ପୁରୀ: ରତ୍ନସିଂହାସନରେ ଗଜଉଦ୍ଧାରଣ ବେଶରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେଲେ

ପୁରୀ, ୩୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆଜି ପିବତ୍ର ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଗଜଉଦ୍ଧାରଣ ବେଶ ହୋଇଛି। ଗ୍ରହଣ ନୀତି ପରେ ମଧ୍ୟାନ ଦୀପ ସାରି ମୈଲମ ହେବା ପରେ ଗଜଉଦ୍ଧାରଣ ବେଶ ହୋଇଥିଲା। ଏହି ବେଶରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଚର୍ତୁଭୂଜ ରୂପ ଧାରଣ କରିଥିଲେ। ମହାପ୍ରଭୁଙ୍କ ଭୁଜରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଶୋଭା ପାଇଥିବା ବେଳେ, ବଳଭଦ୍ରଙ୍କ ଚାରି ଭୂଜରେ ଫଳ, ମୂଷଳ, ଓ ଶଙ୍ଖ ଚକ୍ର ଧାରଣ କରି, ବସୁଦେବ ରୂପରେ କାଷ୍ଠ ସଂହାସନରେ ପଦ୍ମାସନରେ ବିରାଜମାନ କରିଥିଲେ। ମହାପ୍ରଭୁ ଗରୁଡ ପୃଷ୍ଟରେ ବସିବା ଢଙ୍ଗରେ ଏବଂ ତାଙ୍କ କୋଳରେ ଶ୍ରୀ ଦେବୀ ବିରାଜମାନ କରିଥିଲେ। ଦେବୀ ସୁଭଦ୍ରା ଛନ୍ଦା ଚରଣରେ ହସ୍ତରେ ପଦ୍ମ ଫୁଲ ଧାରଣ କରିଥିଲେ। ସିଂହାସନ ତଳେ ୨ ଟି ଗଜ, ଶୁଣ୍ଢରେ ପଦ୍ମ କଳିକା ଧରି ଅବସ୍ଥାନ କରିଥିବା ବେଳେ ଗଜର ଶରୀରକୁ ଆକ୍ରାନ୍ତ କରିବା ଭଙ୍ଗୀରେ କୁମ୍ଭୀର ମୂର୍ତ୍ତି ରହିଥିଲା। ବେଶ ସଂପୂର୍ଣ୍ଣ ହେବା ପରେ ଖୀରି ଓ ଅମ୍ବାଲୁ ଭୋଗ କରାଯାଇଥିଲା। ଭୈାମ ବଂଶର ରାଣୀ ବକୂଳ ମହାଦେବୀ ଏହି ବେଶକୁ ପ୍ରଥମେ ପ୍ରଚଳନ କରିଥିଲେ ବୋଲି ଗବେଷକ ନରେଶ ଦାସ ମତବ୍ୟକ୍ତ କରିଛନ୍ତି। ଗ୍ରହଣ ପରେ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ଏହି ମହାର୍ଘ ବେଶକୁ ଦର୍ଶନ କରିଥିଲେ। ଏହି ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରବଳ ଭିଡ ଲାଗି ରହିଥିଲା।

Leave a Reply

Your email address will not be published. Required fields are marked *