ୍ଥା ସମ୍ପର୍କରେ କମିଟିର ସଭ୍ୟମାନେ ତଥ୍ୟ ସଂଗ୍ରହ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ତଥା ଜିଲ୍ଲା ଜର୍ଜଙ୍କ ୧୨ଟି ସୁପାରିସ କାର୍ଯ୍ୟକ୍ରାରୀ ସମ୍ପର୍କରେ ଆଲୋଚନା କରାଯାଇଛି। ସେବକଙ୍କ ବଂଶାନୁକ୍ରମିକ ସେବାସ୍ୱତ୍ୱ ଅଧିକାର ଉଚ୍ଛେଦ, ଦାନଦକ୍ଷିଣା ଓ ପିଣ୍ଡିକା ଆଦାୟ ବନ୍ଦ, ଧାଡି ଦର୍ଶନନ ବ୍ୟବସ୍ଥା, ରୋଷଶାଳା ଓ ଆନନ୍ଦବଜାର ସୁପରିଚାଳନା, ଅନ୍ୟ ପ୍ରମୁଖ ମନ୍ଦିରଗୁଡିକ ପରି ଭକ୍ତଙ୍କୁ ବିଭିନ୍ନ ସୁବିଧାସସୁଯୋଗ ପ୍ରଦାନ, ସେବକ ଓ କର୍ମଚାରୀଙ୍କୁ ପରିଚୟପତ୍ର ସମ୍ପର୍କରେ କମିଟି ବିଭିନ୍ନ ସେବକ ନିଯୋଗ ଠାରୁ ଆପତ୍ତି ଅଭିଯୋଗ ଶୁଣିଛନ୍ତି। ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଆଣିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଆଇନାରେ କେତେକ ସଂଶୋଧନ ନିମନ୍ତେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ଚିନ୍ତା କରୁଛି। ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି। ମୃଣାଳିନୀ ପାଢ଼ୀ ନାମକ ଜଣେ ଶ୍ରଦ୍ଧାଳୁ ସୁପ୍ରିମକୋର୍ଟରେ ମକଦ୍ଦମା ରୁଜୁ କରିଛନ୍ତି। ଶ୍ରୀମନ୍ଦିରରେ କେତେକ ସେବକଙ୍କ ବେଆଇନ ଦାନଦକ୍ଷିଣା ଆଦାୟ ଦର୍ଶନରେ ଚରମ ବିଶୃଙ୍ଖଳା, ଭକ୍ତଙ୍କୁ ର୍ଦୁବ୍ୟବହାର ଏବଂ ଶ୍ରୀମନ୍ଦିର ପରିଚାଳନାରେ ତ୍ରୁଟି ରହିଥିବା ସେ ଉଲ୍ଲେଖ କରିଛନ୍ତି। ମନ୍ଦିର ଚତୁଃପାର୍ଶ୍ୱ ଜବରଦଖଲ ଏବଂ ଅସ୍ୱାସ୍ଥ୍ୟକର ପରିବେଶ ସମ୍ପର୍କରେ ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁରୀ ଜିଲ୍ଲା ଜଜ୍ ମଧ୍ୟ ଏହି ସମୟ ମଧ୍ୟରେ ପରବର୍ତ୍ତୀ ରିପୋର୍ଟ ଦାଖଲ କରିବେ। ବିଭିନ୍ନ ଗୋଷ୍ଠୀ ସହ ଆଲୋଚନା କରି ପରାମର୍ଶ ଦେବା ନିମନ୍ତେ ଜଣେ ବରିଷ୍ଠ ଆଇନଜୀବୀଙ୍କୁ ଆମିକସ୍ କ୍ୟୁରି ଭାବେ କୋର୍ଟ ନିଯୁକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ୩ଜଣିଆ କମିଟି ୨ଦିନ ଭିତରେ ରିପୋର୍ଟ ଦେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *