ପୁତୁଲପାଣି ଲୌହଖଣି ଶ୍ରମିକମାନଙ୍କର ବକେୟା ପ୍ରାପ୍ୟ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା

କେନ୍ଦୁଝର, ୧୪ା୭(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ଦୀର୍ଘଦିନ ଧରି ବନ୍ଦ ଥିବା ପୁତୁଲପାଣି ଲୌହଖଣିରେ ଜରିମାନା ଅର୍ଥ ନେଦେବାରୁ ଏହି ଖଣି ଲିଜ୍ ବାତିଲ ସହ ସଂପତ୍ତି ବ୍ୟାଜ୍ୟାପ୍ତ ପାଇଁ ସରକାରଙ୍କର ନୋଟିସ ଦିଆଯାଇଛି। କିନ୍ତୁ ଶ୍ରମିକମାନଙ୍କର ହାରାହାରି ୫୦କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବକେୟା ମିଳିନଥିବାରୁ କେନ୍ଦୁଝର ମାଇନ୍ସ ଆଣ୍ଡ ଫରେଷ୍ଟ ୱାର୍କସ ୟୁନିୟନ(ଏଆଇଟିୟୁସି) ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ଜୁଲାଇ ୧୭ତାରିଖରେ ଧାରଣା ଦେବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏସଂପର୍କରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେ, ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଭକ୍ତଚରଣ ପ୍ରଧାନ ଏବଂ ୟୁନିୟନ ପ୍ରତିନିଧି ମହେଶ୍ୱର ରାଉତ, ବିଦ୍ୟାଧର ମହାନ୍ତଙ୍କ ସହ ଆଲୋଚନା ହୋଇଥିଲା। ଶ୍ରମିକମାନଙ୍କର ପ୍ରାପ୍ୟ ପ୍ରଦାନ ପାଇଁ ଆସନ୍ତା ଜୁଲାଇ ୨୫ତାରିଖରେ ଖଣି ମାଲିକଙ୍କ ସହ ଏକ ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ସମସ୍ତ ପ୍ରାପ୍ୟ ଦେବାର ବନ୍ଦୋବସ୍ତ କରାଯିବ। ପ୍ରାୟ ୫ଶହ ଶ୍ରମିକମାନଙ୍କର ୫୦କୋଟି ଟଙ୍କାର ପ୍ରାପ୍ୟ, ପ୍ରୋଭିଡେଣ୍ଡ ଫଣ୍ଡ ଆଦି ବାକି ଥିବାର ଜଣାପଡିଛି। ଏଥିସହ ଭଦ୍ରାସାହି ମେସ୍କୋ ଖଣି, ଜଜାଙ୍ଗସ୍ଥିତ ଏଚ୍ଜି ପାଣ୍ଡ୍ୟା ଖଣିରେ ବାକି ଥିବା ଶ୍ରମିକମାନଙ୍କ ପ୍ରାପ୍ୟ ପ୍ରଦାନ ନିମନ୍ତେ ମଧ୍ୟ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ୟୁନିୟନ ତରଫରୁ ଶ୍ରୀହରୀ ଘଣା, ବିରଞ୍ଚି ଦେହୁରୀ, ମାର୍କଣ୍ଡ ଦେହୁରୀ, ମିଟୁ ମହାନ୍ତ ଓ ହୃଦା ପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *