ପିଟାଗେଟା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ

ମାଲକାନଗିରି, ୪ା୫ (ଓଡିଆ ପୁଅ) ମାଲକାନଗିରି ଥାନାସ୍ଥ ପିଟାଗେଟା ବଜାରରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଯାଇଛି। ତୁମସାପାଲି ପଚାଂୟତର ପିଟାଗେଟା ବଜାରରେ ଆଜି ସକାଳୁ ବିଦ୍ୟୁତ ସର୍ଟସର୍କିଟ ହୋଇ ହରିଲାଲ ଢାଲିଙ୍କ ଦୋକାନରେ ହଟାତ ନିଆଁ ଲାଗିଯାଇଥିଲା, ସେହି ନିଆଁ ସଙ୍ଗେ ସଙ୍ଗେ ନିକଟରେ ଥିବା ଜୟନ୍ତ ଢାଲି, ହରିବର ଢାଲି ଙ୍କ ଭେରାଇଟ ଷ୍ଟୋର, କମ୍ପ୍ୟୁଟର ଦୋକାନ, ତେଜରାତି ଦୋକାନକୁ ବ୍ୟାପି ଯାଇ ଆଖି ପିଛୁଳାକେ ଘର ସବୁ ପୋଡି ଯାଇଥିଲା। ପାଖରେ ଥିବା ଗ୍ରାମ ବାସୀମାନେ ନିଆଁରେ ପାଣି ପକାଇ ଲିଭାଇବାକୁ ଚେଷ୍ଟାକରିଥିଲେ ମଧ୍ୟ ନିଆଁକୁ ଆୟତ କରିପାରିନଥିଲେ, ନିଆଁ ଲାଗିବା ସଂପର୍କରେ ଅଗ୍ନିଶମ ବିଭାଗକୁ ଫୋନକରା ଯିବାରୁ ୧୫ କିମି ଦୂର ମାଲକାନଗିରି ଠାରେ ଥିବା ଦମକଳ ବାହିନୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ ମଧ୍ୟ ତିନୋଟି ବଖରା ପୋଡି ଯାଇଥିଲା। ନିକଟରେ ଥିବା ଅନ୍ୟ ୪ଟି ଦୋକାନ ଘର ଓ ଗାଁକୁ ନିଆଁ ବ୍ୟାପିବାରୁ ଦମକଳ ବାହିନୀ ରକ୍ଷା କରିଥିଲେ। ଏହି ବଜାରଟି ଉପରେ ପିଟାଗେଟା ଓ ତୁମସାପାଲ୍ଲି ପଚାଂୟତର ପ୍ରାୟ ୬ଟି ଗ୍ରାମବାସୀ ନିର୍ଭର କରିଥାନ୍ତି। ଏହି ଅଗ୍ନିକାଣ୍ଡ ଦ୍ୱାରା ପ୍ରାୟ ୩ ଲକ୍ଷ ୫୦ହଜାର ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଥିବାବେଳେ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଦ ସମ୍ପତି ରକ୍ଷା ହୋଇ ଯାଇଛି, ଛୋଟ ବଡ ବଜାର ଓ ଦୋକାନ ମାନଙ୍କରେ ଅଗ୍ନି ନିରୋଧକ ଯନ୍ତ୍ର ରଖିବା ଆବଶ୍ୟକ ରହିଛି, ହଟାତ ଅଗ୍ନିକାଣ୍ଡ ଘଟିଲେ ନିଆଁକୁ ଆୟତ କରିହେବ ବୋଲି ମାଲକାନଗିରି ଅଗ୍ନିଶମ ଅଧିକାରୀ ଶିମାଚଂଳ ପାଢି କହିଛନ୍ତି।

Leave a Reply

Your email address will not be published. Required fields are marked *