ପୁଣି ଦାନା ବାନ୍ଧୁଛି ପ୍ରଜାମେଳି : ଭିଟାମାଟି ହରାଇବା ଆଶଙ୍କାରେ ୧୭୦ ଚାଷୀ

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସରିଛି ରାଜାଙ୍କ ଶାସନ। କିନ୍ତୁ ଏବେବି ରାଜାଙ୍କ ଗୁମସ୍ତା ହାକିମାତି କରି ପୂର୍ବ ପରି ଡରେଇ ଧମକେଇ ଆଦାୟ କରୁଛନ୍ତି ଜମିର କର। ମନଇଚ୍ଛା କର ଆଦାୟ କରିବା, ନାଲି ଆଖି ଦେଖାଇ ୧୭୦ ବଂଗୀୟ ଭାଗଚାଷୀ ପରିବାରକୁ ଧମକ ଦେବା ଆଦି ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଦୀର୍ଘ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ହେବ ବାପ ଅଜା ଅମଳରୁ ବସବାସ କରି ଆସୁଥିବା ଚଉଦ ପୁରୁଷର ଭିଟାମାଟି ନିଜର ନୁହେଁ ଜାଣିଲା ପରେ ସେମାନଙ୍କ ପାଦତଳୁ ମାଟି ଖସିଯାଇଛି। ପୂର୍ବ ପୁରୁଷଙ୍କ ଦାୟିତ୍ୱହୀନତା ଓ ରାଜଭକ୍ତି ପାଇଁ ଆଜି ସେମାନଙ୍କୁ ଯେ ଏକ ବଡ ମୂଲ୍ୟ ଦେବାକୁ ପଡିବ, ତାହା ସେମାନେ କେବେ ଭାବି ନଥିଲେ। ତେଣୁ ଭିଟାମାଟିରୁ ସେମାନଙ୍କୁ ଉଚ୍ଛେଦ ପାଇଁ ଯୋଜନା ଚଳାଇଥିବା ଏବରର ରାଜାଙ୍କ ବିରୋଧରେ ପ୍ରତବିାଦ କରିବାକୁ ମେଳି ବାନ୍ଧୁଛନ୍ତି ଏହିସବୁ ପରିବାର। ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଜାଗୁଳା ପଂଚାୟତ ଜୟଦୁର୍ଗା ପାଟଣା ଗ୍ରାମରେ ରହୁଥିବା ଏହି ୧୭୦ ପରିବାରର ସଦସ୍ୟଙ୍କ ମଧ୍ୟରେ ଏବେ ଅସନ୍ତୋଷର ବହ୍ନି ଜଳୁଛି। ସରକାର ସେମାନଙ୍କ ସମସ୍ୟାର ସମାଧାନ ନକଲେ ଏହି ପ୍ରଜାମେଳି ବିସ୍ଫୋରକ ରୂପ ନେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ସୂଚନାରୁ ଜଣାଯାଏ କନିକା ରାଜାଙ୍କ ଅଧୀନରେ ଥିବା ଏହି ଅଂଚଳର ହଜାର ହଜାର ଏକର ଜମି ୧୯୫୧ ମସିହା ଜମିଦାରୀ ଉଚ୍ଛେଦ ପରେ କେଉଁଠି ଦେବଦେବୀଙ୍କ ନାମରେ ତ କାହାକୁ ବିକ୍ରି ଓ ଦାନ ସୂତ୍ରରେ ଦିଆଯାଇଛି। ସେଥିମଧ୍ୟରୁ ଦେବଦେବୀଙ୍କ ନାମରେ ଦେବୋତ୍ତର ସଂପତ୍ତି ଭାବେ ଜାଗୁଳା ପଂଚାୟତ ଜୟଦୁର୍ଗାପାଟଣା ଗ୍ରାମର ୨୦୨ ଏକର ଜମି ମାର୍ଫତ୍ କନିକା ରାଜା ଗୋପାଳଜୀଉ ଓ ଜୟଦୁର୍ଗାଙ୍କ ନାମରେ ରହିଛି। ୧୯୬୦ ମସିହା ଭୂସଂସ୍କାର ଆଇନ୍ ସମୟରେ ଏହି ଭାଗଚାଷୀମାନେ ସେମାନଙ୍କ ଦାବି ଠିକ୍ ଭାବେ ଉପସ୍ଥାପନ ନକରିବାରୁ ୧୯୭୭/୭୮ ବନ୍ଦୋବସ୍ତରେ ଆଇନ୍ ପ୍ରଣୟନ ହୋଇ ୧୯୮୨/୮୩ ମସିହାରେ ଏହି ଜମିର ଦଖଲ ସୂତ୍ରରେ ଚାଷୀଙ୍କ ନାମ ଉଲ୍ଲେଖ ଥାଇ ପଟ୍ଟା ବାହାରିଥିଲା। ଜୟଦୁର୍ଗା ପାଟଣା ଗ୍ରାମର ମୋଟ ୨୦୨ ଏକର ଜମି ଗୋପାଳଜୀଉ ଓ ଜୟଦୁର୍ଗାଙ୍କ ନାମରେ ଉଲ୍ଲେଖ ଥାଇ ମାର୍ଫତ୍ଦାର କନିକା ରାଜା ସହିତ ଦଖଲସୂତ୍ରରେ ପ୍ରଜାଙ୍କ ନାମ ରହିଥିଲା। ସେବେଠାରୁ ଆଜକୁ ୩୫ ବର୍ଷ ଧରି ଏହି ଗ୍ରାମର ଭାଗଚାଷୀମାନେ ରାଜାଙ୍କୁ ଜମି ବାବଦରେ କର ହିସାବରେ ପ୍ରଥମେ ବର୍ଷକୁ ଏକର ପିଛା ୫୦ ଟଙ୍କାରୁ ଆରମ୍ଭ କରି ଏବେ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଦେଇଆସୁଛନ୍ତି। ଧାମରା ବନ୍ଦର କଂପାନୀର ଆଗମନ ପରେ ଏହିସବୁ ଜମିର ଅହେତକୁ ଦର ବୃଦ୍ଧିକୁ ଆଖିଆଗରେ ରଖି କନିକା ରାଜା ରାଜେନ୍ଦ୍ର ନାରାୟଣ ଭଂଜଦେଓଙ୍କ ପୌତ୍ର ଶୁଭେନ୍ଦୁ ନାରାୟଣ ଭଂଜଦେଓଙ୍କର ଏହି ଦେବୋତ୍ତର ସଂପତ୍ତି ଉପରେ ଆଖି ପଡିଥିଲା। ସେଥିପାଇଁ ସେ ନିଜ ଗୁମାସ୍ତାକୁ ଲଗାଇ ଏହି ଜମିର କର ଆଦାୟ ନେଇ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ରହି ଆସୁଥିବା ଭାଗଚାଷୀଙ୍କ ଉପରେ ଜୁଲମ ଚଳାଇଥିବା ଅଭିଯୋଗ ହୋଇଛି। କାହାକୁ ଜମିରୁ ବାହାରି ଯିବାକୁ କୁହାଯାଉଛି ତ ଆଉ କାହାକୁ ଏହି ଜମିରେ ପୋଖରୀ ନାଳ ଖୋଳାକୁ ବନ୍ଦ କରିବା ସହିତ ଘରବାଡି ଭାଙ୍ଗି ଚାଲିଯିବାକୁ ଧମକ ଦେଉଛନ୍ତି ଗୁମାସ୍ତା। ଯାହାକୁ କେନ୍ଦ୍ର କରି ପ୍ରଜା ବା ଭାଗଚାଷୀମାନଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ୧୦୦ ବର୍ଷରୁ ଉର୍ଦ୍ଧ୍ୱ ନିଜ ଦଖଲରେ ଥିବା ଭିଟାମାଟିକୁ ସହଜରେ ଛାଡିବାକୁ ପ୍ରସ୍ତୁତ ନାହାଁନ୍ତି ଏହିସବୁ ପରିବାର। ତେଣୁ ସେମାନେ ଏହାର ପ୍ରତିବାଦ କରିବାକୁ ବଡ ଧରଣର ମେଳି ବାନ୍ଧିବାକୁ ସଜବାଜ ହେଉଛନ୍ତି। ଭାଗଚାୀ ସୁଜିତ୍ ଗିରି, ହରିପଦ ମାଇତି, ରେଣୁ ଦିନ୍ଦା, ଯତୀନ ଜେନା, ଦୀପକ ପାତ୍ର, ସୁବାଷ ଅଧିକାରୀ, ପରୀକ୍ଷିତ ଦାସ ପ୍ରମୁଖଙ୍କ ସହ ୧୭୦ ପରିବାର ଏହା ବିରୋଧରେ ମେଳି କରିବା ସହ ଯଦି ସରକାର କିଛି ବନ୍ଦୋବସ୍ତ ନକରନ୍ତି, ତେବେ ରାଜରାସ୍ତା ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ଜାଗୁଳା ସମିତିସଭ୍ୟ ପ୍ରମୋଦ ନାୟକ କୁହନ୍ତି, ରାଜାଙ୍କ ଶାସନ ଇତିହାସ ପାଲଟି ଯାଇଛି। ତଥାପି କିଛି ଜମି ଏହି ଅଂଚଳର କନିକା ରାଜାଙ୍କର ଦେବଦେବୀଙ୍କ ନାମରେ ରହିଛି। ଯାହାକୁ ଚାଷୀମାନେ ୧୦୦ ବର୍ଷରୁ ଅଧିକ ହେବ ଦଖଲ କରି ରହିଛନ୍ତି। ପ୍ରତିବର୍ଷ ଦେବଦେବୀଙ୍କୁ ପୂଜା ଅର୍ଚ୍ଚନା ପାଇଁ ଏମାନେ ରାଜାଙ୍କୁ କର ଦେଉଥିବା ସ୍ଥଳେ ରାଜାଙ୍କ ଗୁମାସ୍ତା ଏହି ଗରିବ ଚାଷୀମାନଙ୍କ ଉପରେ ଜୁଲମ ଚଳାଇଛନ୍ତି। ଏମାନେ ନିଶ୍ଚୟ ଆଇନ୍ର ଆଶ୍ରୟ ନେବେ। ମୁଁ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବି। ଅନ୍ୟପକ୍ଷରେ ଏ ନେଇ କନିକା ଯୁବରାଜ ଶୁଭେନ୍ଦୁ ନାରାୟଣ ଭଂଜଦେଓ କହିଛନ୍ତି ଯେ ଜୟଦୁର୍ଗା ପାଟଣାରେ ଆମ ଠାକୁରଙ୍କ କିଛି ସଂପତ୍ତି ରହିଛି, ଯାହାକୁ ସେ ସମୟ ପ୍ରଜା ବା ଚାଷୀମାନେ ଦଖଲ କରୁଛନ୍ତି। ଏହା ଚାଷୀମାନଙ୍କୁ ଜମି ଭାଗ ସୂତ୍ରରେ ଦିଆଯାଇଛି। କିନ୍ତୁ ଆମ ବିନା ପରାମର୍ଶରେ ସେମାନେ ଏଥିରେ ପୋଖରୀ ଖୋଳିବା, ପକ୍କାଘର କରିବା ଆଇନ୍ ବିରୋଧୀ। ଏଥିପାଇଁ ମୋ ଗୁମାସ୍ତା ଲମ୍ବୋଧର ରାଉତ ସେମାନଙ୍କୁ ବାଧା ଦେଇଛନ୍ତି। ସେମାନେ ଏହାକୁ କର୍ଣ୍ଣପାତ ନକରିବାରୁ ମୋ ତରଫରୁ ଧାମରା ସାମୁଦି୍ରକ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ୍ ସେମାନଙ୍କୁ ଥାନାକୁ ଡକାଇ କାମ ବନ୍ଦ ରଖିଛନ୍ତି। ତେବେ ମୁଁ ଚାଷୀମାନଙ୍କୁ ଡାକିଛି, ସେମାନେ ମୋ ପାଖକୁ ଆସିଲେ ବସି କିଛି ନିଷ୍ପତ୍ତି ନିଆଯିବ।

Leave a Reply

Your email address will not be published. Required fields are marked *