ଓଡ଼ିଶା

ପୁଞ୍ଜି ନିବେଶ ନାମରେ ଆତ୍ମ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ବିଜେପି

ପଂଚଦଶ ବିଧାନସଭା ତ୍ରୟୋଦଶ ଅଧିବେଶନର ଷଷ୍ଠ କାର୍ଯ୍ୟକାରୀ ଦିବସରେ ବିଜେପି ଦଳ ପକ୍ଷରୁ ହଟ୍ଟଗୋଳ
– ୯୭୦୦ କୋଟି ଟଙ୍କା ଅଟକଳରେ ନିର୍ମିତ ହେବାକୁ ଥିବା ଏନଟିପିସିର ତାଳଚେର ବିଦ୍ୟୁତ ପ୍ରକଳ୍ପକୁ ଅନୁମତି ଦେବା, କେନ୍ଦ୍ରୀୟ ଅର୍ଥରେ ବିଜୁଳି, ରାଷ୍ଟ୍ରୀୟ ରାଜମାର୍ଗ ଓ ରେଳ ଭିତିଭୂମି ବିକାଶରେ ବାଧା ସୃଷ୍ଟିକୁ ବନ୍ଦ କରିବା ନେଇ ସ୍ଲୋଗାନ୍

– ଟିଟିପିଏସ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କମିଟି ଅନୁମତି ନଦେବା ନେଇ ବିଜେପି ପକ୍ଷରୁ ଉଦବେଗ

– ରାଜ୍ୟରେ ଶିଳ୍ପର ବିକାଶ ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ବୋଲି କୁହାଯାଉଥିବା ବେଳେ ବାସ୍ତବ କ୍ଷେତ୍ରରେ ତାର ଓଲଟା ପ୍ରତିଫଳନ ଘଟିଛି : କନକବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର, ତା.୧୧/୦୯ (ଓଡ଼ିଆ ପୁଅ) : ପଂଚଦଶ ବିଧାନସଭା ତ୍ରୟୋଦଶ ଅଧିବେଶନର ଷଷ୍ଠ କାର୍ଯ୍ୟକାରୀ ଦିବସରେ ଆଜି ଗୃହରେ ବିଜେପି ଦଳ ପକ୍ଷରୁ ହଟ୍ଟଗୋଳ ସୃଷ୍ଟି କରାଯିବା ଫଳରେ ପ୍ରଶ୍ନତୋର କାର୍ଯ୍ୟକ୍ରମ ହୋଇପାରିନଥିଲା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ସାଢ଼େ ୧୦.୩୦ ଟାରେ ଗୃହର ବୈଠକ ଆରମ୍ଭ ହେବା କ୍ଷଣି ବିଜେପି ଦଳର ବିଧାୟକ ରବି ନାରାୟଣ ନାୟକଙ୍କ ନେତୃତ୍ୱରେ ଦଳର ଅନ୍ୟ ସଦସ୍ୟ ମାନେ ଗୃହର ମଧ୍ୟ ଭାଗକୁ ଚାଲିଆସି ପୋଡିୟମ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ। ପୁଞ୍ଜି ନିବେଶ ନାମରେ ଆତ୍ମ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ବନ୍ଦ କର। ୯୭୦୦ କୋଟି ଟଙ୍କା ଅଟକଳରେ ନିର୍ମିତ ହେବାକୁ ଥିବା ଏନଟିପିସିର ତାଳଚେର ବିଦ୍ୟୁତ ପ୍ରକଳ୍ପକୁ ଅନୁମତି ଦେବା, କେନ୍ଦ୍ରୀୟ ଅର୍ଥରେ ବିଜୁଳି, ରାଷ୍ଟ୍ରୀୟ ରାଜମାର୍ଗ ଓ ରେଳ ଭିତିଭୂମି ବିକାଶରେ ବାଧା ସୃଷ୍ଟିକୁ ବନ୍ଦ କରିବା ନେଇ ସ୍ଲୋଗାନ୍ ଦେଇଥିଲେ।

ଟିଟିପିଏସ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କମିଟି ଅନୁମତି ନଦେବା ନେଇ ବିଜେପି ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି। ଶୂନ୍ୟ କାଳ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକ ଦଳର ନେତା ଶ୍ରୀ କନକବର୍ଦ୍ଧନ ସିଂହଦେଓ ଅଭିଯୋଗ କରିଥିଲେ ଯେ, ରାଜ୍ୟରେ ଶିଳ୍ପର ବିକାଶ ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ବୋଲି କୁହାଯାଉଥିବା ବେଳେ ବାସ୍ତବ କ୍ଷେତ୍ରରେ ତାର ଓଲଟା ପ୍ରତିଫଳନ ଘଟିଛି। କେତେକ ଶିଳ୍ପ ସଂସ୍ଥାକୁ ରାଜ୍ୟ ସରକାର ନିଜେ ବନ୍ଦ କରି ଦେଇଛନ୍ତି। ଏହାର ଉଦାହରଣ ସ୍ୱରୂପ ଜେ.କେ. ପେପର୍ ମିଲ୍ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ଶ୍ରୀ ସିଂହଦେଓ ଆହୁରି କହିଥିଲେ ଯେ, ଟିଟିପିଏସ ୯୭୦୦ କୋଟି ଟଙ୍କା ବ୍ୟୟ ଅଟକଳରେ କରିବାକୁ ଯାଉଥିବା ବିଦ୍ୟୁତ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କମିଟି ଅନୁମୋଦନ ଦେଇନାହିଁ। ଯଦି ଅନୁମୋଦନ ମିଳନ୍ତା ଆସନ୍ତା ୨୨ ତାରିଖରେ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଭିତିପ୍ରସ୍ତର ସ୍ଥାପନ ହୋଇପାରନ୍ତା ବୋଲି ଶ୍ରୀ ସିଂହଦେଓ କହିଥିଲେ।

ବିଜେପି ସଭ୍ୟ ରବି ନାରାୟଣ ନାୟକ ଶ୍ରୀ ସିଂହଦେଓଙ୍କ ଦାବିକୁ ସମର୍ଥନ କରିଥିଲେ। ଅନ୍ୟପକ୍ଷରେ ସେ କହିଥିଲେ ଯେ, ଆସନ୍ତା ୧୪ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡୁଛି। ସେଦିନଟି ଛୁଟି ରହିଛି। ରାଜଧାନୀରେ ପଶ୍ଚିମ ଓଡ଼ିଶାର ପିଲାମାନେ ପଢୁଛନ୍ତି, ସେମାନଙ୍କୁ ଗୋଟିଏ ଦିନ ଛୁଟି ଦିଆଯାଉଛି। ଏହି ଛୁଟିକୁ ଦୁଇ ଦିନ କରିବା ପାଇଁ ସେ ଦାବି କରିଥିଲେ। ବିଜେପି ସଭ୍ୟ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାଶ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ରାଜ୍ୟ ସରକାର ବାଲେଶ୍ୱର ଜିଲ୍ଲାର ରେମୁଣା ଅଂଚଳରେ ୧୧ହଜାର ୯୬୯ ଏକର ଜମି ଅଧିଗ୍ରହଣ କରିବା ପାଇଁ ନୋଟିସ୍ ଜାରୀ କରିଛନ୍ତି। ମାତ୍ର ଏହି ଜମିକୁ ଅଧିଗ୍ରହଣ କରାଯାଉନାହିଁ କିମ୍ବା କ୍ଷତିପୂରଣ ବାବଦ ଅର୍ଥ ଦିଆଯାଇନାହିଁ। ସେସବୁ ଜମି କାଗଜପତ୍ରରେ ଇଡକୋ ନାମରେ ରହିଛି। ଚାଷୀ ମାନେ ହଇରାଣ ହରକତ ହେଉଛନ୍ତି। ତାହାର ପ୍ରତିବାଦରେ ସେମାନେ ଧାରଣା ଦେଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଦାବି କରିଥିଲେ। ମାତ୍ର ବାଚସ୍ପତି କୌଣସି ନିର୍ଦ୍ଦେଶ ନଦେବାରୁ ସେ ଗୃହର ମଧ୍ୟ ଭାଗରେ ପୋଡିୟମ୍ ତଳେ ଧାରଣା ଦେଇଥିଲେ। ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ବାଚସ୍ପତି ଅନୁରୋଧ କରିଥିଲେ। ମାତ୍ର ସେ ସେଠାରୁ ଉଠି ନଥିଲେ। ବାଧ୍ୟ ହୋଇ ଦଳୀୟ ନେତା ଶ୍ରୀ ସିଂଦେଓଙ୍କୁ ସମ୍ପୃକ୍ତ ସଭ୍ୟଙ୍କୁ ନିଜ ଆସନକୁ ଫେରାଇ ନେବା ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ଶ୍ରୀ ଦାଶଙ୍କ ଦାବି ଯୁକ୍ତିଯୁକ୍ତ ଏହା ଉପରେ ଗୁରୁତ୍ୱ ଦେଇ ସରକାରଙ୍କୁ ରୁଲିଂ ଦେବା ପାଇଁ ଶ୍ରୀ ସିଂହଦେଓ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top