ପୁଣି ମାତିଲେ କଳା ପଲସର ସୁନାଚେନ୍ ଲୁଟେରା ସ୍କୁଟିରୁ ଝାମ୍ପିନେଲେ ସୁନାଚେନ୍, ଦମ୍ପତି ଗୁରୁତର

ଭଦ୍ରକ, ୯ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଗତ କିଛିମାସ ହେବ ଚେନ୍ ଲୁଟେରାଙ୍କ ପ୍ରାଦୁର୍ଭାବ କମିଥିବାବେଳେ ପୁଣି ଉକ୍ତ ଘଟଣାର ପୁନରାବୃତ୍ତି ଘଟିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୧୬ ନଂ ଜାତୀୟ ରାଜପଥର ବିଷ୍ଣୁପୁର-ବହୁଦରଡା ମଧ୍ୟବର୍ତ୍ତୀ ସ୍ଥାନରେ ଗତକାଲି ସ୍ପଷ୍ଟ ଦିବାଲୋକରେ ଏକ ସ୍କୁଟିରେ ନିଜ ସ୍ୱାମୀ ସହ ଯାଉଥିବା ଜଣେ ମହିଳାଙ୍କ ବେକରୁ ପଲସର ଗାଡିରେ ଆସୁଥିବା ୩ ଜଣ ଯୁବକ ସୁନାଚେନ୍ ଲୁଟ୍ କରି ଫେରାର ହୋଇଯାଇଛନ୍ତି। ତେବେ ଲୁଟ୍ ସମୟରେ ସ୍କୁଟିରୁ ଖସିପଡି ଉଭୟ ଦମ୍ପତି ଗୁରୁତର ଭାବେ ଆହତ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହେବା ପରେ ପତ୍ନୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ନଳାଙ୍ଗ ଗ୍ରାମନିବାସୀ ୰ ରତ୍ନାକର ସାହୁଙ୍କ ପୁତ୍ର ଧୀରେନ୍ (୫୩) ରାନ୍ଦିଆସ୍ଥିତ ଫେକରରେ କାର୍ଯ୍ୟ କରନ୍ତି। ସେ ସପରିବାର ରାନ୍ଦିଆ ଫେକର କଲୋନୀରେ ରହୁଥିବାବେଳେ ଗତକାଲି ପୂର୍ବାହ୍ନ ପ୍ରାୟ ୧୧.୩୦ ସମୟରେ ଧୀରେନ ନିଜ ପତ୍ନୀ ଅରୁନ୍ଧତୀ (୪୫) ଙ୍କୁ ଓଡି-୨୨-୦୧୩୩ ନମ୍ବରର ଏକ ସ୍କୁଟିରେ ବସାଇ ଧାମନଗରସ୍ଥିତ ଖଙ୍ଗରା ଗ୍ରାମର ଭଉଣୀ ଘରକୁ ଯାଉଥିଲେ। ସେମାନେ ୧୬ ନଂ ଜାତୀୟ ରାଜପଥର ବିଷ୍ଣୁପୁର ପୋଲ ଅତିକ୍ରମ କରୁଥିବା ସମୟରେ ପଛରୁ ଆସୁଥିବା ଦୁଇଟି ବାଇକ୍ ମଧ୍ୟରୁ କଳା ପଲସ୍ରରେ ଥିବା ୩ ଜଣ ଯୁବକ ତାଙ୍କ ଗାଡି ନିକଟରେ ପହଞ୍ଚିବା ମାତ୍ରେ ଜଣେ ପତ୍ନୀ ଅରୁନ୍ଧତୀଙ୍କ ବେକରୁ ସେ ପିନ୍ଧିଥିବା ପ୍ରାୟ ୨ ଭରି ଓଜନର ସୁନା ଚେନ୍ଟିକୁ ଝାମ୍ପି ନେଇଥିଲେ। ଏହାଫଳରେ ଉଭୟ ଦମ୍ପତି ଭାରସାମ୍ୟ ହରାଇ ତଳେ ପଡି ରକ୍ତାକ୍ତ ହୋଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଧୀରେନ୍ଙ୍କ ଦୁଇହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାବେଳେ ଅରୁନ୍ଧତୀଙ୍କ ମୁଣ୍ଡା ପଛପଟ, ହାତ ଓ ଗୋଡରେ କ୍ଷତ ସୃଷ୍ଟି ହୋଇଛି। ଏହି ଘଟଣାରେ ଧୀରେନ୍ଙ୍କ ଜାମାତା ପ୍ରଦୀପ ମିଶ୍ର ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

Leave a Reply

Your email address will not be published. Required fields are marked *