ପୁଣ୍ୟତୋୟା ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ କାଉଡ଼ିଆଙ୍କ ଭିଡ଼

ଯାଜପୁର -୧୮/୭(ଓଡିଆ ପୁଅ/ଏ.ରାଉତ) ସଂକ୍ରାନ୍ତି ତିଥି ଅନୁଯାୟୀ ଶ୍ରାବଣ ମାସର ପ୍ରଥମ ସୋମବାର ଚଳିତମାସ ୧୮ ତାରିଖରେ ପଡ଼ୁଥିବାରୁ ଯାଜପୁର ସହରର ପବିତ୍ର ବୈତରଣୀ ନଦୀକୂଳରେ ଅବସ୍ଥିତ ପ୍ରସିଦ୍ଧ ଦଶାଶ୍ୱମେଧ ଘାଟଠାରେ ରବିବାର ଦିନ କାଉଡ଼ିଆମାନେ ପୂଜାର୍ଚ୍ଚନା କରି ଆରଡ଼ି ଧାମର ପ୍ରଭୁ ଆଖଣ୍ଡଳମଣି ମହାଦେବଙ୍କୁ ଜଳାଭିଷେକ କରିବା ନିମନ୍ତେ ଗମନ କରିଛନ୍ତି । ଯାଜପୁର ସମେତ କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ଜଗତସିଂହପୁର, ପୁରୀ ପ୍ରଭୃତି ଜିଲାମାନଙ୍କରୁ କାଉଡ଼ିଆ ଭକ୍ତମାନେ ରବିବାର ଦିନ ଦଶାଶ୍ୱମେଧ ଘାଟରେ ପହଞ୍ଚି ବୈତରଣୀରେ ସ୍ନାନ କରି ବୈତରଣୀ ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା କରିବା ପରେ କାନ୍ଧରେ ପାଣିଭାର ଧରି ପ୍ରଭୁ ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ନିମନ୍ତେ ଗମନ କରିଥିଲେ । ଏହି କାଉଡ଼ିଆମାନଙ୍କ ମଧ୍ୟରୁ ଅନେକ କାଉଡ଼ିଆ ଯାଜପୁର ସହରର ଅନତି ଦୂରରେ ଅବସ୍ଥିତ ବରୁଣେଶ୍ୱର ମହାଦେବ, ସିଦେ୍ଧଶ୍ୱର ମହାଦେବ, ଚଣ୍ଡୀଖୋଲରେ ଅବସ୍ଥିତ ମହାବିନାୟକ ମନ୍ଦିରକୁ ଜଳାଭିଷେକ କରିବା ନିମନ୍ତେ ଯାତ୍ରା କରିଛନ୍ତି । ଏହି କାଉଡ଼ିଆମାନେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ପ୍ରଥମେ ଦର୍ଶନ ସାରିବା ପରେ ଦଶାଶ୍ୱମେଧ ଘାଟକୁ ଆସି ସ୍ନାନ ଓ ପୂଜାର୍ଚ୍ଚନା କରିଥିଲେ । କାଉଡ଼ିଆମାନଙ୍କ ହର ହର ମହାଦେବ ଧ୍ୱନିରେ ଦଶାଶ୍ୱମେଧ ଘାଟ ପ୍ରକମ୍ପିତ ହୋଇଥିଲା ।

Leave a Reply

Your email address will not be published. Required fields are marked *