ପୁନେରୁ ଉଦ୍ଧାର ହେଲା ଗଜପତି ଜିଲାର ଛାତ୍ର

ପାରଳାଖେମୁଣ୍ଡି, ୨୦ା୧୦(ଓଡ଼ିଆ ପୁଅ / ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ପୁନେରୁ ଏକ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଏକ ପ୍ରେସ ବିବୃତି ମାଧ୍ୟମରେ ଏସଡିପିଓ ଉତ୍କଳ ରଞ୍ଜନ ଦାସ ଜଣାଇଛନ୍ତି। ଘଟଣାରୁ ପ୍ରକାଶ ଯେ ଗତ୨୦୧୬ ମସିହା ଜାନୁୟାରି ୧ତାରିଖ ଠାରୁ ପାରଳାଖେମୁଣ୍ଡି ସ୍ଥିତ ଏସକେସିଜି କଲେଜ ହଷ୍ଟେଲରୁ ଯୁକ୍ତ ୨ବିଜ୍ଞାନ ବିଭାଗର ଛାତ୍ର ମନୋରଞ୍ଜନ ସାହୁ କେଉଁ ଆଡେ ଚାଲିଯାଇଥିଲେ। ତାଙ୍କ ନିଜ ଘର ମୋହନାରେ ହୋଇଥିବା ବେଳେ ତାଙ୍କ ପିତା ଶିବରାମ ସାହୁ ପାରଳାଖେମୁଣ୍ଡି ଥାନାରେ ତାଙ୍କ ପୁଅ ମନୋରଞ୍ଜନ କେଉଁ ଆଡେ ହଜିଯାଇଥିବା ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ସେତେବେଳେ ୧/୧୬ ନଂ ରେ ପାରଳାଖେମୁଣ୍ଡି ଥାନାରେ ଏକ ମାମଲା ରୁଜୁ ହୋଇ ଅନୁସନ୍ଧାନ ପାଇଁ ଏସଆଇ ସୁବ୍ରତ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଇତି ମଧ୍ୟରେ ପାରଳାଖେମୁଣ୍ଡି ପୋଲିସର ଏକ ଟିମ୍ ଏସଆଇ ପାଣିଗ୍ରାହୀଙ୍କ ନେତୃତ୍ୱରେ ଭୁବନେଶ୍ୱର, କଟକ, ପୁରୀ, ପିପିଲି, ଦିଲ୍ଲୀ ଇତ୍ୟାଦି ବିଭିନ୍ନ ସ୍ଥାନରେ ଅନୁସନ୍ଧାନ କଲେ ମଧ୍ୟ ଉକ୍ତ ନିଖୋଜ ଛାତ୍ରର କୌଣସି ସନ୍ଧାନ ପାଇନଥିଲେ। କିଛି ଦିନ ତଳେ କୌଣସି ସୂତ୍ରରୁ ପୋଲିସ ଉକ୍ତ ଛାତ୍ର ମହାରାଷ୍ଟ୍ରର ପୁନେ ଠାରେ ଥିବାର ସୁରାକ ପାଇଥିଲା। ତୁରନ୍ତ ଏସଆଇ ସୁବ୍ରତ ପାଣିଗ୍ରାହୀ ଓ ତାଙ୍କ ଟିମ୍ ପୁନେରେ ପହଞ୍ଚି ସେଠାରେ ଥିବା ଗଙ୍ଗାଧାମ ଛକ ନିକଟରେ ଶି୍ରନାଥ ହଟେଲରୁ ଉକ୍ତ ଛାତ୍ରଙ୍କୁ ଉଦ୍ଧାର କରିଥିଲେ। ତାକୁ ସେଠାରୁ ପାରଳାଖେମୁଣ୍ଡି ଅଣାଯାଇଥିବା ବେଳେ ତାର ବୟାନ ରେକର୍ଡ କରାଯାଇ ତାଙ୍କ ପିତାଙ୍କୁ ହସ୍ତାନ୍ତର କରାଯିବ ବୋଲି ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *