ପୁରାତନ ଛାତ୍ର ସଂସଦ ପକ୍ଷରୁ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ୭୧ ତମ ପ୍ରତିଷ୍ଠା ଦିବସ ପାଳିତ

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ତାର ୭୧ତମ ଜନ୍ମୋତ୍ସବ ପାଳିତ ହୋଇ ଯାଇଛି। ଅଧ୍ୟକ୍ଷ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅନୁରୋଧ କ୍ରମେ ପୁରାତନ ଛାତ୍ର ସଂସଦର ସଭାପତି ପ୍ରଫେସର ଦେବନେ୍ଦ୍ର ନାଥ ରାଉତ ଅନୁଷ୍ଠାନର ପତାକା ଉତ୍ତୋଳନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଭଦ୍ରକ ମାଟିକୁ ଭଦ୍ରକ କଲେଜର ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଏହାର ସ୍ୱର୍ଣ୍ଣିମ ଇତିହାସର ସୂଚନା ଦେଇଥିଲେ। ପୂର୍ବତନ ସଭାପତି ଡାକ୍ତର ଦୁର୍ଯେ୍ୟାଧନ ଦାସ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ ପାଇଁ ଉଦ୍ୟମ ଜାରି ରଖିବାକୁ ଶପଥ କରାଇଥିଲେ। ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଡାକ୍ତର ଦାସ କହିଥିଲେ। କାର୍ଯ୍ୟକାରୀ ସଭ୍ୟ ଗୋବର୍ଦ୍ଧନ ସାମଲ ମହାବିଦ୍ୟାଳୟରେ ଅଧ୍ୟାପକ ଅଧ୍ୟାପିକା ପଦ ଖାଲି ପଡିଥିବା ନେଇ ଉଦ୍ବେଗ ପ୍ରକଟ କରିଥିଲେ। ଏହା ଦ୍ୱାରା ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣର ଅବନତି ଘଟୁଛି। ଏଥିଲାଗି ସାମୁହିକ ଉଦ୍ୟମ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଯଥେଷ୍ଟ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସଂସଦର ସମ୍ପାଦକ ଅଜୟ ନାୟକ ରାଜନେତାମାନଙ୍କ ମଧ୍ୟରେ ପ୍ରତିଶୃତିବଦ୍ଧତା ରହିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଭଦ୍ରକ ମହାବିଦ୍ୟାଳୟର ଭୂଦାତା ଛକଡି ମହାନ୍ତିଙ୍କ ସ୍ମୃତି ଚାରଣ କରି ତାଙ୍କ ଭଳି ଅଦ୍ୱିତୀୟ ପୁରୁଷ ଭଦ୍ରକ ପାଇଁ ବିରଳ ବୋଲି କହିଥିଲେ। ଏଥି ସହିତ ସ୍ୱର୍ଗତ ଡ. ହରେକୃଷ୍ଣ ମହତାବ, ଆଇନଜୀବୀ ସ୍ୱର୍ଗତ ନରେନ୍ଦ୍ର ପ୍ରସାଦ ଦାସଙ୍କ ଭଦ୍ରକ ମହାବିଦ୍ୟାଳୟ ପାଇଁ ଅବଦାନର ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ପୁରାତନ ଛାତ୍ର ସଂସଦର ବୈଲୋଚନ ବେଉରିଆ, ଶତୃଘ୍ନ ସାମଲ, ପ୍ରଦିପ୍ତ ରାୟ, ହରମୋହନ ଜେନା, ଅମରେଶ ବିଶ୍ୱା, ସୁଧାକର ରାଉତ, ଅକ୍ଷୟ ବାରିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଛକଡି ମହାନ୍ତି, ହରେକୃଷ୍ଣ ମହତାବ, ନରେନ୍ଦ୍ର ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଉତ୍ସବରେ ବହୁ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *