ପୁରୀ: ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଉଦ୍ଘାଟିତ

ପୁରୀ:୨/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଡାକ ବିଭାଗର ଇଣ୍ଡିଆ ପୋଷ୍ଟ ବ୍ୟାଙ୍କକୁ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଥିବା ବେଳେ ପୁରୀରେ ସାଂସଦ ପିନାକୀ ମିଶ୍ର ଏହି ସେବାକୁ ଉଦ୍ଘାଟନ କରିଛନ୍ତି। ହଲିଡେ ରିସର୍ଟ ସଭା ଗୃହରେ ଡାକ ବିଭାଗର ଏହି ବ୍ୟାଙ୍କ ସେବାକୁ ଉଦ୍ଘାଟନ କରି ସାଂସଦ ଶ୍ରୀ ମିଶ୍ର କହିଲେ ଯେ କେନ୍ଦ୍ର ସରକାରଙ୍କର ଏହା ଏକ ମହତ୍ୱ ପଦକ୍ଷେପ। ସମସ୍ତ ବର୍ଗର ଲୋକଙ୍କୁ ଅର୍ଥନୈତିକ ବିକାଶରେ ଏହା ସହାୟକ ହୋଇପାରିବ। ଡାକ ବିଭାଗର ଐତିହ୍ୟ ଓ ଉତ୍ସର୍ଗୀକୃତ ସେବା ସମାଜ ପାଇଁ ଅନନ୍ୟ। ଡାକ କର୍ମଚାରୀଙ୍କ ବେତନ ବୃଦ୍ଧି କରି କେନ୍ଦ୍ର ସରକାର ଏକ ବଡ କାମ କରିଛନ୍ତି। ଏହି ବ୍ୟାଙ୍କ ସେବା ପାଇଁ ଉତ୍ତମ ନେଟୱର୍କ ଆବଶ୍ୟକ। ନେଟୱର୍କ ଓ ଯୋଗାଯୋଗ ରହିଲେ ଭବିଷ୍ୟତରେ ଏହି ଯୋଜନା ସଫଳ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ପୁରୀ ଡାକ ଡିଭିଜନର ବରିଷ୍ଠ ଅଧିକ୍ଷକ ସଞ୍ଜୟ କୁମାର ମହାପାତ୍ର ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ନାଲ୍କୋ ପରିଚାଳନା ନିର୍ଦ୍ଦେଶକ ତପନ କୁମାର ଚାନ୍ଦ୍ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଏହି ସେବା ଦ୍ୱାରା ଲୋକଙ୍କର ଅର୍ଥନୈତିକ ବିକାଶ ସହ ଅଭିବୃଦ୍ଧି ହୋଇପାରିବ। ପୋଷ୍ଟାଲ ବ୍ୟାଙ୍କ କ୍ଷେତ୍ରରେ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ। ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏହା ବିଶେଷ ସହାୟକ ହୋଇପାରିବ। ଗାଁରେ ଡାକ ବ୍ୟାଙ୍କ ସୁବିଧା ନ ପହଞ୍ଚିଲେ ଅର୍ଥନୈତିକ ବିକାଶ ହୋଇପାରିବ ନାହିଁ। ନାଲ୍କୋର ଲାଡ୍ଲି କାର୍ଯ୍ୟକ୍ରମରେ ଏହି ସେବାର ସୁଯୋଗ ନିଆଯିବ ବୋଲି ସେ ସୂଚନା ଦେଇଥିଲେ। ପଦ୍ମ ବିଭୂଷଣ ସାଂସଦ ରଘୁନାଥ ମହାପାତ୍ର କହିଲେ ଯେ ପ୍ରଧାନମନ୍ତ୍ରୀଙ୍କର ଏହି ଯୋଜନା ଏକ ମହତ୍ ପଦକ୍ଷେପ। ଦେଶର ପ୍ରଗତିରେ ଡାକ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। ଇଣ୍ଡିଆ ପୋଷ୍ଟ ଏମେଣ୍ଟ ବ୍ୟାଙ୍କର ମଣ୍ଡଳ ଅଧିକାରୀ ଅଭିନାଶ ପାଣୀ ଉତ୍ସବରେ ମଞ୍ଚାସୀନ ଥିଲେ। ଶେଷରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *