ପିଲା ଚୋର ଗୁଜବରୁ ଦୂରେଇ ରହିବାକୁ ପୋଲିସର ପରାମର୍ଶ

କୋରାପୁଟ ; ତା୨୫-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସମଗ୍ର କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ପିଲାଚୋର ଭଲି ଏକ ମିଥ୍ୟା ପ୍ରଚାରକୁ ନେଇ ଚହଳ ପଡିଥିବାବେଳେ ଅନେକ ସ୍ଥାନରେ ସ୍ଥାନୀୟ ଲୋକେ କେତେକ ବାହାର ଲୋକଙ୍କୁ ପିଲା ଚୋର ଭାବି ମାଡି ମାରିବା ଘଟଣା ପଦାକୁ ଆସିଛି। ତେଣୁ ପୋଲିସ ପକ୍ଷରୁ ଏହାକୁ ଏକ ଗୁଜବ ବୋଲି ଜନସାଧାରଣଙ୍କୁ ଅବଗତ କରାଇବା ସହ କୌଣସି ସନ୍ଦେହ ଜନକ ଲୋକକୁ ଦେଖିଲେ ତାକୁ ଆକ୍ରମଣ ନକରି ନିକଟସ୍ଥ ପୋଲିସ ଥାନାକୁ ଜଣାଇବା କିମ୍ବା ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିକୁ ପୋଲିସକୁ ହସ୍ତାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ସୂଚନା ଥାଉକି, ଗତ କିଛି ଦିନ ହେଲା ଜିଲାର ବିଭିନ୍ନ ଅଂଚଳରେ କେତେକ ଫେରିବାଲା ବ୍ୟବସାୟୀ କିମ୍ବା ଅନ୍ୟ କୌଣସି ଅପରିଚିତ ଲୋକଙ୍କୁ ଦେଖିଲେ ମାରପିଟ କରିବା ଭଳି ଘଟଣା ପୋଲିସ ନିକଟକୁ ଆସିଥିବାବେଳେ ଆଜି ସୁନାବେଡା ଥାନା ମୋହନପୋଡା ଗ୍ରାମରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା। ପିତଳ ସାମଗ୍ରୀ ସଫା କରିବା ପାଇଁ ଜଣେ ଅଣ ଓଡିଆ ବ୍ୟକ୍ତି ମୋହନପୋଡା ଗ୍ରାମକୁ ଯାଇଥିବାବେଳେ ଗ୍ରାମବାସୀ ତାକୁ ପିଲାଚୋର ଭାବି ନିସ୍ତୁକ ମାଡ ମାରିଥିଲେ। କୌଣସି ସୂତ୍ରରୁ ଡୁମୁରିପୁଟ ଫାଣ୍ଡି ପୋଲିସ ଖବର ପାଇ ଗ୍ରାମରେ ପହଂଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ସୁନାବେଡା ଥାନାକୁ ନେଇ ଯାଇଥିବା ଜଣା ପଡିଛି। ତେଣୁ ଏଭଳି ଘଟଣାରୁ ଦୂରେଇ ରହିବାକୁ ଅତିରିକ୍ତ ଏସପି ଭି.ଆର.ରାଓ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି। ଅନ୍ୟ ପକ୍ଷରେ ଯେକୌଣସି ବ୍ୟକ୍ତି ଉପରେ ସନ୍ଦେହ ହେଲେ ନିକଟସ୍ଥ ପୋଲିସ ଥାନା କିମ୍ବା ୯୪୩୮୯୧୬୭୯୦ ହ୍ୱାଟସ୍ ଆଫ ନମ୍ବରରେ ଜଣାଇବାକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *